ଓଡ଼ିଶାର ହାଇ ଜମ୍ପର ସ୍ୱାଧୀନ ମାଝୀଙ୍କ ଖେଳରେ ଉଲ୍ଲେଖନୀୟ ପ୍ରଗତି


ଭୁବନେଶ୍ୱର: ଓଡ଼ିଶାର ଅନୁଗୁଳ ଜିଲାର ୨୦ ବର୍ଷ ବୟସ୍କ ସ୍ୱାଧୀନ ମାଝୀ ନିକଟରେ ମାଙ୍ଗାଲୋରରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଆଥଲେଟିକ୍ସ ଚମ୍ପିଆନସିପ୍‍ରେ ଉତ୍ସାହଜନକ ପ୍ରଦର୍ଶନ କରିବା ସହିତ କାଂସ୍ୟ ପଦକ ହାସଲ କରିଛନ୍ତି । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚପିସି)ରେ ତାଲିମ ନେଉଥିବା ଶ୍ରୀ ମାଝୀ ବ୍ୟକ୍ତିଗତ ଶ୍ରେଷ୍ଠ (ପିବି) ଉଚ୍ଚତା ୨.୦୮ ମିଟର ଡେଇଁବା ସହିତ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସମୁଦାୟ ପ୍ରତିଯୋଗିତା କାଳରେ ମାଝୀଙ୍କର ଆତ୍ମବିଶ୍ୱାସରେ ସାମାନ୍ୟ ଆଞ୍ଚ ଆସିଥିଲା ଏବଂ ତାଙ୍କର ପ୍ରଥମ ପ୍ରୟାସରେ ସେ ୨.୧୧ ମିଟର ଉଚ୍ଚତା ଡେଇଁବା ସମୟରେ ତାଙ୍କ ପାଦ ଗଣ୍ଠିରେ ଆଘାତ ଲାଗିନଥିଲେ ସେ ହୁଏତ ଅଧିକ ଉନ୍ନତ ପ୍ରଦର୍ଶନ କରିଥାନ୍ତେ । ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଏଚପିସିର ମୁଖ୍ୟ ପ୍ରଶିକ୍ଷକ ଜେମ୍ସ ହିଲିଅର ମାଙ୍ଗାଲୋରଠାରେ ଅନୁଷ୍ଠିତ ପ୍ରତିଯୋଗିତା ସମ୍ପର୍କରେ ନିଜର ପର୍ଯ୍ୟବେକ୍ଷଣ ଆଧାରରେ ମାଝୀଙ୍କ ପ୍ରଦର୍ଶନରେ ଅଧିକ ଉନ୍ନତି ଆଣିବାକୁ କେତେକ ବୈଷୟିକ ଦିଗ ଚିହ୍ନଟ କରିଛନ୍ତି ।

ହିଲିଅର କହିଛନ୍ତି, “ଦୌଡିବା ସମୟରେ ଏବଂ ବିଶେଷକରି ତାଙ୍କର ଶେଷ ତିନିଟି ପ୍ରୟାସରେ ତାଙ୍କର ଶାରୀରିକ ଅବସ୍ଥିତି ଉପରେ ମୁଁ ଦୃଷ୍ଟିନିବଦ୍ଧ କରୁଛି । ମୁଁ ଭାବୁଛି ଯେ ସେ ଏପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ ଡେଇଁବାକୁ ନିଜକୁ ଠିକ୍‍ ଭାବରେ ପ୍ରସ୍ତୁତ କରୁନାହାନ୍ତି । ତାଙ୍କର ଉନ୍ନତି ଘଟୁଛି, କିନ୍ତୁ ଏହିସବୁ ବୈଷୟିକ ପରିବର୍ତ୍ତନ ନିମନ୍ତେ ସମୟ ଲାଗିବ ଏବଂ ଆଥଲେଟମାନଙ୍କ ନିକଟରୁ ପର୍ଯ୍ୟାପ୍ତ ଉଦ୍ୟମ ଲୋଡା ।”
ମାଙ୍ଗାଲୋରରେ ଅନୁଷ୍ଠିତ ଚମ୍ପିଆନସିପ୍‍ରେ ଅନ୍ୟତମ ଦେଖିବାଭଳି ପ୍ରଦର୍ଶନ ଧାବକ ଅମ୍ଳାନ ବୋରଗୋହେନଙ୍କ ଠାରୁ ପରିଲକ୍ଷିତ ହୋଇଥିଲା, ଯିଏ ୨୦୧୯ରୁ ଏଚପିସିରେ ତାଲିମ ନେଉଛନ୍ତି । ଗତବର୍ଷ ୱାରାଙ୍ଗଲରେ ୨୦୦ ମିଟର ବିଭାଗରେ ଚିତ୍ତାକର୍ଷକ ଦୌଡ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବୋରଗୋହେନ୍‍ ୧୦୦ ମିଟର ବିଭାଗରେ ତାଙ୍କର ତିନିଟି ଦୌଡରେ ୧୦.୫୮, ୧୦.୫୫ ଓ ୧୦.୫୦ ସେକେଣ୍ଡରେ ଦୂରତା ଅତିକ୍ରମ କରିବା ସହିତ ରୌପ୍ୟ ପଦକ ହାସଲ କରିଥିଲେ । ତାଙ୍କ ଶିଷ୍ୟର ପ୍ରଦର୍ଶନରେ ସନ୍ତୁଷ୍ଟ ଥିବା ହିଲିଅର ପ୍ରକାଶ କରିଥିବାବେଳେ ଏହା ମଧ୍ୟ କହିଛନ୍ତି ଯେ, ଆଥଲେଟମାନଙ୍କ ପାଇଁ ସିଜନରେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଯଥେଷ୍ଟ ସମୟ ମିଳିନଥିଲା ।

ହିଲିଅର କହିଛନ୍ତି, “ଆମେ ଏବେ ମଧ୍ୟ ସାଧାରଣ ପ୍ରସ୍ତୁତି ପର୍ଯ୍ୟାୟରେ ରହିଛୁ ଏବଂ ମାତ୍ର ୮ ସପ୍ତାହ ଧରି ତାଲିମ ଦେଉଛୁ । ତେଣୁ ଆମେ ନିର୍ଦ୍ଦିଷ୍ଟ ଭାବରେ ରଖୁଥିବା ଲକ୍ଷ୍ୟ ଅପେକ୍ଷା ଆମ ପ୍ରୟାସରେ ଏହା ଏକ ପ୍ରତିଯୋଗିତା ଭଳି ହୋଇଥିଲା । ଚୂଡାନ୍ତ ପର୍ଯ୍ୟାୟରେ ଅମ୍ଳାନ କେତେକ ତ୍ରୁଟି କରିଥିଲେ ଯାହାଦ୍ୱାରା ତାଙ୍କ ପାଇଁ ସ୍ୱର୍ଣ୍ଣ ପଦକ ମହଙ୍ଗା ପଡିଥିଲା, କିନ୍ତୁ ମୁଁ ନିଶ୍ଚିତ ଯେ ସେ ତାଙ୍କ ଭୁଲରୁ ଶିକ୍ଷାଲାଭ କରିଛନ୍ତି ଏବଂ ଏଠାରୁ ସେ ଜଣେ ଉତ୍ତମ ଆଥଲେଟ ହୋଇ ବାହାରିବେ ।”

ଓପନ ନ୍ୟାସନାଲଗୁଡିକରେ ବୋରଗୋହେନ୍‍ ୨୦୦ ମିଟର ବିଭାଗରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ (ପିବି) ସମୟ ୨୦.୭୫ ସେକେଣ୍ଡ ପ୍ରଦର୍ଶନ କରିବା ସହିତ ଆଉ ଏକ ବ୍ୟକ୍ତିଗତ ଶ୍ରେଷ୍ଠ ପିବି ୧୦.୩୪ ସେକେଣ୍ଡ ସହିତ ସେ ୧୦୦ ମିଟର ବିଭାଗରେ ରୌପ୍ୟ ପଦକ ହାସଲ କରିଥିଲେ ଏବଂ ଏହା ତାଙ୍କୁ ଜାତୀୟ ସ୍ତରରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ସ୍ଥିତିରେ ପହଞ୍ଚାଇଥିଲା ।

ଚଳିତ ବର୍ଷ ପରବର୍ତ୍ତୀ ସମୟରେ ରାଜ୍ୟଗୋଷ୍ଠୀ ଏବଂ ଏସୀୟ କ୍ରୀଡା ଭଳି ଉଚ୍ଚମାନର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ବୋରଗୋହେନ୍‍ ସେହିସବୁ ପ୍ରତିଯୋଗିତାରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ନିଜର ସର୍ବୋତ୍ତମ ପ୍ରସ୍ତୁତି ଉପରେ ଦୃଷ୍ଟିନିବଦ୍ଧ କରୁଛନ୍ତି । ଏହିସବୁ ପ୍ରତିଯୋଗିତାରେ ସେ ଯେଭଳି ସର୍ବୋତ୍ତମ ସମ୍ଭାବ୍ୟ ପ୍ରସ୍ତୁତି ସହିତ ପହଞ୍ଚିବେ, ସେଥିପାଇଁ ପ୍ରଶିକ୍ଷଣକାରୀ ଏବଂ ସହାୟକ ସଦସ୍ୟମାନେ ସମସ୍ତ ଉଦ୍ୟମ ସୁନିଶ୍ଚିତ କରୁଛନ୍ତି । ଜୁନ୍‍ରେ ଚୀନରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ୟୁନିଭରସିଟି କ୍ରୀଡା ବୋରଗୋହେନ୍‍ଙ୍କ ପାଇଁ ପ୍ରଥମ ଲକ୍ଷ୍ୟ ହୋଇଥିବାବେଳେ ଏଥିରେ ଯୋଗ୍ୟତା ହାସଲ କରିବାକୁ ସେ ଯଥେଷ୍ଟ ପ୍ରସ୍ତୁତି କରିଛନ୍ତି । ଏହି ପ୍ରତିଯୋଗିତା ପୂର୍ବରୁ ମାଙ୍ଗାଲୋରରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ ଚମ୍ପିଆନସିପ୍‍ ଏକ ପରୀକ୍ଷାମୂଳକ ପ୍ରତିଯୋଗିତା ଥିଲା ।

ହିଲିଅର କହିଛନ୍ତି, “ବୋରଗୋହେନ୍‍ ନିଜ ସାମର୍ଥ୍ୟ ଅତୁଟ ରଖି ଶରୀର ଓଜନ କିଛିଟା ହ୍ରାସ କରିବା ଉପରେ ମୁଁ ଦୃଷ୍ଟି ନିବଦ୍ଧ କରୁଛି । ତାଙ୍କର ଖାଦ୍ୟ ଆହରଣ ଉପରେ ତୀକ୍ଷ୍‍ଣ ନଜର ରଖି ଆମେ ତାହା କରୁଛୁ, ଯଦ୍ଦ୍ୱାରା ତାଲିମ ପାଇଁ ତାଙ୍କୁ ଅଧିକ ଖାଦ୍ୟ ଯୋଗାଇ ଦିଆଯିବ ନାହିଁ ତାହା ଆମେ ସୁନିଶ୍ଚିତ କରୁଛୁ । ଆମେ କେବଳ ପ୍ରତ୍ୟେକ ବିଷୟରେ ଆଉ କିଛିଟା ଉନ୍ନତି ଆଣିବା ଉଦ୍ୟମ କରୁଛୁ । ଚଳିତ ବର୍ଷ ମୋର ଦାୟିତ୍ୱ ହେଉଛି ତାଙ୍କ ପାଦ ଯେଭଳି ଭୂମି ଉପରେ ଦୃଢ ଭାବରେ ରହିବ ଏବଂ ସେ ଜଣେ ଅପରିଚିତ ଆଥଲେଟରୁ କିଭଳି ପ୍ରଥମ ସ୍ଥାନ ଅଧିକାର କରିଥିବା ଆଥଲେଟରେ ପରିଣତ ହୋଇଛନ୍ତି, ତାହା ତାଙ୍କୁ ବାରମ୍ବାର ସ୍ମରଣ କରାଇବି ।”

ଯଦିଓ କୋଭିଡ ଜନିତ କଟକଣା କାରଣରୁ ତାଲିମ କାର୍ଯ୍ୟକ୍ରମରେ ସଂଶୋଧନ କରିବାକୁ ପଡୁଛି, ତଥାପି ଆଥଲେଟମାନେ ଯେଭଳି ତାହାଦ୍ୱାରା ପ୍ରଭାବିତ ନହୁଅନ୍ତି ଏବଂ ଏଭଳି ଚାଲେଞ୍ଜିଂ ସମୟରେ ସେମାନଙ୍କ ମାନସିକ ଅବସ୍ଥା ସୁସ୍ଥ ରହିବ, ତାହା ସୁନିଶ୍ଚିତ କରିବାକୁ ହିଲିଅର ଉଦ୍ୟମ କରୁଛନ୍ତି । ସେ ଦୃଢ ନିଶ୍ଚିତ ଯେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଏଚପିସିରୁ ଅଧିକ ସଂଖ୍ୟାରେ ଆଥଲେଟ ୨୦୨୨ରେ ବେଶ୍‍ ପ୍ରଭାବଶାଳୀ ପ୍ରଦର୍ଶନ କରିବେ । 


Share It

Comments are closed.