ଆପଣଙ୍କ ଆୟୂଷକୁ ପ୍ରଭାବିତ କରିଥାଏ ଆପଣଙ୍କ ଖାଦ୍ୟଭ୍ୟାସ, ଜାଣନ୍ତୁ କିପରି?


ସମସ୍ତେ ଅଧିକ ଦିନ ବଞ୍ଚିବାକୁ ଚାହାଁନ୍ତି | ଏବଂ ଆମକୁ ପ୍ରାୟତଃ କୁହାଯାଏ ଯେ ଏହା କରିବା ପାଇଁ ଚାବି ହେଉଛି ସୁସ୍ଥ ଜୀବନଶୈଳୀ ପସନ୍ଦ କରିବା ଯେପରିକି ବ୍ୟାୟାମ, ଧୂମପାନରୁ ଦୂରେଇ ରହିବା ଏବଂ ଅତ୍ୟଧିକ ମଦ୍ୟପାନ ନକରିବା | ଅଧ୍ୟୟନରୁ ଏହା ମଧ୍ୟ ଦର୍ଶାଯାଇଛି ଯେ ଡାଏଟ୍ ଆୟୁଷ ବଢାଇପାରେ। ୱର୍ଲଡ ଲାଇଫ୍‌ ଏକ୍ସପେକ୍ଟାନ୍ସି ଅନୁସାରେ, ଭାରତରେ ପୁରୁଷଙ୍କ ହାରାହାରି ଆୟୁଷ ୬୯.୫ ବର୍ଷ ଏବଂ ମହିଳାଙ୍କର ୭୨.୨ ବର୍ଷ । ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ରୋଗ, ଷ୍ଟ୍ରୋକ୍‌, ମଧୁମେହ ସମେତ ପ୍ରାୟ ୫୦ ପ୍ରକାର ରୋଗ କମ୍‌ ବୟସରେ ମୃତ୍ୟୁର କାରଣ ହେଉଛି । ଉତ୍ତମ ଖାଦ୍ୟପେୟ ଅଭ୍ୟାସ ଦ୍ୱାରା ଆମ ଆୟୁଷ ବଢ଼ିପାରେ। ସେହିପରି ଅସ୍ୱାସ୍ଥ୍ୟକର ଖାଦ୍ୟ ଦ୍ୱାରା ଆୟୁଷ କମିପାରେ। ଏହି କ୍ରମରେ ମିଶିଗନ୍‌ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ କିଛି ଖାଦ୍ୟ ପଦାର୍ଥ ଓ ସ୍ୱାସ୍ଥ୍ୟ ଉପରେ ସେଗୁଡ଼ିକର ପ୍ରଭାବ ବିଷୟରେ ଜାଣିବାକୁ ଅଧ୍ୟୟନ କରିଥିଲେ।

ସେମାନେ ଜାଣିବାକୁ ପାଇଲେ, ଏମିତି କିଛି ଖାଦ୍ୟ ପଦାର୍ଥ ଅଛି। ଯାହା ମାତ୍ର ଥରେ ଖାଇବା ଦ୍ୱାରା ଆୟୁଷ କିଛି ମିନିଟ୍‌ ବଢ଼ିଥାଏ। ସେହିପରି ଏମିତି ଖାଦ୍ୟ ମଧ୍ୟ ଅଛି, ଯାହାକୁ ଥରେ ଖାଇଲେ ଆୟୁଷ କିଛି ମିନିଟ୍‌ କମିଯାଏ । ଉଦାହରଣ ସ୍ୱରୂପ- ଯଦି ଆପଣ ଥରେ ବାଦାମ ଜାତୀୟ ଖାଦ୍ୟ ଖାଆନ୍ତି, ତେବେ ଆପଣଙ୍କ ଆୟୁଷ ୨୬ ମିନିଟ୍‌ ବଢ଼ିପାରେ। କିନ୍ତୁ ଯଦି ଥରେ ହଟ୍‌-ଡଗ୍‌ ଖାଆନ୍ତି, ତେବେ ଜୀବନର ୩୬ ମିନିଟ୍‌ କମିଯିବ।

ସେହିପରି ପିନଟ୍‌ ବଟର୍‌ ଓ ଜାମ୍‌ ସ୍ୟାଣ୍ଡୱିଚ୍‌ ବ୍ୟକ୍ତିଙ୍କ ବୟସ ଅଧ ଘଣ୍ଟା ପର୍ଯ୍ୟନ୍ତ ବଢ଼ାଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ନେଚର୍‌ ଫୁଡ୍‌ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ବ୍ୟକ୍ତି ଜୀବନର ଉତ୍ତମ ଗୁଣବତ୍ତା ଉପରେ ଆଧାରିତ। ଏଥିରେ ବୈଜ୍ଞାନିକମାନେ ପ୍ରାୟ ୬ ହଜାର ଭିନ୍ନ ଭିନ୍ନ ଖାଦ୍ୟପେୟ (ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ପାନୀୟ)ର ଯାଞ୍ଚ୍‌ କରିଥିଲେ । ଅଧ୍ୟୟନ ଅନୁସାରେ, ବ୍ୟକ୍ତିର ଆୟୁଷ କମାଉଥିବା ଖାଦ୍ୟ ପଦାର୍ଥଗୁଡ଼ିକ ମଧ୍ୟରେ ପ୍ରକ୍ରିୟାକୃତ ମାଂସ (ଜୀବନର ୨୬ ମିନିଟ୍‌ କମାଏ), ଚିଜ୍‌ ବର୍ଗର୍‌ (୮.୮ ମିନିଟ୍‌ ଆୟୁଷ କମାଏ), ସଫ୍ଟ ଡ୍ରିଙ୍କ (ଜୀବନର ୧୨.୪ ମିନିଟ୍‌ କମାଏ), ପିଜ୍ଜା (୭.୮ ମିନିଟ୍‌ ଆୟୁଷ କମାଏ) ଆଦି ସାମିଲ । ଛୋଟଠୁ ଆରମ୍ଭ କରି ବଡ଼ମାନେ ପିଜ୍ଜା ଖାଇବାକୁ ପସନ୍ଦ କରୁଥିବାବେଳେ ଗବେଷଣାର ତଥ୍ୟ ଉପରେ ପୁନର୍ବିଚାରର ସମୟ ଆସିଛି ବୋଲି ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି।

ସେହିପରି ଆୟୁଷ ବଢ଼ାଉଥିବା ଖାଦ୍ୟ ମଧ୍ୟରେ ପିନଟ୍‌ ବଟର୍‌ ଓ ଜାମ୍‌ ସ୍ୟାଣ୍ଡୱିଚ୍‌ (୩୩.୧ ମିନିଟ୍‌ ଆୟୁଷ ବଢ଼ାଏ), ବେକ୍‌ଡ ସାଲମନ୍‌ ମାଛ (୧୩.୫ ମିନିଟ୍‌ ଆୟୁଷ ବଢ଼ାଏ), କଦଳୀ (୧୩.୫ ମିନିଟ୍‌), ଟମାଟୋ, (୩.୮ ମିନିଟ୍‌), ଆଭୋକାଡ଼ୋ (୧.୫ ମିନିଟ୍‌) ଆଦି ସାମିଲ। ବ୍ୟକ୍ତିର ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ଭୋଜନର ପ୍ରଭାବ ଦେଖିବା ଅଧ୍ୟୟନର ଉଦ୍ଦେଶ୍ୟ ଥିଲା।

ବୈଜ୍ଞାନିକମାନେ କହିଛନ୍ତି, ସାଲମନ୍‌ ମାଛରେ ଖୁବ୍‌ ଅଧିକ ପୋଷକ ତତ୍ତ୍ୱ ରହିଛି। ଯାହା ମାତ୍ର ଥରେ ଖାଇଲେ ଜୀବନର ୧୬ ମିନିଟ୍‌ ଆୟୁଷ ବଢ଼ିପାରେ । ଅଧ୍ୟୟନରେ ସାମିଲ ପ୍ରଫେସର ଓଲିଭିୟର ଚୋଲିୟଟ୍‌ କହନ୍ତି। ଅଧ୍ୟୟନରୁ ଯେଉଁ ନିଷ୍କର୍ଷ ସାମ୍ନାକୁ ଆସିଛି। ତାହା ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ।


Share It

Comments are closed.