ଟିଭିରେ ପ୍ରସାରିତ ହେବନି ଭାରତ-ନ୍ୟୁଜିଲାଣ୍ଡ ସିରିଜ୍, ଜାଣନ୍ତୁ କେଉଁଥିରେ ଦେଖିବେ ମ୍ୟାଚ


 ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ନିରାଶ ହେବାପରେ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍‌ ଇଣ୍ଡିଆ । ନଭେମ୍ବର ୧୮ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ । ବିଶ୍ବକପ ପରାଜୟକୁ ଭୁଲି ଦ୍ବିପାକ୍ଷିକ ସିରିଜ ଉପରେ ଫୋକସ୍‌ କରୁଛି ଭାରତୀୟ ଦଳ । ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଦଳ ଭଲ ପ୍ରଦର୍ଶନ କରିବା ନେଇ ଦୃଢ ଆଶାବାଦୀ ରହିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ମଧ୍ୟ ବିଶ୍ବକପ ସେମି ଫାଇନାଲରୁ ବିଦାୟ ନେଇଥିଲା ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ ଟିଭିରେ ପ୍ରସାରିତ ହେବନାହିଁ । ଦ୍ବିପାକ୍ଷିକ ସିରିଜର ପ୍ରସାରଣ କେବଳ ଆମାଜନ ପ୍ରାଇମ୍‌ ଆପ୍‌ ଏବଂ ଓ୍ବେବସାଇଟ୍‌ରେ ପ୍ରସାରିତ ହେବ । ସୋନି ଟିଭି କିମ୍ବା ଷ୍ଟାର ସ୍ପୋର୍ଟସ୍‌ ନିକଟରେ ମ୍ୟାଚ ପ୍ରସାରଣର ଅଧିକାର ନାହିଁ । ଅବଶ୍ୟ ଡିଡି ସ୍ପୋର୍ଟସ୍‌ରେ ମ୍ୟାଚ୍‌ ପ୍ରସାରଣ କରାଯିବ ।

ସିରିଜ କଥା କହିବାକୁ ଗଲେ, ଟିମ୍‌ ଇଣ୍ଡିଆର ବହୁ ବରିଷ୍ଠ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇଛି । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ବିରାଟ କୋହଲି, ଲୋକେସ ରାହୁଲ, ଦିନେଶ କାର୍ତ୍ତିକ, ରବିଚନ୍ଦ୍ରନ ଅଶ୍ବିନଙ୍କୁୁ ବିଶ୍ରାମ ଦିଆଯାଇଛି । ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ମଧ୍ୟ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇନାହାନ୍ତି । ତାଙ୍କ ସ୍ଥାନରେ ଭିଭିଏସ୍‌ ଲକ୍ଷ୍ମଣ ଟିମ୍‌ ଇଣ୍ଡିଆର କୋଚ୍‌ ରହିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଲେଖାଏଁ ଟ୍ବେଣ୍ଟି ଟ୍ବେଣ୍ଟି ଏବଂ ଦିନିକିଆ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ । ପ୍ରଥମ ଟି-୨୦ ନଭେମ୍ବର ୧୮ରେ ଓ୍ବେଲିଂଟନରେ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ ୨୦ ତାରିଖ ମାଉଣ୍ଟ ମାଉନଗନୁଇ ଏବଂ ତୃତୀୟ ମ୍ୟାଚ୍‌ ୨୨ତାରିଖରେ ନେପିୟରରେ ଖେଳାଯିବ । ସେହିଭଳି ଦିନିକିଆ ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୨୫ ତାରିଖରେ ଅକଲାଣ୍ଡରେ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ ୨୭ ତାରିଖ ହାମିଲଟନ୍‌ ଏବଂ ଅନ୍ତିମ ତଥା ତୃତୀୟ ଦିନିକିଆ ୩୦ ତାରିଖରେ କ୍ରିଷ୍ଟଚର୍ଚ୍ଚରେ ଖେଳାଯିବ ।

ଟି-୨୦ ସିରିଜ ପାଇଁ ଭାରତୀୟ ଦଳ: ହାର୍ଦ୍ଧିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ, ଇଶାନ କିଷନ, ଶୁଭମାନ ଗିଲ୍, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ଓ୍ବାଶିଂଟନ ସୁନ୍ଦର, ଯୁଜବେନ୍ଦ୍ର ଚହଲ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ ଏବଂ ଉମ୍ରାନ ମଲିକ

ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ: ଶିଖର ଧାଓ୍ବନ (ଅଧିନାୟକ), ଋଷଭ ପନ୍ତ, ଶୁଭମାନ ଗିଲ୍, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଶେହବାଜ ଅହମଦ, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଦୀପକ ଚହର, କୁଲଦୀପ ସେନ୍ ଏବଂ ଉମ୍ରାନ ମଲିକ


Share It

Comments are closed.