ଦିଲ୍ଲୀରୁ ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ, ଜନ ସମୁଦ୍ର ବିମାନବନ୍ଦର


ଦିଲ୍ଲୀରୁ ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ ଶୁଭେଚ୍ଛୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବିଜେଡିର ବହୁ ବରିଷ୍ଠ ନେତା ଓ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି । ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ସମାଗମ ଯୋଗୁ କମ୍ପୁଛି ରାଜରାସ୍ତା । ବିମାନବନ୍ଦରରୁ ନବୀନ ନିବାସ ଯାଏଁ ସବୁଠି ନେତା ଓ ଶୁଭେଚ୍ଛୁଙ୍କ ଗହଳି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ନୂଆଦିଲ୍ଲୀର ‘କ୍ୟାପିଟାଲ ଫାଉଣ୍ଡେସନ୍‌ ସୋସାଇଟି’ ପକ୍ଷରୁ ପ୍ରଦାନ କରାଯାଇଥିଲା । ୬ ଦିନିଆ ନୂଆଦିଲ୍ଲୀ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ଆଜି ଓଡ଼ିଶା ଫେରିଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିଛି । ପ୍ରାୟ ୫୦ ହଜାରରୁ ଅଧିକ ଲୋକ ସ୍ୱାଗତ ଉତ୍ସବରେ ସମାଗମ ହୋଇଥିବା ଅନୁମାନ କରାଯାଉଛି ।

କମିସନରେଟ ପୁଲିସ ପକ୍ଷରୁ ବିମାନବନ୍ଦର ସମେତ ସହରର ବିଭିନ୍ନ ଛକରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସାଧାରଣ ଯାତ୍ରୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ପୁଲିସ ଗୁରୁତ୍ବ ଦେଇଛି । ପୁଲିସ ପକ୍ଷରୁ ସହରରେ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସମେତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।


Share It

Comments are closed.