ରାଜ୍ୟଗୋଷ୍ଠୀ କ୍ରୀଡ଼ା: ହକିରେ ଓଡ଼ିଶାକୁ ୨ ପଦକ, ଅମିତ ରୋହିଦାସ ଜିତିଲେ ସିଲିଭର ମେଡାଲ


ଓଡ଼ିଶାରୁ ୫ ଜଣ ଖେଳାଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅମିତ ରୋହିଦାସ ଓ ଦୀପଗ୍ରେସ ଏକ୍କା ପଦକ ଜିତିବାରେ ସଫଳ ହୋଇଛନ୍ତି । ଉଭୟ ପଦକ ହକିରେ ମିଳିଛି ।

ମହିଳା ହକିରେ ଭାରତ ଗତକାଲି ବ୍ରୋଞ୍ଜ ପଦକ ଜିତିଥିଲା । ଦୀପଗ୍ରେସ ଏକ ମାତ୍ର ଓଡ଼ିଆ ଭାବେ ମହିଳା ଦଳରେ ସ୍ଥାନ ପାଇଥିଲେ । ତାଙ୍କୁ ଉପ୍‌ ଅଧିନାୟିକା ଭାବେ ନିଯୁକ୍ତ କରାଯାଇଥିଲା । ସୋମାବର ପୁରୁଷ ହକିରେ ଭାରତ ରୌପ୍ୟ ଜିତିଛି । ଅମିତ ରୋହିଦାସ ଏହି ଦଳରେ ସାମିଲ ଥିଲେ ।

ଗତ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜେତା ଓଡ଼ିଆ କ୍ରୀଡ଼ାବିତଙ୍କୁ ୩ କୋଟି, ରୌପ୍ୟ ବିଜେତାଙ୍କୁ ୧.୫ କୋଟି ଏବଂ ବ୍ରୋଞ୍ଜ ପଦକ ବିଜେତାଙ୍କୁ ୭୫ ଲକ୍ଷ ଟଙ୍କା ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ସେମିତି କିଛି ପୁରସ୍କାର ରାଶି ସରକାର ଘୋଷଣା କରାଯାଇ ନଥିଲା ।

୨୦୧୮ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ଜିତିଥିଲା । ଏହି ଦଳରେ ଦୀପଗ୍ରେସ ଏକ୍କା, ଲିଳିମା ମିଞ୍ଜ, ସୁନିତା ଲାକ୍ରା ଓ ନମିତା ଟପ୍ପୋ ସାମିଲ ଥିଲେ । ସେମିତି ପୁରୁଷ ଦଳ ବ୍ରୋଞ୍ଜ ପାଇଥିଲା । ବିରେନ୍ଦ୍ର ଲାକ୍ରା ଓ ଅମିତ ଏହି ଦଳରେ ଥିଲେ । ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ଦଳ ରୌପ୍ୟ ପାଇଥିଲେ । ଏହି ଦଳରେ ଏକମାତ୍ର ଓଡ଼ିଆ ଭାବେ ବିରେନ୍ଦ୍ର ସ୍ଥାନ ପାଇଥିଲେ ।


Share It

Comments are closed.