ଅମ୍ଫାନ ସମୟରେ ଯୋଗଯୋଗକୁ ସୁଦୃଢ କରିଛି ଟେଲିକମ୍ ବିଭାଗ


ଭୁବନେଶ୍ୱର: ଅମ୍ଫାନ୍ ମହାବାତ୍ୟା ସମୟରେ ଯୋଗାଯୋଗ ନେଟ୍‌ୱର୍କରେ ହେବାକୁଥିବା ବିଭ୍ରାଟର ପରିଚାଳନା ଏବଂ ନେଟ୍‌ୱର୍କକୁ ପୁନଃ ସ୍ଥାପନ କରିବା ଲାଗି ଟେଲିକମ୍ ବିଭାଗ (ଡଟ୍‌) ପକ୍ଷରୁ ଏକ ଚବିଶ ଘଂଟିଆ କଂଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଥିଲା । ଟେଲିକମ୍ ସଚିବ ଅଂଶୁ ପ୍ରକାଶ କହିଛନ୍ତି ଯେ, ସ୍ଥାନୀୟ ଭାଷାରେ ଲୋକମାନଙ୍କୁ ଏସ୍‌ଏମ୍‌ଏସ୍ ଆଲର୍ଟ ପଠାଇବା ସହିତ ଏହି ପ୍ରାକୃତିକ ବିପତି ସମୟରେ ମୋବାଇଲ ଉପଭୋକ୍ତାମାନେ ନିଜ ଅଂଚଳରେ ଥିବା ଯେକୌଣସି ନେଟ୍‌ୱର୍କ ସହ ସ୍ୱୟଂଚାଳିତଭାବେ ଯେପରି ସଂଯୋଗ ହୋଇପାରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସୋମବାର ବଙ୍ଗୋପସାଗରରେ ମହାବାତ୍ୟାରେ ପରିଣତ ହୋଇଥିବା ଅମ୍ଫାନ, ବୁଧବାର ମଧ୍ୟାହ୍ନରେ ପଶ୍ଚିମବଙ୍ଗର ଦିଘା ଓ ବାଲାଂଦେଶର ହାତିଆ ମଧ୍ୟରେ ସ୍ଥଳ ଭାଗ ସ୍ପର୍ଶ କରିଥିଲା ।
ପ୍ରଭାବିତ ଅଂଚଳରେ ସରକାର ଟେଲିକମ୍ କଂପାନିଗୁଡ଼ିକ ଭିତରେ ରୋମିଂର ବ୍ୟବସ୍ଥା କରିଥିବାରୁ ବିନା କୌଣସି ଅତିରିକ୍ତ ଶୁଳ୍କରେ ଏହି ଅଂଚଳର ଗ୍ରାହକମାନେ ଉପଲବ୍ଧ ଥିବା ଟେଲିକମ୍ ନେଟ୍‌ୱର୍କ ସହିତ ଯୋଡ଼ି ହୋଇପାରିଛନ୍ତି । ହସ୍ପିଟାଲ ଓ ଜିଲ୍ଲା କର୍ତୃପକ୍ଷ ବ୍ୟବସ୍ଥା ଯଥା ରାଜସ୍ୱ ବିଭାଗ, ଜିଲ୍ଲାପାଳ, ପୋଲିସ, ଏସପିଙ୍କ ବ୍ରଡବ୍ୟାଣ୍ଡ୍ ସଂଯୋଗକୁ ଅଗ୍ରାଧିକାର ଭିତିରେ ମରାମତି କରାଯାଇଛି ଯାହାଦ୍ୱାରା ଯେଉଁମାନେ ପରିଚାଳନା କାର୍ଯ୍ୟର ନେତୃତ୍ୱ ନେଇଛନ୍ତି ସେମାନେ କନେକ୍ଟେଡ ରହିପାରିବେ । ଟେଲିକମ୍ ଟାୱାରଗୁଡ଼ିକୁ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ଜାରି ରଖିବା ଲାଗି ପ୍ରତି ଜିଲ୍ଲାରେ ଥିବା ଟାୱାରଗୁଡ଼ିକରେ ଥିବା ଜେନେରେଟରରେ ପର୍ଯ୍ୟାପ୍ତ ପରିମାଣର ଡିଜେଲ ବ୍ୟବସ୍ଥା କରାଯାଇଛି ।
ଅନେକ ଟାୱାରକୁ ବେସ୍ ଷ୍ଟେସନ କଂଟ୍ରୋଲର ସହ ଯୋଡ଼ାଯାଇଛି । ବେସ୍ ଷ୍ଟେସନ୍ କ୍ଷତିଗ୍ରସ୍ତ ହେଲେ ସମ୍ଭାବ୍ୟ କ୍ଷୟକ୍ଷତିକୁ ତୁରନ୍ତ ମରାମତି କରିବା ଲାଗି ସ୍ପେୟାର ପାର୍ଟସ୍ ଓ ଅପ୍ଟିକାଲ୍ ଫାଇବର୍ ଯୋଗାଡ଼ କରି ଟେଲିକମ୍ କଂପାନିଗୁଡ଼ିକ ରଖିଛନ୍ତିବୋଲି ଅଂଶୁ ପ୍ରକାଶ କରିଛନ୍ତି । ଶିଳ୍ପ ସଂଘ ସିଓଏଆଇର ନିର୍ଦେଶକ ରାଜନ ଏସ୍ ମାଥ୍ୟୁସ୍ କହିଛନ୍ତି ଯେ, “ଆମେ ଆଶା କରୁଛୁ ଯେ ଏହି ସମୟରେ ଟେଲିକମ୍ ନେଟୱର୍କ ଅବ୍ୟାହତ ରହିବ । କିନ୍ତୁ ଯଦି କିଛି କ୍ଷୟକ୍ଷତି ହେବ ତାହାକୁ ତୁରନ୍ତ ମରାମତି କରାଯିବ ବୋଲି ସେ କହିଛନ୍ତି ।”


Share It

Comments are closed.