ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, ୩୧ ଜାନୁଆରୀ ୨୦୨୪: ମାଲ୍‌କାନଗିରି, ଗଜପତି, କଳାହାଣ୍ଡି, ରାୟଗଡ, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ସଫଳ ଶୁଭାରମ୍ଭ ଓ ପରିଚାଳନା ପରେ (ଲକ୍ଷ୍ମୀ) ଯୋଜନାକୁ ଆଉ ୩ଟି ପ୍ରମୁଖ ଜିଲ୍ଲା- ଅନୁଗୁଳ, ଢେଙ୍କାନାଳ ଓ ଦେବଗଡରେ ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରାଯାଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାର୍ବଜନିନ ପରିବହନ ଭିତିଭୂମିକୁ ଉନ୍ନତ କରିବା ପ୍ରତି ରାଜ୍ୟର ପ୍ରତିବଦ୍ଧତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ପ୍ରତିନିଧିତ୍ୱ କରି ଏହି ଉଦ୍‌ଘାଟନୀ ସମାରୋହର ଅଧ୍ୟକ୍ଷତା କରିଥିଲେ ।

ଲକ୍ଷ୍ମୀ ଯୋଜନା ଏହି ପରିବର୍ତ୍ତନଶୀଳ କାର୍ଯ୍ୟକ୍ରମରୁ ଲାଭାନ୍ୱିତ ହେବା ପାଇଁ ଅନୁଗୁଳ ଜିଲ୍ଲାରେ ଏହି ସେବାର ଆରମ୍ଭ କରାଯାଇଛି । ଅନୁଗୁଳ ଜିଲ୍ଲାର ୮ଟି ବ୍ଲକ୍‌ର ୨୨୫ଟି ଗ୍ରାମପଞ୍ଚାୟତରେ ବସବାସ କରୁଥିବା ୧୨ ଲକ୍ଷରୁ ଅଧିକ ନାଗରିକଙ୍କୁ ବ୍ଲକ ସଂଯୋଗୀକରଣ ପାଇଁ ୨୮ଟି ଅଣ-ଏସି ବସ୍‌ ଓ ଜିଲ୍ଲା ସଂଯୋଗୀକରଣ ପାଇଁ ୬ଟି ଏସ୍ ବସ୍‌ ଉତ୍ସର୍ଗିକୃତ କରିଛନ୍ତି ରାଜ୍ୟ ସରକାର ।

ସେହିପରି ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏହି ଯୋଜନାର ଶୁଭାରମ୍ଭ କରି ୯ଟି ବ୍ଲକର ୨୧୨ଟି ଗ୍ରାମପଞ୍ଚାୟତରେ ସାର୍ବଜନୀନ ପରିବହନକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ବ୍ଲକ୍ ସଂଯୋଗୀକରଣ ପାଇଁ ୫୫ଟି ଅଣ-ଏସି ବସ୍ ଓ ଜିଲ୍ଲା ସଂଯୋଗୀକରଣ ପାଇଁ ଡିଷ୍ଟ୍ରିକ୍ଟ କନେକ୍ଟିଭିଟି ୭ଟି ଏସି ବସ୍ ସାମିଲ କରାଯାଇଛି । ଏହା ପ୍ରାୟ ୧୩ ଲକ୍ଷ ନାଗରିକଙ୍କୁ ସେବା ଯୋଗାଇବ ।

ସେହିପରି ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ଅନ୍ୟତମ ପ୍ରମୁଖ କେନ୍ଦ୍ର ରହିଆସିଥିବା ଦେବଗଡ଼ ଜିଲ୍ଲାରେ ମଧ୍ୟ ଲକ୍ଷ୍ମୀ ଯୋଜନାର ଔପଚାରିକ ଭାବେ ଶୁଭାରମ୍ଭ କରାଯାଇଛି । ଏହି ଜିଲ୍ଲାରେ ବ୍ଲକ୍ ସଂଯୋଗାକରଣ ପାଇଁ ୧୭ଟି ଅଣ-ଏସି ବସ୍ ଓ ଜିଲ୍ଲା ସଂଯୋଗୀକରଣ ପାଇଁ ୪ଟି ଏସି ବସ୍ ମାଧ୍ୟମରେ ୭୦ଟି ଗ୍ରାମପଞ୍ଚାୟତର ପ୍ରାୟ ୩ ଲକ୍ଷ ନାଗରିକଙ୍କୁ ସୁଲଭ ଗମନାଗମନ ସେବା ପ୍ରଦାନ କରିବାକୁ ଲକ୍ଷ୍ୟ ରହିଛି ।

ଏହି ସମସ୍ତ ୩ଟି ଜିଲ୍ଲାରେ ମହିଳା କୈନ୍ଦ୍ରିକ ସ୍ୱୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡିକ ନିର୍ଦ୍ଧାରିତ ବ୍ଲକ୍‌ଗୁଡିକରେ ରୁଟ୍‌ଗୁଡିକର ତଦାରଖ କରିବେ । ଅନୁଗୁଳର ପାଲଲହଡା ବ୍ଲକରେ ୪ଟି ବସ୍‌, ଢେଙ୍କାନାଳରେ ୯ଟି ବସ୍ ଓ ଦେବଗଡର ବାର୍‌କୋଟ ବ୍ଲକ୍‌ରେ ୬ଟି ବସ୍ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ପରିଚାଳିତ ହେବ । ଏହାଦ୍ୱାରା ମହିଳା ସଶକ୍ତିକରଣ ପ୍ରତି ପ୍ରତିବଦ୍ଧତା ବୃଦ୍ଧି ହେବା ସହ ସମାଜରେ ସେମାନଙ୍କୁ ସ୍ୱତନ୍ତ୍ର ଏକ ପରିଚୟ ମିଳିପାରିବ।

ଲକ୍ଷ୍ମୀ ଯୋଜନା ମାଧ୍ୟମରେ ଗ୍ରାମାଂଚଳରେ ବଜାର, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଅର୍ଥନୈତିକ କେନ୍ଦ୍ରଗୁଡିକୁ ଉନ୍ନତ ପରିବହନ ସୁବିଧା ଉପଲବ୍ଧ ହୋଇପାରୁଛି ।

ଏହି ଉଦଘାଟନୀ ଉତ୍ସବ ଅବସରରେ ଓଡ଼ିଶାର ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ କହିଛନ୍ତି, “ଲକ୍ଷ୍ମୀ ବସ୍ ଯୋଜନା ମାଧ୍ୟମରେ ଖୁବ କମ୍ ସମୟ ମଧ୍ୟରେ ଓଡ଼ିଶାର ୯ଟି ଜିଲ୍ଲରେ ବର୍ତମାନ ସୁଦ୍ଧା ୪୧୫ଟି ବସ୍‌ ସେବା ଯୋଗାଉଛି । ଉନ୍ନତ ସଂଯୋଗ, ଗୁରୁତ୍ୱପୂର୍ଣ୍ଣ ସ୍ଥଳଗୁଡ଼ିକୁ ପରିବହନ ସୁବିଧା, ତ୍ୱରାନ୍ୱିତ ଅର୍ଥନୈତିକ ବିକାଶ ସମେତ ଲକ୍ଷ୍ମୀ ଯୋଜନା ଖୁବ୍‌ଶୀଘ୍ର ଓଡ଼ିଶାର ସମସ୍ତ ଜିଲ୍ଲାରେ ଆରମ୍ଭ ହେବ ।


Share It

Comments are closed.