ଆଇଆଇଟି ଭୁବନେଶ୍ୱର-ଡିଆରଡିଓ ସହବନ୍ଧନ କିକ୍-ଅଫ୍ ବୈଠକ ଆୟୋଜିତ


ସେଣ୍ଟର ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠାର ସମ୍ଭାବନା ସଂକ୍ରାନ୍ତରେ ଅନୁଶୀଳନ

ଭୁବନେଶ୍ୱର, ୭ ମଇ ୨୦୨୪: ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଭାରତୀୟ ପ୍ରଯୁକ୍ତିବିଦ୍ୟା  ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ମଧ୍ୟରେ ଗବେଷଣାମୂଳକ ସହବନ୍ଧନର  କିକ୍-ଅଫ୍ ବୈଠକ ୭ ମଇ ୨୦୨୪ ରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଗବେଷଣା ପ୍ରକଳ୍ପର ହସ୍ତାନ୍ତର ତଥା କିକ୍ ଅଫ୍ ସମାରୋହରେ ଡିଆରଡିଓର ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ସିଷ୍ଟମ (ଇସିଏସ) କ୍ଲଷ୍ଟରର ମହାନିର୍ଦ୍ଦେଶକ ଡକ୍ଟର ବିନୟ କେ. ଦାସଙ୍କ ସହ ସିଏଚଇଏସଏସ (CHESS), ଏଲଆରଡ଼ିଇ (LRDE), ଡିଇଏଏଲ (DEAL), ଡିଏଲଆରଏଲ (DLRL) ଏବଂ ଆଇଆରଡିଇ (IRDE) ଆଦି ଲ୍ୟାବର ନିର୍ଦ୍ଦେଶକବୃନ୍ଦ ତଥା ଡିଆରଡିଓର ବରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।
ଏହି ବୈଠକରେ ଡିଆରଡିଓର ଇସିଏସ କ୍ଲଷ୍ଟରରୁ ୯ଟି ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପ ହସ୍ତାନ୍ତର କରାଯାଇଥିଲା ଏବଂ ପରେ ଆଇଆଇଟି ଭୁବନେଶ୍ୱର ଅଧ୍ୟାପକବୃନ୍ଦ ତଥା ରିସର୍ଚ୍ଚ ସ୍କଲାରଙ୍କ ସହ ପାରସ୍ପରିକ ଆଲୋଚନାର ଅଧିବେଶନ କରାଯାଇଥିଲା। ଆଗକୁ ଆହୁରି ୧୮ କୋଟି ଟଙ୍କା ମୂଲ୍ୟର ୭ ଟି ପ୍ରକଳ୍ପ ମଞ୍ଜୁର କରିବାକୁ ପ୍ରକ୍ରିୟା ଚାଲିଛି। ଆଇଆଇଟି ଭୁବନେଶ୍ୱର ଅନୁମୋଦିତ ପ୍ରକଳ୍ପଗୁଡିକ ଉପରେ କାର୍ଯ୍ୟ କରିବ, ଯାହା ଇଲେକ୍ଟ୍ରୋନିକ୍ସ ଯୁଦ୍ଧ, କୃତ୍ରିମ ବୁଦ୍ଧିମତା (ଏଆଇ) ଚାଳିତ ନୀରିକ୍ଷଣ, ପାୱାର ସିଷ୍ଟମ, ରାଡାର ସିଷ୍ଟମ ଇତ୍ୟାଦିରେ ଲାଭଦାୟକ ହେବ।

ସ୍କୁଲ ଅଫ ଇଲେକ୍ଟ୍ରିକାଲ ସାଇନ୍ସେସର ମୁଖ୍ୟ ପ୍ରଫେସର ଏସ୍. ଆର. ସାମନ୍ତରାୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ସହ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ। ଆଇଆଇଟି ଭୁବନେଶ୍ୱର ଏବଂ ଡିଆରଡିଓ ମଧ୍ୟରେ ଏହି ସହବନ୍ଧନ ପ୍ରତିରକ୍ଷା ପ୍ରୟୋଗଗୁଡ଼ିକର ଉଦୀୟମାନ ଗବେଷଣା ଏବଂ ବିକାଶରେ  ସହାୟକ ହେବ, ଯାହା କି  ‘ଆତ୍ମ ନିର୍ଭର ଭାରତ’ ପାଇଁ ପ୍ଲାଟଫର୍ମ ସୃଷ୍ଟି କରିବ । ଏହି ପ୍ରକାର ସହଯୋଗ ପ୍ରତିରକ୍ଷା ଅନୁସନ୍ଧାନ କାର୍ଯ୍ୟକ୍ରମଗୁଡ଼ିକର ସ୍ଥାୟୀତ୍ୱକୁ ସମୃଦ୍ଧ କରିବା ସହ ରାଷ୍ଟ୍ର ନିର୍ମାଣ ପାଇଁ ଇକୋ-ସିଷ୍ଟମର ଏକ ଅଂଶ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଡକ୍ଟର ଦାସ କହିଛନ୍ତି: “ଡିଆରଡିଓର ଇସିଏସ୍ କ୍ଲଷ୍ଟର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଏହି ସହଯୋଗ, ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶର ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ।” ସେ କହିଛନ୍ତି ଯେ ଟେକ୍ନୋଲୋଜିରେ ସକ୍ଷମ ଏବଂ ଟ୍ରେଣ୍ଡ ସେଟର୍ ହେବା ପାଇଁ ଡିଆରଡିଓ ଏକ ରୂପାନ୍ତରଣ ଦେଇ ଗତି କରୁଛି। “ବର୍ତ୍ତମାନ ଲକ୍ଷ୍ୟ ହେଉଛି ଆତ୍ମନିର୍ଭରଶୀଳତା ଠାରୁ ଆଗକୁ ଯାଇ ଭାରତୀୟ ସଶସ୍ତ୍ର ବାହିନୀର ଉଚ୍ଚ ମାନଦଣ୍ଡ ସ୍ଥିର କରିବା, ଯାହାକି ବିଶ୍ଵସ୍ତରରେ ଅନୁକରଣୀୟ ହେବ। ଏହି ପରିପ୍ରେକ୍ଷୀରେ, ଏହି ସହଯୋଗ ଏବଂ ଆଇଆଇଟି ଭୁବନେଶ୍ୱରରେ ଏକ ସେଣ୍ଟର ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠା କରିବାର  ସମ୍ଭାବନା ଆଗାମୀ ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ ବୋଲି ସେ କହିଛନ୍ତି। ବିଭିନ୍ନ ଡିଆରଡିଓ ଅନୁମୋଦିତ ପ୍ରକଳ୍ପ ସହିତ ଜଡିତ ଗବେଷକ ଏବଂ ଅଧ୍ୟାପକବୃନ୍ଦଙ୍କୁ ପ୍ରକଳ୍ପରେ ନିୟମିତ ଭାବେ ଉପଯୁକ୍ତ ସମୀକ୍ଷା ଏବଂ ବିପଦ ପରିଚାଳନା ପ୍ରଣାଳୀ ସହିତ ବ୍ୟବସ୍ଥିତ ଭାବରେ କାର୍ଯ୍ୟ କରି ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାକୁ ଏବଂ ଅନନ୍ୟ ସମାଧାନ ବାହାର କରିବାକୁ ପରାମର୍ଶ ଦେଇଛନ୍ତି।

ଡିଆରଡିଓ ସହିତ ଏହି ସହବନ୍ଧନ ବିଷୟରେ ସୂଚନା ଦେଇ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ୍ କରମଲକର କହିଛନ୍ତି: “ସାରା ଦେଶରେ ଆଇଆଇଟି ଜ୍ଞାନ ସୃଜନ ଏବଂ ଜ୍ଞାନ ବିସ୍ତାର ଠାରୁ ଆଗକୁ ବଢ଼ି ଜ୍ଞାନ ପ୍ରୟୋଗ, ଷ୍ଟାର୍ଟ ଅପ୍ ଏବଂ ଉଦ୍ୟମିତା ବିକାଶ ଦ୍ୱାରା ସାଧନ ସୃଷ୍ଟି ଏବଂ ଗୁଣାତ୍ମକ ଶିକ୍ଷକ ସୃଷ୍ଟି କରିବାରେ ଅଗ୍ରଗତି କରିଛି। ଏଭଳି ପରିସ୍ଥିତିରେ ପ୍ରତିରକ୍ଷା ପ୍ରଣାଳୀ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣା ପାଇଁ ଡିଆରଡିଓ  ସହିତ ସହବନ୍ଧନ ଉତ୍କର୍ଷତା ପାଇଁ ନୂତନ ପଥ ପରିଷ୍କାର କରିବ। ” ଅଭିନବ ଚିନ୍ତାଧାରା ଆଣିବାରେ ରିସର୍ଚ୍ଚ ସ୍କଲାରଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି: “ଆମର ରିସର୍ଚ୍ଚ ସ୍କଲାରମାନେ ମହାନ ଗବେଷଣା କରିବା ଦିଗରେ ମେରୁଦଣ୍ଡ ସଦୃଶ ଅଟନ୍ତି। ସମାଜର ବିକାଶରେ ଯୋଗଦାନ ଏବଂ କିଛି ନୂତନ ଧାରଣା ସହିତ ଏକ ନୂତନ ପରିଚୟ  ସୃଷ୍ଟି କରିବା ପାଇଁ, ଏହି ଗବେଷକମାନେ କଠିନ ପରିଶ୍ରମ ଏବଂ ଉତ୍ସାହ ସହିତ କାର୍ଯ୍ୟ କରିବା ଉଚିତ୍, ପାଠ୍ୟ ପୁସ୍ତକ ବାହାରେ ବିସ୍ତୃତ ପଠନରେ ନିୟୋଜିତ ହୋଇ ନିଜର ବୈଷୟିକ ଦକ୍ଷତାର ବିକାଶ କରିବା ଉଚିତ୍ । ଜଣେ ଗବେଷକର ମୂଳ ପ୍ରୋତ୍ସାହନ ଅନ୍ତର୍ନିହିତ ହେବା ଉଚିତ, ଯାହା କିଦେଶର ଅନୁସନ୍ଧାନ ଇକୋସିଷ୍ଟମକୁ ସମୃଦ୍ଧ କରିବାରେ ସହାୟକ ହେବ।”
ପ୍ରଫେସର ଦିନକର ପାସଲା, ଡିନ୍- ପ୍ରାୟୋଜିତ ଅନୁସନ୍ଧାନ ଏବଂ ଶିଳ୍ପ ପରାମର୍ଶ (SRIC) ଅନୁସନ୍ଧାନ ସହଯୋଗ ପାଇଁ ଆଇଆଇଟି ଭୁବନେଶ୍ୱର ଉପରେ ବିଶ୍ୱାସ କରିଥିବାରୁ ଡିଆରଡିଓର ଇସିଏସ୍ କ୍ଲଷ୍ଟର ଧନ୍ୟବାଦ ଜଣାଇଥିଲେ ଏବଂ ପ୍ରତିରକ୍ଷା ଅନୁସନ୍ଧାନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ବୋଲି ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରି ଆସୋସିଏଟ ହେଡ୍, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଂଜିନିୟରିଂ ଡକ୍ଟର ବିଜୟ ଶଙ୍କର ପାସୁରେଡି, ଏକ ଧାରଣା ଏବଂ ଦର୍ଶନକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ ମାକ୍ରୋ ଏବଂ ମାଇକ୍ରୋ ସ୍ତର ଉପରେ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହା ଭବିଷ୍ୟତରେ ଏହି ପ୍ରକଳ୍ପଗୁଡିକର ସଫଳତା ନିର୍ଦ୍ଧାରଣ କରିବା ସହ ଉଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ଅବସରରେ, ଡିଆରଡିଓ ପକ୍ଷରୁ ଡକ୍ଟର ଜଗନ୍ନାଥ ନାୟକ, ନିର୍ଦ୍ଦେଶକ, ସେଣ୍ଟର ଫର୍ ହାଇ ଏନର୍ଜି ସିଷ୍ଟମ୍ସ ଆଣ୍ଡ୍ ସାଇନ୍ସେସ (CHESS); ଶ୍ରୀ ଏନ. ଶ୍ରୀନିବାସ ରାଓ, ନିର୍ଦ୍ଦେଶକ, ଡିଫେନ୍ସ ଇଲେକ୍ଟ୍ରୋନିକ୍ସ ରିସର୍ଚ୍ଚ୍ ଲାବୋରେଟୋରୀ (DLRL); ଶ୍ରୀ ଜି. ବିଶ୍ୱମ, ନିର୍ଦ୍ଦେଶକ, ଇଲେକ୍ଟ୍ରୋନିକ୍ସ ଏବଂ ରାଡାର ଡେଭେଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (LRDE); ଡକ୍ଟର ଅଜୟ କୁମାର, ନିର୍ଦ୍ଦେଶକ, ଇନଷ୍ଟ୍ରୁମେଣ୍ଟସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ  (IRDE) ଏବଂ ଶ୍ରୀ ଏଲ.ସି. ମଙ୍ଗଲ, ନିର୍ଦ୍ଦେଶକ, ଡିଫେନ୍ସ ଇଲେକ୍ଟ୍ରୋନିକ୍ସ ଆପ୍ଲିକେସନ ଲାବୋରେଟୋରୀ (DEAL) ପ୍ରମୁଖ ମଧ୍ୟ ବକ୍ତବ୍ୟ ରଖିଥିଲେ। ପ୍ରତିରକ୍ଷା କ୍ଷେତ୍ରରେ ଗବେଷଣା ପାଇଁ ଶିକ୍ଷା ଓ ବୈଷୟିକ ଶିକ୍ଷା ପ୍ରତିଷ୍ଠାନର ସହବନ୍ଧନ ତଥା ଏହି ଗବେଷଣାର ପ୍ରୟୋଗାତ୍ମକ ଭାବେ ଆଗକୁ ନେବା ପାଇଁ ଶିଳ୍ପାନୁଷ୍ଠାନ ପକ୍ଷରୁ ସହଯୋଗ ଉପରେ ଡିଆରଡିଓ ଗୁରୁତ୍ୱ ଆରୋପ କରୁଛି ବୋଲି ସେମାନେ  ଉଲ୍ଲେଖ କରିଥିଲେ। ଆନ୍ତର୍ଜାତୀୟ ସ୍ତରର ବୈଷୟିକ ଜ୍ଞାନକୌଶଳର ବିକାଶ ଏବଂ ଅତ୍ୟାଧୁନିକ ପ୍ରକଳ୍ପର ବିକାଶ ଦିଗରେ କାର୍ଯ୍ୟ କରିବା, ଶିକ୍ଷାନୁଷ୍ଠାନ ସହ ସହଭାଗିତାର ମୂଳ ଲକ୍ଷ୍ୟ ବୋଲି ସେମାନେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଆଇଆଇଟି ଭୁବନେଶ୍ୱରର କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ଡାକ୍ତର ଡି.ପି. ଡୋଗ୍ରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।


Share It

Comments are closed.