ପୁଣି ଜଣେ ରୋଗୀଙ୍କୁ ରକ୍ତ ଦାନ କରି ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ନୀକଟରେ କଳାହାଣ୍ଡୀ ଜିଲ୍ଲାରେ ରକ୍ତହୀନତାରେ ପୀଡ଼ିତ ଜଣେ ମହିଳାଙ୍କୁ ରକ୍ତ ଦାନ କରି ତାଙ୍କ ଜୀବନ ରକ୍ଷା କରିଥିବାରୁ ଅନେକ ପ୍ରଶଂସା ସାଉଁଟିଥିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ବର୍ତମାନ ସମାନ ଧରଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଘଟଣାନୁଯାୟୀ ରକ୍ତହୀନତାରେ ପୀଡ଼ିତ ଥିବା ମାନସୀ ଦଳାଇ ନାମ୍ନୀ(୨୯ବର୍ଷ) ଜଣେ ମହିଳା ଏମ୍‌ସ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ ଏବଂ ତାଙ୍କୁ ତୁରନ୍ତ ରକ୍ତ ଆବଶ୍ୟକ ଥିଲା । ଏହି ସମୟରେ ପୁରୀ ଜିଲ୍ଲା ରେବଣାନୂଆଗାଁ ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ ଡ୍ରାଇଭର ଶ୍ରବଣ କୁମାର ବେହେରା ଜଣେ ରୋଗୀଙ୍କୁ ଆଣି ଏମ୍‌ସ ହସ୍ପିଟାଲରେ ଛାଡ଼ି ଯିବା ସମୟରେ ମାନସୀ ଦଳାଇଙ୍କ ଦେଖାଶୁଣା କରୁଥିବା ଜଣେ ବ୍ୟକ୍ତି ତାଙ୍କୁ ରକ୍ତ ଦାନ କରିବା ପାଇଁ ଅନୁରୋଧ କରିଥିଲେ । ଯାହାପରେ ବିନା କୌଣସି ଦ୍ୱିଧାରେ ଆମ୍ବୁଲାନ୍ସ କର୍ମଚାରୀ ଶ୍ରବଣ କୁମାର ତୁରନ୍ତ ଯାଇ ପୀଡ଼ିତାଜଣଙ୍କୁ ରକ୍ତ ଦାନ କରିଛନ୍ତି । ତାଙ୍କର ଏହି ମାନବିକତା ପାଇଁ ରୋଗୀ ଜଣଙ୍କ ଆଜି ଏକ ନୂଆ ଜୀବନ ପାଇଛନ୍ତି । ବାସ୍ତବରେ ତାଙ୍କର ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି । ତେବେ କେବଳ ଏହି ଗୋଟିଏ ଘଟଣାରେ ନୁହେଁ ବରଂ ଏଭଳି ଅନେକ ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ କର୍ତବ୍ୟ ପ୍ରତି ନିଜର ନିଷ୍ଠା ଦେଖାଇଛନ୍ତି ଏବଂ ନିଜ କର୍ତବ୍ୟ ପରିସରରୁ ବାହାରି ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ।


Share It

Comments are closed.