ଭାରତର ପ୍ରଥମ ହ୍ୱିଲ୍-ଚେୟାର ବଡ଼ି ବିଲଡ଼ର: ଯିଏ ଜିତିଛନ୍ତି ୧୦୦ ଟାଇଟେଲ ଏବଂ ମେଡ଼ାଲ


ଜୀବନରେ ସଫଳ ହେବା ପାଇଁ ଅନେକ କଣ୍ଟକିତ ରାସ୍ତାଦେଇ ଗତି କରିବାକୁ ହୋଇଥାଏ । ନିଷ୍ଠାର ସହିତ ଗୋଟିଏ ଲକ୍ଷ୍ୟ ନେଇ ଆଗକୁ ଅଗ୍ରସର ହେଲା ଭିତରେ ମଝିରେ ଆସୁଥିବା ସମସ୍ତ ଘାତ ପ୍ରତିଘାତକୁ ଦୃଢତାର ସହିତ ସାମ୍ନା କରି ଯେଉଁ ସଫଳତା ମିଳିଥାଏ ସତରେ ତାହା ଅନ୍ୟ ମାନଙ୍କ ପାଇଁ ସର୍ବଦା ପ୍ରେରଣାଦାୟୀ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଭାରତର ପ୍ରଥମ ହ୍ୱିଲଚେୟାର ବଡ଼ି ବିଲଡ଼ର, ଆନନ୍ଦ ଅର୍ଣ୍ଣଲ୍ଡ । ଏକଦା ସେ ନିଜର ଦୁର୍ବଳତାକୁ କିପରି ପ୍ରମୁଖ ଶକ୍ତି ଭାବରେ ପରିଣତକରି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛନ୍ତି ତାହା ସତରେ ଆଜିର ଯୁବ ସମାଜ ପ।।ଇଁ ଏକ ଉଦାହରଣ । ଏଇ ଯୁବକ ଦିନେ କ୍ୟାନ୍ସରରେ ପୀଡ଼ିତହୋଇ ଆଶ୍ଚର୍ଯ୍ୟଜନକ ଧର୍ଯ୍ୟ ତଥା ଆତ୍ମବିଶ୍ୱାସ ଦେଖାଇ କେବଳ ମୃତ୍ୟୁ ମୁଖରୁ ଫେରିଆସି ନାହାଁନ୍ତି ବରଂ ବଡ଼ି ବିଲଡ଼ିଂର ଶୀଖର ଦେଶରେ ପହଞ୍ଚି ପାରିବାରେ ସଫଳ ହୋଇଛନ୍ତି । ପଞ୍ଜାବ ଲୁଧିୟାନା ସହର ଅନ୍ତର୍ଗତ ଅମରାପୁରାରେ ବାସ କରୁଥିବା ଆନନ୍ଦ ଅର୍ଣ୍ଣଲ୍ଡ ଶାରୀରକଭାବେ ବିକଳାଙ୍ଗ ଅଟନ୍ତି । କିନ୍ତୁ ୨୬ ବର୍ଷିୟ ଆନନ୍ଦ ଅର୍ଣ୍ଣଲ୍ଡଙ୍କର ଚେହେରା ହଲିଉଡ଼୍ ଅଭିନେତା ଅର୍ନଲ୍ଡଙ୍କ ଠାରୁ କିଛି କମ୍ ନୁହେଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ୧୩ ବର୍ଷ ବୟସରୁ ବଡ଼ି ବିଲଡ଼ିଂ କରୁଥିବା ଆନନ୍ଦ ମାତ୍ର ୧୫ ବର୍ଷ ବୟସରେ ସ୍ପାଇନାଲ କଡ଼ରେ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇଥିଲେ । ରୋଗର ମାତ୍ରା ଶରୀର ଉପରେ ଏତେ ଅଧିକ ଥିଲାଯେ ସଙ୍ଗେ ସଙ୍ଗେ ଅପରେସନ୍ କରିବାକୁ ପଡ଼ିଥିଲା । ତାପରେ ସେ ପକ୍ଷାଘାତରେ ଆକ୍ରାନ୍ତହେବା ସହିତ ୩ ବର୍ଷ ପର୍ଯ୍ୟନ୍ତ ବେଡ଼ରେ ହିଁ ଜୀବନ କାଟିଥିଲେ । ଏହି ସମୟ ମଧ୍ୟରେ ସେ କେବଳ ନିଜର ହାତ ହିଁ ହଲାଇ ପାରୁଥିଲେ । ତିନି ବର୍ଷ ପରେ ଆନନ୍ଦ ନିଜ ପରିବାର ଏବଂ ବନ୍ଧୁ ମାନଙ୍କ ସହାୟତାରେ ଏହିସବୁ ଆଘାତରୁ ବାହାରିବା ପାଇଁ ହ୍ୱିଲ ଚେୟାର ଉପରେ ବସି ନିଜର ବଡ଼ି ଫିଟନେସ୍ ପ୍ରଶିକ୍ଷଣନେବା ଆରମ୍ଭ କରିଥିଲେ । କଠିନ ପରିଶ୍ରମ ପରେ ସେ ବଡ଼ି ବିଲଡ଼ିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଆରମ୍ଭ କରିଥିଲେ । ଆନନ୍ଦ କ୍ରମାଗତ ତିନି ବର୍ଷଧରି ମିଷ୍ଟର ଇଣ୍ଡିଆ ଟାଇଟେଲ୍ ହାସଲ କରିବା ସହିତ ୧୨ ଥର ମିଷ୍ଟର ପଞ୍ଜାବ ରହିଆସିଛନ୍ତି । ଏହା ବ୍ୟତୀତ ସେ ୨୭ଟି ଅନ୍ୟ ଟାଇଟେଲ୍ ମଧ୍ୟ ହାସଲ କରିପାରିଛନ୍ତି । ଆନନ୍ଦ ଅର୍ଣ୍ଣଲ୍ଡଙ୍କ ଜୀବନିରୁ ଆଜିର ଯୁବ ସମାଜ ଅନେକ କିଛି ଶିଖିବାକୁ ପାଇପାରିବେ ତଥା ପ୍ରୋତ୍ସାହିତ ହୋଇପାରିବେ ।


Share It

Comments are closed.