ପଦ୍ମପୁର ଉପନିର୍ବାଚନ : ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କଲା ବିଜେଡି


ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ବିଜେଡି ଦଳର ଅଙ୍କକଷା। ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କଲା ବିଜୁ ଜନତା ଦଳ। ବର୍ଷାଙ୍କୁ ପ୍ରାର୍ଥୀ କରି ବିଜେଡି ଅନୁକମ୍ପା ଭୋଟ୍ ହାତେଇବ ବୋଲି ଆକଳନ କରାଯାଉଛି। ତେବେ ବିଜେଡି ଆସନ୍ତା ୧୬ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବ ବୋଲି ସୂଚନା ମିଳିଛି। ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ବିଜେପି ନେତା ରମାରଞ୍ଜନ ବଳିୟାର ସିଂହଙ୍କ ପୁଅକୁ ବାହା ହୋଇଛନ୍ତି ବର୍ଷା।

ସୂଚନାନୁଯାୟୀ, ପଦ୍ମପୁର ନିର୍ବାଚନମଣ୍ଡଳୀ ଝାରବନ୍ଧ, ପାଇକମାଲ, ପଦ୍ମପୁର ବ୍ଲକର ୫୮ଟି ପଞ୍ଚାୟତ ଓ ପଦ୍ମପୁର ଏନଏସିକୁ ନେଇ ଗଠିତ । ଏଠାରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜୟ ରଂଜନ ସିଂହ ବରିହାଙ୍କର ଅକ୍ଟୋବର ୩ ତାରିଖରେ ପରଲୋକ ଘଟିଥିଲା। ଏହି ଆସନରେ ଆସନ୍ତା ଡିସେମ୍ଵର ୫ରେ ଉପନିର୍ବାଚନ ହେବାକୁ ଯାଉଛି। ସ୍ଵର୍ଗତ ବିଜୟ ରଂଜନ ସିଂହ ବରିହା ବିଂଝାଲ ସମ୍ପ୍ରଦାୟର ଥିଲେ । ତାଙ୍କ ପତ୍ନୀ ତିଳୋତ୍ତମା ଶବର ସମ୍ପ୍ରଦାୟର । ଏହି ଦୁଇ ଜାତି ବ୍ୟତୀତ ପଦ୍ମପୁରରେ କୁଲତା ସମାଜର ମଧ୍ୟ ଦବ୍‌ଦବା ରହିଛି । ତେଣୁ ଏହି ଜାତି ସମୀକରଣ ସହିତ ଅନୁକମ୍ପା ଭୋଟ୍‌କୁ ଦୃଷ୍ଟିରେ ରଖି ବିଜେଡ଼ି ପ୍ରାର୍ଥୀ ଚୟନ କରିଛି ବୋଲି କୁହାଯାଉଛି ।


Share It

Comments are closed.