କରୋନା ଭାଇରସ ପାଇଁ ଚଳିତ ବର୍ଷ ୧୫ ଦିନ ପାଇଁ ହୋଇପାରେ ଅମରନାଥ ଯାତ୍ରା


ମହାମାରୀ କରୋନା ଭାଇରସ ପ୍ରଭାବ ଚଳିତ ବର୍ଷ ଅମରନାଥ ଯାତ୍ରା ଉପରେ ପଡିବାକୁ ଯାଉଛି । ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ଅମରନାଥ ଯାତ୍ରା ପାଇଁ ସମୟସୀମା ୧୫ ଦିନ ପାଇଁ ହୋଇପାରେ । ବାବା ବର୍ଫାନୀଙ୍କ ଗୁମ୍ଫା ଦକ୍ଷିଣ କାଶ୍ମୀରରେ ୩,୮୮୦ କିମି ଉଚ୍ଚତାରେ ରହିଛି । ମିଳିଥିବା ସୂଚନା ମୁତାବକ, ଚଳିତ ବର୍ଷ ଯାତ୍ରା ବାଲଟାଲ ମାର୍ଗରୁ ହିଁ ହେବ, ଯାହାକି ଅପେକ୍ଷାକୃତ ଛୋଟ ମାର୍ଗ ଅଟେ । ଅମରନାଥଙ୍କ ଗୁମ୍ଫାରେ ପହଞ୍ଚିବା ପାଇଁ ୨ ମାର୍ଗ ରହିଛି । ଗୋଟିଏ ବାଲଟାଲ, ଅନ୍ୟଟି ପେହଲଗାମ ଦେଇ ।
ସୂତ୍ର ଅନୁଯାୟୀ, ଗୁରୁବାର ଦିନ ଜମ୍ମୁ କାଶ୍ମୀରର ଏଲଜି ଜିସି ମୁର୍ମି ଦ୍ୱାରା ଆୟୋଜିତ ଏକ ବୈଠକରେ ଏହି ସଂପର୍କରେ ନିଷ୍ପତି ନିଆଯାଇଛି । ଏହି ବୈଠକରେ ମୁଖ୍ୟ ସଚିବ ବିଭିଆର ସୁବ୍ରମଣୀୟମ, ଏଲଜିର ପ୍ରିନ୍ସିପାଲ ସେକ୍ରେଟାରୀ ବିପୁଲ ପାଠକ ଏବଂ ଡିଜିପି ଦିଲବାଗ ସିଂହ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉକି, ବାଲଟାଲ ଡେପୁଟି କମିଶନରଙ୍କୁ ଟ୍ରାକ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଫେବୃଆରୀରେ ସରକାର ଚଳିତ ବର୍ଷ ଏହି ବାର୍ଷିକ ତୀର୍ଥଯାତ୍ରା ପାଇଁ ୪୨ ଦିନିଆ ସମୟ ଧାର୍ଯ୍ୟ କରିବାକୁ ନିଷ୍ପତି ନେଇଥିଲେ ।
୨୩ ଜୁନରୁ ପେହଲଗାମ ଏବଂ ବାଲଟାଲରୁ ଅମରନାଥ ଯାତ୍ରା ପାଇଁ ପ୍ରସ୍ତାବ ଥିଲା । ଯାତ୍ରା ଶ୍ରାବଣ ପୂର୍ଣ୍ଣମା, ରକ୍ଷାବନ୍ଧନ ଦିନ ଶେଷ ହେବାର ଥିଲା । ଗତ ବର୍ଷ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ଆତଙ୍କବାଦୀ ଆକ୍ରମଣର ଗୁଇନ୍ଦା ସୂଚନା ମିଳିବା ପରେ ଅମରନାଥ ଯାତ୍ରା ବନ୍ଦ କରାଇ ଦିଆଯାଇଥିଲା ।


Share It

Comments are closed.