ଭୁବନେଶ୍ବର ଠାରେ ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଏବଂ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ


ଭୁବନେଶ୍ବର : ଭୁବନେଶ୍ବର ଆଚାର୍ଯ୍ୟ ବିହାର ସ୍ଥିତ ସିଏସଆଇଆର ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଠାରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନ ରାଜଭାଷା ବିଭାଗ ପକ୍ଷରୁ ପୂର୍ବ ଓ ଉତ୍ତର-ପୂର୍ବ କ୍ଷେତ୍ର ପାଇଁ ମିଳିତ ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଏବଂ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କ ପାଇଁ ଏହି ରାଜଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଜଭାଷା ହିନ୍ଦୀର ପ୍ରଚାର ପ୍ରସାର କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କୁ ବିଭିନ୍ନ ବର୍ଗରେ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ କୁମାର ମିଶ୍ରା, ସଂସଦୀୟ ରାଜଭାଷା ସମିତିର ଉପାଧ୍ୟକ୍ଷ ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ, ଗୃହ ମନ୍ତ୍ରଣାଳୟ ରାଜଭାଷା ବିଭାଗର ଯୁଗ୍ମ ସଚିବ ଡକ୍ଟର ମୀନାକ୍ଷୀ ଜଲି, ଭୁବନେଶ୍ବରସ୍ଥିତ ନଗର ରାଜଭାଷା କାର୍ଯ୍ୟାଳୟ ସମିତି (ନରାକାସ) ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ର ଶେଖର ଶର୍ମା, ଗୌହାଟୀ ବିଶୋଧନାଗାରର ମୁଖ୍ୟ ମହାପ୍ରବନ୍ଧକ (ମାନବ ସମ୍ବଳ) ହିତଜିତ ଭଟ୍ଟାଚାର୍ଯ୍ୟ ମଞ୍ଚାସୀନ ଥିଲେ ।

ସମାରୋହର ଅଧ୍ୟକ୍ଷତା କରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ କୁମାର ମିଶ୍ରା କହିଥିଲେ ଯେ, ହିନ୍ଦୀ ଭାରତର ଜନସାଧାରଣ ସହଜରେ ବୁଝି ପାରୁଥିବା ଭାଷା। କେବଳ କିଛି ରାଜନୀତି କାରଣରୁ ହିନ୍ଦୀ ଭାଷାର ବିରୋଧ କରାଯାଉଛି । ହିନ୍ଦୀ ଅନ୍ୟ ଆଞ୍ଚଳିକ ଭାଷାକୁ ସମାପ୍ତ କରି ଦେବ ବୋଲି ସାଧାରଣରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଛି, କିନ୍ତୁ ହିନ୍ଦୀ ଅନ୍ୟ ସ୍ଥାନୀୟ ଭାରତୀୟ ଭାଷାର ସହଯୋଗୀ ଭାବେ କାମ କରୁଛି । ସେ କହିଥିଲେ ଯେ ହିନ୍ଦୀ ଭାଷାର କୌଣସି ଆଞ୍ଚଳିକ ଭାଷା ସହିତ ପ୍ରତିଯୋଗିତା କିମ୍ବା ବିରୋଧାଭାସ ନାହିଁ ।

ଶ୍ରୀ ମିଶ୍ରା କହିଥିଲେ ଯେ ରାଜଭାଷା ବିଭାଗ ପକ୍ଷରୁ ସ୍ମୃତି ଆଧାରିତ ଅନୁବାଦ ପ୍ରଣାଳୀ ‘କଣ୍ଠସ୍ଥ’ ନିର୍ମାଣ ଓ ବିକଶିତ କରାଯାଇଛି । ଏହାର ପ୍ରୟୋଗ ଜରିଆରେ ସରକାରୀ କାର୍ଯ୍ୟାଳୟରେ ଅନୁବାଦର ଗତି ଓ ଗୁଣବତ୍ତା ବୃଦ୍ଧି ହୋଇପାରିଛି । ଏହି ଟୁଲରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୨ ଲକ୍ଷ ବାକ୍ୟ ସାମିଲ କରାଯାଇସାରିଛି ଏବଂ ବିଗତ ଦିନରେ ସୁରତରେ ଅନୁଷ୍ଠିତ ରାଜଭାଷା ସମ୍ମିଳନୀରେ ମାନନୀୟ ଗୃହ ମନ୍ତ୍ରୀଙ୍କ ଦ୍ବାରା କଣ୍ଠସ୍ଥ 2.0ର ଲୋକାର୍ପଣ କରାଯାଇଛି । ଏଥିରେ ନ୍ୟୁରଲ ମେସିନ ଟ୍ରାନ୍ସଲେସନ ସହିତ ଆହୁରି କିଛି ନୂଆ ବୈଶିଷ୍ଟ୍ୟ ମଧ୍ୟ ଯୋଡ଼ା ଯାଇଛି ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଭର୍ତ୍ତୃହରି ମହତାବ କହିଥିଲେ ଯେ, ହିନ୍ଦୀ ଅନୁବାଦ ନୁହେଁ ଏକ ସମ୍ବାଦର ଭାଷା। ଶ୍ରୀ ମହତାବ ପୁରସ୍କାର ବିଜେତାମାନଙ୍କୁ ସ୍ବାଗତ ଜଣାଇ କହିଥିଲେ ଯେ ଏମାନେ ନିଜ ପ୍ରୟାସ କାରଣରୁ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଛନ୍ତି, ତେଣୁ ଅନ୍ୟମାନେ ଏମାନଙ୍କ ଠାରୁ ପ୍ରେରଣା ହାସଲ କରି ହିନ୍ଦୀ ଭାଷାର ପ୍ରଚାରପ୍ରସାର କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିବା ଉଚିତ୍‌ । 

ଯୁଗ୍ମ ସଚିବ ଡକ୍ଟର ଜଲି କହିଥିଲେ ଯେ ସାରା ଦେଶରେ ଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ରାଜଭାଷା ହିନ୍ଦୀର ପ୍ରୟୋଗ ବଢ଼ାଇବା କ୍ଷେତ୍ରରେ ରାଜଭାଷା ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । କ୍ଷେତ୍ରୀୟ ସମ୍ମିଳନୀ ସେ ଦିଗରେ କରାଯାଉଥିବା ଏକ ପ୍ରୟାସ ବୋଲି ସେ କହିଥିଲେ । ସେ କହିଥିଲେ ଯେ ମାନ୍ୟବର ଗୃହ ମନ୍ତ୍ରୀଙ୍କ ଦ୍ବାରା ‘ହିନ୍ଦୀ ଶବ୍ଦ ସିନ୍ଧୁ’ର ଲୋକାର୍ପଣ ହୋଇଛି । ରାଜଭାଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ଶବ୍ଦକୋଷରେ ପାଖାପାଖି ୫୧ ହଜାର ଶବ୍ଦ ସାମିଲ କରାଯାଇଛି । ହିନ୍ଦୀ ପ୍ରବାହ ମୋବାଇଲ ଆପ୍‌ ପ୍ରୟୋଗ କରି ୧୪ଟି ଭାରତୀୟ ଭାଷା ଜରିଆରେ ହିନ୍ଦୀ ଶିଖି ହେବ । ରାଜଭାଷା ବିଭାଗର ଇ-ହିନ୍ଦୀ ମହାଶବ୍ଦ କୋଷାରେ ପାଖାପାଖି ୯୦ ହଜାର ଶବ୍ଦ ସାମିଲ କରାଯାଇଛି। ‘ଇ-ସରଳ’ ହିନ୍ଦୀ ବାକ୍ୟ କୋଷରେ ୧୧ ହଜାରରରୁ ଅଧିକ ବାକ୍ୟ ସାମିଲ କରାଯାଇଥିବା ଯୁଗ୍ମ ସଚିବ କହିଥିଲେ। 

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ଶର୍ମା ଏବଂ ଶ୍ରୀ ଭଟ୍ଟାଚାର୍ଯ୍ୟ ସରକାରୀ କାର୍ଯ୍ୟାଳୟରେ ହିନ୍ଦୀ ଭାଷାର ବହୁଳ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଥିଲେ । ପୂର୍ବ କ୍ଷେତ୍ରର ରାଜଭାଷା କାର୍ଯ୍ୟକାରିତା ସମିତିର ଉପନିର୍ଦ୍ଦେଶକ ନିର୍ମଳ ଦୁବେ ଏବଂ ଉତ୍ତର ପୂର୍ବ କ୍ଷେତ୍ରର ରାଜଭାଷା କାର୍ଯ୍ୟକାରିତା ସହାୟକ ବଦ୍ରି ଯାଦବ ରାଜଭାଷାର କାର୍ଯ୍ୟକାରିତାକୁ ନେଇ ସୂଚନା ଉପସ୍ଥାପନ କରିଥିଲେ ।


Share It

Comments are closed.