ଉଦ୍ଧବଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ହେଉଛନ୍ତି ଦେବେନ୍ଦ୍ର ଫଡନବୀସ


ମହାରାଷ୍ଟ୍ର ମହାନାଟକରେ ଲାଗିରହିଥିବା ଘମାସନର ଅନ୍ତ କେବେ? ଗତ ଜୁନ ୨୦ ତାରିଖରୁ ମହାରାଷ୍ଟ୍ରରେ ଲାଗିରହିଥିବା ପଲିଟିକାଲ ଡ୍ରାମା ଶେଷରେ ଉଦ୍ଧବ ଠାକରେଙ୍କ ଚୌକି ନେଇଛି । ବୁଧବାର ରାତିରେ ନିଜ ସୋସିଆଲ ମିଡିଆ ପେଜରେ ଲାଇଭ୍‌ ଆସି ଇସ୍ତଫା ଘୋଷଣା କରିଥିଲେ ଠାକରେ। ଏହା ସହିତ ମହାରାଷ୍ଟ୍ର ମହାମେଣ୍ଟ ସରକାରର ପତ୍ତନ ଘଟିଥିଲା ।

ତେବେ ଉଦ୍ଧବଙ୍କ ଇସ୍ତଫା ପରେ ଏବେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶିବସେନାର ବିଦ୍ରୋହୀ ବିଧାୟକମାନେ ଏବେ ବିଜେପି ଆଡକୁ ଢଳିଥିବା ବେଳେ ବିଜେପି ଏବଂ ସିନ୍ଦେ ଗୋଷ୍ଠୀ ମେଣ୍ଟ ସରକାର ଗଠନ କରିବା ଏକ ପ୍ରକାର ସ୍ପଷ୍ଠ ହୋଇସାରିଛି । ଯାହା କେବଳ ଔପଚାରିକ ଘୋଷଣା ହିଁ ବାକି ଅଛି । କେବଳ ସିନ୍ଦେ ନୁହେଁ ଛୋଟ ଦଳ ଏବଂ କିଛି ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ଫଡନବୀସଙ୍କ ସହ ରହିଛି ।

ଉଦ୍ଧବ ଠାକରେ ମହାମେଣ୍ଟ ସରକାରର ପତ୍ତନ ପରେ ଏବେ ବିଜେପିର ପଲ୍ଲା ଭାରି ରହିଛି । ପୂର୍ବରୁ ଗତ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ବୃହତ ଦଳ ଭାବେ ଉଭା ହୋଇଥିଲା । କିନ୍ତୁ ୩ ପ୍ରମୁଖ ଦଳ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଥିଲା ।

ଏପରି ରହିଛି ସଂଖ୍ୟା ଖେଳ:

ଏବେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ବିଜେପି ସହିତ ସିନ୍ଦେ ଗୋଷ୍ଠୀ ମେଣ୍ଟ ହେଲେ ସଂଖ୍ୟା ଗରିଷ୍ଠତା ବିଜେପି ମେଣ୍ଟ ସହ ରହିବ । ଫଳରେ ସରକାର ଗଠନ କରିବା ରାସ୍ତା ସଫା ହୋଇଯିବ । ମହାରାଷ୍ଟ୍ରରେ ବିଜେପି ସିଟ୍‌ ସଂଖ୍ୟା ବର୍ତ୍ତମାନ ୧୦୬ ରହିଛି । ଏବେ ଏକନାଥ ସିନ୍ଦେଙ୍କ ସମର୍ଥିତ ୩୯ ଜଣ ବିଧାୟକଙ୍କ ସମେତ, ୧୩ ଜଣ ସ୍ୱାଧୀନ ବିଧାୟକ ଏବଂ ଛୋଟ ଦଳଙ୍କ ୧୦ ଜଣ ବିଧାୟକ ବିଜେପି ସହ ରହିଛନ୍ତି । ଏହି ଅଙ୍କକୁ ହିସାବକୁ ନେଲେ ଦେବେନ୍ଦ୍ର ଫଡନବୀସଙ୍କ ନେତୃତ୍ୱାଧୀନ ମେଣ୍ଟ ନିକଟରେ ମୋଟ ୧୬୮ ଆସନ ହୋଇଯିବ । ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୪୫ ଆବଶ୍ୟକ ଥିବାବେଳେ ଏହାଠାରୁ ଯଥେଷ୍ଟ ଅଧିକ ସିଟ୍‌ ଫଡନବୀସ ମେଣ୍ଟ ନିକଟରେ ରହିଛି । ତେଣୁ ସରକାର ଗଠନ କରିବା ପାଇଁ ରାସ୍ତା ସଫା ହୋଇଯାଇଛି ।

ଅନ୍ୟପଟେ ସିନ୍ଦେ ଗୋଷ୍ଠୀ ଅଲଗା ହୋଇଯିବା ଫଳରେ ଏବେ ମହାମେଣ୍ଟର ମେରୁଦଣ୍ଡ ଭାଙ୍ଗିଯାଇଛି । ମହାମେଣ୍ଟ ଏବେ ମାତ୍ର ୧୧୯ ସିଟରେ ସୀମିତ ରହିଛି । ଶରଦ ପାୱାରଙ୍କ ନ୍ୟାସନାଲ କନଫରେନ୍ସ ପାର୍ଟି (ଏନସିପି) ନିକଟରେ ପୂର୍ବବତ୍‌ ୫୩ ସିଟ୍‌ ରହିଥିବା ବେଳେ କଂଗ୍ରେସ ନିକଟରେ ୪୪ ଏବଂ ସିନ୍ଦେ ଗୋଷ୍ଠୀ ଅଲଗା ହୋଇଯିବା ପରେ ଶିବସେନା ନିକଟରେ ମାତ୍ର ୧୬ ଜଣ ବିଧାୟକ ହିଁ ରହିଛନ୍ତି । ଏହା ସହିତ ଛୋଟ ଦଳ ଏବଂ ସ୍ୱାଧୀନ ବିଧାୟକ ମିଶି ମାତ୍ର ୬ ଜଣଙ୍କ ସମର୍ଥନ ରହିଛି । ଏହି ପରି ଭାବେ ମୋଟ ୧୧୯ ସଦସ୍ୟଙ୍କ ସମର୍ଥନ ମେଣ୍ଟ ନିକଟରେ ରହିଛି । ଯାହାକି ମ୍ୟାଜିକ ନମ୍ବର ଠାରୁ ଢେର୍‌ କମ ।


Share It

Comments are closed.