ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଋଷି ସୁନକ


ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ବିଧିବଦ୍ଧ ଭାବେ ନିଯୁକ୍ତି ପାଇଛନ୍ତି ଋଷି ସୁନକ । ଭାରତୀୟ ବଂଶୋଦ୍ଭବ ତଥା ପ୍ରଥମ ହିନ୍ଦୁ ଭାବେ ବ୍ରିଟେନର ଦ୍ୱିତୀୟ ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି ସେ । ମଙ୍ଗଳବାର ବ୍ରିଟେନ ରାଜାଙ୍କୁ ସାକ୍ଷାତ କରିଥିଲେ ଋଷି ସୁନକ । ବ୍ରିଟେନ ରାଜା କିଙ୍ଗ ଚାର୍ଲସ ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି । ଗତ ୬ ବର୍ଷ ମଧ୍ୟରେ ସୁନକ ହେଉଛନ୍ତି ୫ମ ନେତା ଯିଏକି କଞ୍ଜରଭେଟିଭ୍‌ ପାର୍ଟିର ଉଚ୍ଚ ପଦବୀରେ ବସିଛନ୍ତି ।

ଗତ ମାସରେ ପ୍ରଧାନମନ୍ତ୍ରୀ ରେସରେ ଥାଇ ପରାଜିତ ହୋଇଥିଲେ ଋଷି ସୁନକ । ତାଙ୍କ ସହିତ ପ୍ରତିଦ୍ୱନ୍ଦିତା କରୁଥିବା ଲିଜ୍‌ ଟ୍ରସ ୨୦ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଥିଲେ । କିନ୍ତୁ ପିଏମ୍‌ ହେବାର ମାତ୍ର ୪୫ ଦିନ ପରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ଲିଜ୍‌ ଟ୍ରସ୍‌ । ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ଏବଂ ଅନ୍ୟାନ୍ୟ ଦିଗରେ ସେଭଳି କିଛି ପଦକ୍ଷେପ ନେବାକୁ ସକ୍ଷମ ହୋଇନଥିଲେ ସେ । ଯେଉଁଥି ପାଇଁ କି ଦଳ ମଧ୍ୟରେ ତାଙ୍କୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ବାଧ୍ୟ ହୋଇ ନିଜ ଆଡୁ ପ୍ରଧାନମନ୍ତ୍ରୀ ପଦ ଛାଡିଥିଲେ ଲିଜ୍‌ ଟ୍ରସ୍‌ । ଆଉ କଞ୍ଜରଭେଟିଭ୍‌ ପାର୍ଟିର ଅଧିକାଂଶ ସାଂସଦ ଋଷି ସୁନକଙ୍କୁ ପୁଣି ସମର୍ଥନ ଜଣାଇବା ସହିତ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହିଁଥିଲେ । ସୋମବାର ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ଘୋଷଣା ହେବା ସହିତ ମଙ୍ଗଳବାର ବିଧିବଦ୍ଧ ଭାବେ ନିଯୁକ୍ତି ପାଇଛନ୍ତି ।


Share It

Comments are closed.