ରାଜ୍ୟର ୫ଟି ଜିଲ୍ଲାରେ ନୂଆ କୋଭିଡ୍-୧୯ ହସ୍ପିଟାଲର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ, ବଗରଡ଼, ନବରଙ୍ଗପୁର, ସୁନ୍ଦରଗଡ ଓ ଜଗତସିଂହପୁର ଜିଲ୍ଲାରେ ନୂଆ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା


ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୨୦ ମାନବଜାତି ସବୁଠୁ ବଡ଼ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏକ ସୁସ୍ଥ ଭାରତ ଏବଂ ଓଡ଼ିଶା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ଭାରତ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ଓ ଅର୍ଥନୀତି ଉପରେ କୋଭିଡ୍-୧୯ର ପ୍ରତିକୂଳ ପ୍ରଭାବକୁ ମୁକାବିଲା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସୋମବାରନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସି ଜରିଆରେ ରାଜ୍ୟର ୫ଟି ଜିଲ୍ଲାରେ ନୂଆ କୋଭିଡ୍ ହସ୍ପିଟାଲର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ୫ଟି ଜିଲ୍ଲାରେ ଯଥା ଅନୁଗୁଳ ଜିଲ୍ଲା ତାଳଚେରର ଏମସିଏଲ ମେଡିକାଲ କଲେଜ, ବଗରଡ଼ର ଏମସିଏଚ ବିଲ୍ଡିଂ ଏବଂ ପଲିଟେକନିକ୍ କଲେଜ, ନବରଙ୍ଗପୁରର ବି.ଇଡି କଲେଜ୍,ସୁନ୍ଦରଗଡର ଏନଟିପିସି ମେଡିକାଲ କଲେଜ ଏବଂ ଜଗତସିଂହପୁର ଜିଲ୍ଲାର ପାରାଦୀପର ବିଜୁ ଯାତ୍ରୀ ନିବାସ ଠାରେ ସ୍ୱତନ୍ତ୍ରକୋଭିଡ୍ ହସ୍ପିଟାଲର ଉଦଘାଟନ ହୋଇଯାଇଛି ।ଉଦଘାଟିତ ହୋଇଯାଇଥିବା କୋଭିଡ଼୍-୧୯ ହସ୍ପିଟାଲ ଦ୍ୱାରା କରୋନା ମହାମାରୀ ବିରୁଦ୍ଧରେ ଓଡ଼ିଶାର ଲଢ଼େଇ ଆହୁରି ମଜବୁତ୍ ହେବବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଏହି କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବା ସହ ଏକ ସୁସ୍ଥ ଓଡ଼ିଶା ଗଠନ ନିମନ୍ତେ ନିରନ୍ତର ସହଯୋଗ ପାଇଁ ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଇଓସିଏଲ,ଏମସିଏଲ, ନାଲକୋ, ଏନଟିପିସି ଏବଂ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇଛନ୍ତି । ବର୍ତ୍ତମାନ କଠିନ ସମୟରେ ଏହି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକ କେବଳ ଭାରତକୁ ସଶକ୍ତ କରୁନାହାନ୍ତି ବରଂ ସେମାନେ ସମ୍ଭାବ୍ୟ ଉପାୟରେ କୋଭିଡ୍- ୧୯ ବିରୁଦ୍ଧରେ ଲଢ଼େଇ ମଧ୍ୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହାସହିତ ରୋଗୀଙ୍କ ଠାରେ କରୋନା ଭାଇରସକୁ ଶୀଘ୍ର ଚିହ୍ନଟ କରିବା ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ର ବିଶେଷ ଭାବରେ ଆଇସିଏମଆର-ଆରଏମଆରସି,ଆଇଏଲଏସ, ଭୁବନେଶ୍ୱର ଏମ୍ସ ଏବଂ ସେଲର ଆଇଜିଏଚ୍ ହସ୍ପିଟାଲର ପରିଚାଳନା ଏବଂ ଉଦ୍ୟମକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକ ସାମାଜିକ ଦାୟିତ୍ୱ ମନୋଭାବ ରଖି କରୋନା ମହାମାରୀକୁ ହରାଇବାକୁ ଅନେକ ପଦକ୍ଷେପ ନେଉଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର, ନାଗରିକ ଏବଂ କରୋନା ଯୋଦ୍ଧାଙ୍କର ସାମୂହିକ ସଂକଳ୍ପ ଓଡ଼ିଶା ଏବଂ ଭାରତକୁ ଏହି ଅଦୃଶ୍ୟ ଶତ୍ରୁ ବିରୋଧୀ ଲଢେଇରେ ବିଜୟ ଦ୍ୱାରରେ ପହଞ୍ଚାଇବ । ଓଡ଼ିଶାବାସୀମହାବାତ୍ୟା ଏବଂ ବଡ ବଡ ରୋଗ ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଲଢିବା ସହ ତାହାକୁ ପ୍ରତିହତ କରିଛନ୍ତି ।ଆମେ ସମସ୍ତେ ଏକାଠୀ ଅଛୁ, ଆମେ ଏହି ସଂକଟକୁ ସାମ୍ନା କରିବୁ, ଦୂର କରିବୁ ଏବଂ ବିଜୟୀ ହେବୁ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏତଦବ୍ୟତିତ ଓଡ଼ିଶାବାସୀଙ୍କୁ ଲକ୍ ଡାଉନ୍ ଗାଉଡଲାଇନକୁ ପାଳନ କରିବା ତଥା ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ ହାତକୁ ନିୟମିତ ବ୍ୟବଧାନରେ ଭଲ ଭାବରେ ସଫା କରିବାକୁ ଆହ୍ୱାନ କରିଛନ୍ତି ।

ସୁସ୍ଥ ଓଡ଼ିଶା ଗଠନ ପାଇଁ ନିରନ୍ତର ଉଦ୍ୟମ ନିମନ୍ତେଶ୍ରୀ ପ୍ରଧାନ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ୟାବିନେଟ୍ ସହକର୍ମୀ ତଥା କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଆର.କେ ସିଂହ ଏବଂ ମନସୁଖ ମାଣ୍ଡଭିଆଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ଏକାଠୀ ହୋଇ ଏହି ମହାମାରୀକୁ ପ୍ରତିହତ କରିପାରିବା ବୋଲି ସେ କହିଛନ୍ତି ।


Share It

Comments are closed.