ହକି ବିଶ୍ୱକପ : ଆଜି ଭାରତ-ସ୍ପେନ ମ୍ୟାଚ


ଶୁକ୍ରବାର ରାଉରକେଲା ସହରରେ ବିଶ୍ୱକପ ହକିର ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଭାରତ ଓ ସ୍ପେନ ମଧ୍ୟରେ ହେବାକୁ ଥିବା ଏହି ଉଦ୍‌ଘାଟନୀ ମ୍ୟାଚକୁ ଦେଖିବା ପାଇଁ ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସୁଥିବା ସୂଚନା ମିଳିଛି। ଶୁକ୍ରବାର ଅପରାହ୍ଣ ୩ଟା ୪୫ରେ ଭୁବନେଶ୍ବରରୁ ବିମାନଯୋଗେ ଆସି ମୁଖ୍ୟମନ୍ତ୍ରୀ ଅପରାହ୍ଣ୪ଟା ୪୫ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚି ସିଧା ବିଶ୍ୱକପ ହକି ଗ୍ରାମକୁ ଯିବେ। ୬ଟା ୪୫ରେ ହକି ଗ୍ରାମରୁ ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଯିବା ସହିତ ଭାରତ ଓ ସ୍ପେନ ମ୍ୟାଚକୁ ଉପଭୋଗ କରିବା କାର୍ଯ୍ୟକ୍ରମ ରହିଛି। ରାତି ୭ଟା ୩୦ରେ ମୁଖ୍ୟମନ୍ତ୍ରୀ ହକି ଷ୍ଟାଡିୟମରୁ ବିଶ୍ୱକପ ଗ୍ରାମକୁ ଫେରିବା ସହିତ ସେଠାରେ ରାତ୍ରିଯାପନ କରିବା କାର୍ଯ୍ୟକ୍ରମ ରହିଛି। ୧୪ ତାରିଖ ପୂର୍ବାହ୍ଣ ୧୧ଟା୨୦ରେ ମୁଖ୍ୟମନ୍ତ୍ରୀ ବିଶ୍ୱକପ ଗ୍ରାମରୁ ରାଉରକେଲା ବିମାନବନ୍ଦରକୁ ଯାଇ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ବିଭିନ୍ନ ମନ୍ତ୍ରୀ, ବିଧାୟକ ଓ ଦଳର ରାଜ୍ୟ ବରିଷ୍ଠ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ବୈଠକ ଓ ପ୍ରସ୍ତୁତି କରିଛନ୍ତି।


Share It

Comments are closed.