ଅଣ୍ଡର-୧୯ ବିଶ୍ୱକପ୍: ଆଜି ଭାରତ-ଇଂଲଣ୍ଡ ଫାଇନାଲ ଫାଇଟ୍, ଟିମ୍ ଇଣ୍ଡିଆର ପଲା ଭାରି


ଶନିବାର ୧୯ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ଏହି ମହାଲଢ଼େଇରେ ଚାରି ଥର ଚାମ୍ପିଅନ୍‌ ଭାରତ ଓ ଇଂଲଣ୍ଡ ସାମ୍ନାସାମ୍ନି ହେବେ । ଉଭୟ ଦଳ ଗ୍ରୁପ୍‌ ଓ ନକ ଆଉଟ୍‌ ପର୍ଯ୍ୟାୟରେ ଅପରାଜେୟ ରହି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ୟଶ୍‌ ଧୂଲଙ୍କ ନେତୃତ୍ତ୍ୱାଧିନ ଭାରତୀୟ ଦଳ ପଞ୍ଚମ ଟାଇଟଲ ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ୨୪ବର୍ଷ ପରେ ଦ୍ୱିତୀୟ ଥର ଫାଇନାଲ୍‌ରେ ପ୍ରବେଶ କରିଥିବା ଇଂଲଣ୍ଡ ଏହି ମ୍ୟାଚ୍‌ ଜିତି ଟାଇଟଲ ପ୍ରତୀକ୍ଷାର ଅନ୍ତ ଘଟାଇବାକୁ ପ୍ରୟାସ କରିବ । ଆଣ୍ଟିଗୁଆର ନର୍ଥ ସାଉଣ୍ଡରେ ଥିବା ସାର୍‌ ଭିଭିଆନ ରିଚାଡର୍ସ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ସନ୍ଧ୍ୟା ୬.୩୦ରୁ ମ୍ୟାଚ୍‌ ଆରମ୍ଭ ହେବ ।

୧୯ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତ ହେଉଛି ସବୁଠୁ ସଫଳ ଦଳ । ଚଳିତ ସଂସ୍କରଣକୁ ମିଶାଇ ମୋଟ ୧୪ଟି ସଂସ୍କରଣରୁ ଭାରତ ୮ ଥର ଫାଇନାଲ୍‌ରେ ପ୍ରବେଶ କରିଥିବାବେଳେ ୪ ଥର (୨୦୦୦, ୨୦୦୮, ୨୦୧୨, ୨୦୧୮) ଚାମ୍ପିଅନ୍‌ ହୋଇଛି । ଏଥର ମଧ୍ୟ ଦଳ ଟାଇଟଲ ଦାବିଦାର ରହିଛି । ଗ୍ରୁପ୍‌ ପର୍ଯ୍ୟାୟରେ ଦଳ ଅପରାଜେୟ ରହିବା ପରେ କ୍ୱାର୍ଟରରେ ବାଂଲାଦେଶକୁ ୫ ୱିକେଟ୍‌ରେ ଏବଂ ସେମିରେ ଅଷ୍ଟ୍ରେଲିଆକୁ ୯୬ରନ୍‌ରେ ହରାଇ କ୍ରମାନ୍ୱୟରେ ଚତୁର୍ଥ ଥର ଫାଇନାଲ୍‌ରେ ପ୍ରବେଶ କରିଛି । ବିଶ୍ୱକପ୍‌ରେ ଏହା ଭାରତର ଆଧିପତ୍ୟକୁ ପ୍ରମାଣ କରୁଛି ।
ଶନିବାର ମ୍ୟାଚ୍‌ରେ ଭାରତର ପଲା ଭାରି ରହିବା ସ୍ୱାଭାବିକ । ଇତିମଧ୍ୟରେ ଦଳ ୫ଟି ମ୍ୟାଚ୍‌ ଖେଳି ଅପରାଜେୟ ରହିଥିବାବେଳେ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିଛି । ଇଂଲଣ୍ଡ ତୁଳନାରେ ଭାରତର ବ୍ୟାଟିଂ ଓ ବୋଲିଂ ବିଭାଗ ଅପେକ୍ଷାକୃତ ଦୃଢ଼ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ସେମିରେ ୟଶ୍‌ ଧୂଲ ଶତକ ଓ ଶୈଖ ରସିଦ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଶନିବାର ଉଭୟଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଓପନର ଅଙ୍ଗକ୍ରିସ୍‌ ରଘୁବଂଶୀ ୯ଟି ମ୍ୟାଚ୍‌ ଖେଳି ୩୮୫ରନ୍‌ ସଂଗ୍ରହ କରି ସାରିଥିବାବେଳେ ଅଲରାଉଣ୍ଡର ରାଜ ବାୱା ୩୦୮ ରନ୍‌ ଏବଂ ୧୨ଟି ୱିକେଟ୍‌ ନେଇ ସାରିଛନ୍ତି । ଅନ୍ୟତମ ଓପନର ହାରନୁର ସିଂହ ପ୍ରଦର୍ଶନ ମଧ୍ୟ ଭଲ ରହିଛି । ସେହିପରି ସ୍ପିନର ଭିକି ଓଷ୍ଟୱାଲ୍‌ଙ୍କ ପ୍ରଦର୍ଶନ ସମ୍ପ୍ରତ୍ତି ଚର୍ଚ୍ଚାର ବିଷୟ ପାଲଟିଛି । ସେ ୧୮ଟି ୱିକେଟ୍‌ ନେଇଥିବାବେଳେ ତାଙ୍କ ବୋଲିଂ ଇକୋନୋମି ୨.୯୫ ରହିଛି ।

ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ପାଇଁ ଭିକି ଘାତକ ସାବ୍ୟସ୍ତ ହୋଇପାରନ୍ତି । ଇଂଲଣ୍ଡ ଦଳର ପ୍ରଦର୍ଶନ ମଧ୍ୟ ବେଶ ଉଚ୍ଚକୋଟୀର ରହିଛି । ଦଳ କ୍ୱାର୍ଟରରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ଏବଂ ସେମିରେ ଆଫଗାନିସ୍ତାନକୁ ୧୫ ରନ୍‌ରେ (ଡି/ଏଲ୍‌)ରେ ହରାଇ ଦ୍ୱିତୀୟ ଥର ଫାଇନାଲ୍‌ରେ ପହଞ୍ଚିଛି । ୧୯୯୮ରେ ଇଂଲଣ୍ଡ ପ୍ରଥମ ଥର ଚାମ୍ପିଅନ୍‌ ହୋଇଥିଲା ।

ଶନିବାର ଦୁଇ ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍‌ ଟମ୍‌ ପ୍ରିଷ୍ଟ (୩୩୬ରନ୍‌), ୱିଲିୟମ୍‌ ଲକ୍ସଟନ (୩୦୨ରନ୍‌) ଏବଂ ପେସ୍‌ ବୋଲର ଜୋଶୁଆ ବୟଡେନ୍‌ (୧୮ୱିକେଟ୍‌) ଓ ସ୍ପିନର ରିହାନ ଅହମ୍ମଦ (୧୮ୱିକେଟ୍‌) ଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଖାସ୍‌କରି ରିହାନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି ।

ସମ୍ଭାବ୍ୟ ଏକାଦଶ
ଭାରତ: ଅଙ୍ଗକ୍ରିସ୍‌ ରଘୁବଂଶୀ, ହାରନୁର ସିଂହ, ଶୈଖ ରସିଦ, ୟଶ ଧୂଲ (ଅଧିନାୟକ), ରାଜବର୍ଦ୍ଧନ ହଙ୍ଗରେଗକର, ନିଶାନ୍ତ ସିନ୍ଧୁ, ଦିନେଶ ବାନା, କୁଶଲ ତାମ୍ବେ, ରାଜ ବାୱା, ଭିକି ଓଷ୍ଟୱାଲ, ରବି କୁମାର ।

ଇଂଲଣ୍ଡ: ଜର୍ଜ ଥୋମାସ, ଜାକବ ବିଥେଲ, ଟମ୍‌ ପ୍ରିଷ୍ଟ (ଅଧିନାୟକ), ଜେମ୍ସ ରିଉ, ୱିଲିୟମ୍‌ ଲକ୍ସଟନ, ଜର୍ଜ ବେଲ, ରିହାନ ଅହମ୍ମଦ, ଆଲେକ୍ସ ହର୍ଟନ, ଜେମ୍ସ ସେଲ୍ସ, ଥୋମାସ ଆସ୍ପିନୱାଲ୍‌, ଜୋଶୁଆ ବୟଡେନ୍‌ ।


Share It

Comments are closed.