ଆଜି ସରିବ ଐତିହାସିକ ବାଲିଯାତ୍ରା


ଆଜି ସରିବ ଐତିହାସିକ ବାଲିଯାତ୍ରା। ୧୦ ଦିନ ଧରି ଚାଲିଥିଲା ଯାହା ଗୁରୁବାର ବିଧିବଦ୍ଧ ଭାବେ ଏହି ଐତିହାସିକ ମେଳାର ଉଦ୍‌ଯାପନ ହେବ । କିଣାବିକା ଓ ମନୋରଞ୍ଜନର ଏହି ମହୋତ୍ସବ ସରିବାକୁ ଆଉ କିଛି ଘଣ୍ଟା ବାକି ଥିବା ବେଳେ ନବମ ଦିନରେ ବାଲିଯାତ୍ରାରେ ପ୍ରବଳ ଗହଳି ଜମିଛି । ପ୍ରାୟ ୭ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ମଉଜ ନେଇ ଫେରିଛନ୍ତି । ଶୀତୁଆ ସନ୍ଧ୍ୟାରେ ଗଡଗଡ଼ିଆ ପଠା ପୂରିଉଠିଛି । ରଙ୍ଗାରଙ୍ଗ ଆଲୋକମାଳା ଏବଂ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶକୁ ରଙ୍ଗିନ କରିଛି ।

ସକାଳୁ ପଥୋତ୍ସବରୁ ନବମ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସହରରେ ପଢୁଆଁ ଅଷ୍ଟମୀର ମାହୋଲ ଥିବା ବେଳେ ଗଡ଼ଗଡ଼ିଆ ଘାଟରୁ ଛୁଟି ଆସୁଥିଲା ଭଜନକୀର୍ତ୍ତନର ସୁମଧୁର ଧ୍ୱନି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀକୃଷ୍ଣ ଚୈତନ୍ୟ ମ୍ୟୁଜିକାଲ୍‌ ଗ୍ରୁପ୍‌ ଓ ସାହାଯ୍ୟ ଅନୁଷ୍ଠାନ ପକ୍ଷରୁ ଭଜନ ସମାରୋହ କରାଯାଇଥିଲା । ହଜାରହଜାର ଲୋକେ ଉପସ୍ଥିତ ରହି ଭଜନରେ ମୁଗ୍‌ଧ ହୋଇଥିଲେ । ଶେଷରେ ରତ୍ନାକର ତ୍ରିପାଠୀଙ୍କ ଦ୍ୱାରା ବାଦ୍ୟଯନ୍ତ୍ର ପରିବେଷଣ କରାଯାଇଥିଲା । ଅନ୍ୟପକ୍ଷରେ ଲୋକେ ଆଜି ମଧ୍ୟାହ୍ନରୁ ବାଲିଯାତ୍ରାକୁ ଗଡିଥିଲେ । ଦିନରୁ ବିଳମ୍ବିତ ରାତି ଯାଏ ମେଳା ପଡିଆରେ ପ୍ରବଳ ଜନଗହଳି ଲାଗିଥିଲା । ଛୁଟିଦିନ ଭଳି ଭିଡ଼ ଦେଖିବାକୁ ମିଳିଥିଲା । ଖାନାପିନା, କିଣାବିକା,ଦୋଳି, ଲେଜର୍‌ ଲାଇଟ୍‌ ସୋ’ ଏବଂ ଜଳକ୍ରୀଡ଼ାରେ ଲୋକଙ୍କ ସମୟ ବିତିଥିଲା । ଓରମାସ୍‌ରେ ମଧ୍ୟ ଲୋକଙ୍କ ଭିଡ଼ ଜବରଦସ୍ତ ରହିଥିଲା । ଗତକାଲି ୧୫ତାରିଖରେ ୨କୋଟି ୭୭ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ଓରମାସ୍‌ ପକ୍ଷରୁ ସୂଚନା ମିଳିଛି ।

ଏଥର ବାଲିଯାତ୍ରାରେ କଟକ ଇନ୍‌ କଟକ, ଜଳକ୍ରୀଡ଼ା, ବଲିଉଡ୍‌ ଷ୍ଟାର୍‌ ନାଇଟ୍‌ ଆୟୋଜନ କ୍ଷେତ୍ରରେ ପ୍ରଶାସନର ଭୂମିକାକୁ ଲୋକେ ପ୍ରଶଂସା କରିଛନ୍ତି । କିନ୍ତୁ କିଛି ନିର୍ଦ୍ଦିଷ୍ଟ ଘଟଣାରେ ପ୍ରଶାସନ ପଛରେ ପଡିଯାଇଛି । ଯେମିତିକି ବାଲିଯାତ୍ରା ଯେଉଁ ଗୌରବମୟ ଇତିହାସ ଉପରେ ଛିଡ଼ା ହୋଇଛି ତାକୁ ପ୍ରଶାସନ ଅଣଦେଖା କରିଛି । ଭାରତ-ଇଣ୍ଡୋନେସିଆ ସମ୍ପର୍କକୁ ନେଇ ପ୍ରଶାସନ ଏକ ସ୍ୱତନ୍ତ୍ର ପ୍ୟାଭଲିୟନ୍‌ କରିବ ବୋଲି ପୂର୍ବରୁ ଘୋଷଣା କରିଥିଲା ।

ଐତିହ୍ୟ ଦୃଷ୍ଟିରୁ ବାଲିଯାତ୍ରାରେ ଏହାର ଗୁରୁତ୍ୱ ଅଧିକ ରହିଥିବା ବେଳେ ପ୍ରଶାସନ ଭାରତ-ଇଣ୍ଡୋନେସିଆ ପ୍ୟାଭିଲିୟନ୍‌ କରିପାରିଲାନାହିଁ । ୨୦୧୯ ମସିହାରେ ଏକ ସ୍ୱତନ୍ତ୍ର ପ୍ୟାଭିଲିୟନ୍‌ କରାଯାଇଥିଲା । ଏଥର ବାଲିଯାତ୍ରା ଆସି ଅନେକ ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ସ୍ୱତନ୍ତ୍ର ଉପସ୍ଥାପନା କରିଛନ୍ତି । ତେଣୁ ଯଦି ଇଣ୍ଡୋନେସିଆ ପ୍ୟାଭିଲିୟନ୍‌ କରାଯାଇପାରିଥାନ୍ତା ତାହା ନିଶ୍ଚିତ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତା । ଏହାଛଡ଼ା ବାଲିଯାତ୍ରା ପଛରେ ଭାରତ-ଇଣ୍ଡୋନେସିଆ ମଧ୍ୟରେ ରହିଆସିଥିବା ବାଣିଜ୍ୟିକ ସମ୍ପର୍କକୁ ଏହି ପ୍ୟାଭିଲିୟନ୍‌ ମାଧ୍ୟମରେ ପ୍ରତିଷ୍ଠା କରାଯାଇପାରିଥାନ୍ତା ବୋଲି ମତପ୍ରକାଶ ପାଇଛି ।

 

 


Share It

Comments are closed.