ଖଡଗେଙ୍କୁ ସଭାପତି ଦାୟିତ୍ୱ ହସ୍ତାନ୍ତର କଲେ ସୋନିଆ, କହିଲେ ‘ମୋ ମୁଣ୍ଡରୁ ବଡ଼ ବୋଝ ହଟିଲା’


ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସର ଆଜି ଠାରୁ ନୂଆ ଯୁଗ ଆରମ୍ଭ ହେଉଛି। ଆଜି କଂଗ୍ରେସର ମଙ୍ଗ କୌଣସି ଅଣଗାନ୍ଧୀଙ୍କ ହାତକୁ ଯାଇଛି। ବାଦବିବାଦ ମଧ୍ୟରେ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଶଶି ଥରୁରଙ୍କୁ ହରାଇଥିବା ମଲ୍ଲିକାର୍ଜୁନ ଖଡ୍‌ଗେ ଦଳର ବସ୍‌ ବନିଛନ୍ତି।

ସୋନିଆ ଗାନ୍ଧୀ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସ ସଭାପତି ଦାୟିତ୍ୱ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦେଇଛନ୍ତି। ଖଡ଼ଗେ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିବା ପରେ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ସମୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଦଳ ଏକ ଶ୍ରମୀକ ପରିବାରରୁ ଆସୁଥିବା ନେତାଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବା ବଡ କଥା। ସେ ନିଜର ପରିଶ୍ରମ ଏବଂ ନିଷ୍ଠା ସହିତ ଏଠାରେ ପହଞ୍ଚିଛନ୍ତି।

ସୋନିଆ ଆହୁରି କହିଛନ୍ତି, ମୋର ବିଶ୍ୱାସ ରହିଛି ଯେ ଖଡ୍‌ଗେଙ୍କ ନେତୃତ୍ୱରେ ପୂର୍ବାପେକ୍ଷା ଦଳ ଆହୁରି ମଜବୁତ ହେବ। ସେ କହିଛନ୍ତି, ଗଣତନ୍ତ୍ର ଜରିଆରେ କଂଗ୍ରେସ ନିଜ ନୂଆ ଅଧ୍ଯକ୍ଷ ନିର୍ବାଚିତ କରିଛି। ମୁଁ ନିଶ୍ଚିତ ଯେ ଏହିପରି ଭାବେ କଂଗ୍ରେସର ସମସ୍ତ ନେତା ଏପରି ଶକ୍ତି ବନିବେ ଯାହା ଦେଶର ସମସ୍ୟାକୁ ସଫଳତାର ସହ ସାମ୍ନା କରିବେ। କଂଗ୍ରେସ ଆଗରେ ବଡ ବଡ଼ ସମସ୍ୟା ଆସିଛି, କିନ୍ତୁ କଂଗ୍ରେସ କେବେ ହାର ମାନି ନାହିଁ।

ସୋନିଆ କହିଛନ୍ତି, ଆଜି ମୋ ମୁଣ୍ଡରୁ ବଡ଼ ଦାୟିତ୍ୱ ହଟିଛି। ଏଥିପାଇଁ ସ୍ୱାଭାବିକ ଭାବେ ରହିବାର ଅନୁଭବ ହେଉଛି। ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଏହି ସମୟରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ବ୍ୟତୀତ ଦଳର ଅନେକ ନେତା ଉପସ୍ଥିତ ରହିଥିଲେ।

ଅନ୍ୟପଟେ ଖଡ୍‌ଗେ ଦାୟିତ୍ୱ ଗ୍ରହଣ କରି କହିଛନ୍ତି, ‘ଆଜି ମୋ ପାଇଁ ଭାବପ୍ରବଣତାର ଦିନ। ଜଣେ ସାମାନ୍ୟ କାର୍ଯ୍ୟକର୍ତ୍ତା, ଶ୍ରମୀକଙ୍କ ପୁଅକୁ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ କରି ସମ୍ମାନ ଦେଇଥିବାରୁ ଆପଣ ସମସ୍ତଙ୍କ ନିକଟରେ ଋଣି। ବ୍ଲକ କଂଗ୍ରେସରୁ ଆରମ୍ଭ ହୋଇଥିବା ଯାତ୍ରାରୁ ଆପଣମାନେ ଏତେ ବଡ଼ ପଦବି ଯାଏ ପହଞ୍ଚାଇଛନ୍ତି।‘

ଖଡ୍‌ଗେଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦରେ ନିଯୁକ୍ତି କରିବା ପୂର୍ବରୁ କଂଗ୍ରେସ ନେତା ମଧୁସୂଦନ ମିସ୍ତ୍ରୀ କହିଛନ୍ତି, ‘ଆମେ ଏହି ନିର୍ବାଚନ ନିରପକ୍ଷ ଭାବେ କରିବାକୁ ଚେଷ୍ଟା କରିଥିଲୁ ଏବଂ ନିରପକ୍ଷ ଭାବେ ନିର୍ବାଚନ ମଧ୍ୟ ହୋଇଛି। ଏଥର ଆମ ଦଳର ମେମ୍ୱରସିପ ୬ କୋଟିରୁ ଅଧିକ ହୋଇଛି। ଅଢ଼େଇ କୋଟି ଲୋକ ଡିଜିଟାଲ ମେମ୍ୱରସିପ ନେଇଛନ୍ତି। ଏହି ନିର୍ବାଚନ ପ୍ରମାଣ କରିଛି ଯେ କଂଗ୍ରେସରେ ଗଣତନ୍ତ୍ର ରହିଛି। ମୁଁ ନିର୍ବାଚନର ପ୍ରଭାରୀ ହୋଇଥିବାରୁ ସାର୍ଟିଫିକେଟ ପ୍ରଦାନ କରୁଛି।‘


Share It

Comments are closed.