ହାତ ଯୋଡ଼ି କ୍ଷମା ପ୍ରାର୍ଥନା କଲେ ‘ଆଦିପୁରୁଷ’ର ଡାଇଲଗ୍ ରାଇଟର୍ : ହେଲେ କାହିଁକି?


ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେବା ସହ ବିବାଦୀୟ ହେବାରେ ଲାଗିଛି। ଫିଲ୍ମର ଡାଏଲଗକୁ ଦର୍ଶକ ସମ୍ପୂର୍ଣ୍ଣ ରିଜେକ୍ଟ କରିଛନ୍ତି । ଏହି ଡାଏଲଗକୁ ତୀବ୍ର ସମାଲୋଚନା କରାଯାଇଛି ଏବଂ ସୋସିଆଲ ମିଡିଆରେ ଲୋକମାନେ ଚଳଚ୍ଚିତ୍ରର ଡାଏଲଗକୁ ରାଇଟର ମନୋଜ ମୁନ୍ତାଶୀରଙ୍କୁ ଟ୍ରୋଲ ମଧ୍ୟ କରିଥିଲେ । ଟ୍ରୋଲିଂ ପରେ ଏବେ ମନୋଜ ମୁନ୍ତାଶୀର ହାତ ଯୋଡି କ୍ଷମା ମାଗିଛନ୍ତି । ଶ୍ରୀରାମଙ୍କ ପ୍ରଶଂସକ, ସାଧୁ ଓ ଭକ୍ତଙ୍କ ଭାବନାକୁ ଆଘାତ ଦେଇଥିବାରୁ ସେ ଟୁଇଟ୍ କରି କ୍ଷମା ପ୍ରାର୍ଥନା କରିଛନ୍ତି। ଟୁଇଟ୍ ରେ କ’ଣ ଲେଖିଛନ୍ତି ଲେଖକ ? ଆସନ୍ତୁ ଜାଣିବା।

ଟ୍ୱିଟ୍ କରି ମୁନ୍ତସିର ଲେଖିଛନ୍ତି ଯେ, ‘ ସାଧୁ ସନ୍ଥ ଓ ଶ୍ରୀରାମଙ୍କ ଭକ୍ତଙ୍କ ଭାବନାକୁ ଆଘାତ କରିଥିବାରୁ ସେ କ୍ଷମା ମାଗୁଛନ୍ତି । ମୁଁ ସ୍ୱୀକାର କରୁଛି ଯେ ଫିଲ୍ମ ଆଦିପୁରୁଷ ଜନସାଧାରଣଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ତେଣୁ ସବୁ ବଡ ଭାଇ ଭଉଣୀ, ପୂଜ୍ୟ ସାଧୁସନ୍ଥ ଓ ଶ୍ରୀରାମଙ୍କ ଭକ୍ତଙ୍କୁ ହାତ ଯୋଡି ବିନା ସର୍ତ୍ତରେ କ୍ଷମା ମାଗୁଛନ୍ତି । ଭଗବାନ ବଜରାଙ୍ଗବାଲି ସମସ୍ତଙ୍କ ଉପରେ କୃପା କରନ୍ତୁ । ଏବଂ ଆଗକୁ ଧୈର୍ଯ୍ୟର ସହ ନବିତ୍ର ସନାତନ ଓ ମହାନ ଦେଶର ସେବା କରିବାକୁ ସକ୍ଷମ ହୋଇପାରୁ’ ।

ଏହା ପୂର୍ବରୁ ମଧ୍ୟ, ଫିଲ୍ମରେ ଥିବା ବିବାଦୀୟ ଡାଇଲଗ୍ ବଦଳିବ ବୋଲି ସେ ଟ୍ବିଟ୍ କରି ସୂଚନା ଦେଇଥିଲେ । ସଂଳାପ ଲେଖକ ମନୋଜ ମୁନ୍ତସିର ଟ୍ବିଟରେ ଲେଖିଥିଲେ ଯେ,୩ ଘଣ୍ଟାର ଫିଲ୍ମରେ ୩ ମିନିଟ୍ ର କିଛି ଲୋକଙ୍କ କଳ୍ପନା ବାହାରେ ଡାଇଲଗ୍ ଲେଖିଦେଇଥିବି । କିନ୍ତୁ ସେଥିପାଇଁ ମୋତେ ସନାତନ ବିରୋଧୀ କାହିଁକି କୁହାଯାଉଛି । ମୁଁ ପ୍ରଭୁ ଶ୍ରୀରାମଙ୍କ ପାଇଁ ‘ଜୟ ଶ୍ରୀରାମ’, ‘ଶିବୋହମ’, ‘ରାମ ସିୟା ରାମ’ ମଧ୍ୟ ଲେଖିଛି କିନ୍ତୁ ସେଥିପ୍ରତି କାହାର ଧ୍ୟାନ ନାହିଁ ।

ତେବେ ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି । ଯେଉଁଥିରେ ଫିଲ୍ମର ଅନେକ ସିନ୍, ଡାଇଲଗ୍ ଓ ଚରିତ୍ରକୁ ହଟାଇବା ଲାଗି ଦାବି କରାଯାଇଛି । ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଆବେଦନ ପରେ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଏହାକୁ ବ୍ୟାନ୍ କରିବା ପାଇଁ ଦାବି କରାଯାଉଛି ।

କିଛି ଡାଇଲଗ୍, ମାତା ସୀତାଙ୍କୁ ଭାରତର ଝିଅ ଭାବେ ବର୍ଣ୍ଣନା କରିବା, ନେଗେଟିଭ୍ ରିଭ୍ୟୁ ଡିଲିଟ୍ ପାଇଁ ଟଙ୍କା ଅଫର୍ କରାଯାଉଥିବା ଭଳି କିଛି ଘଟଣାକୁ ନେଇ ବିବାଦ ଥମିବାର ନାଁ ନେଉନି ।

ପ୍ରଭାସ ଓ କ୍ରିତି ସାନନ୍ ଙ୍କ ଅଭିନୀତ ‘ଆଦିପୁରୁଷ’ ଜୁନ୍ ୧୬ରେ ରିଲିଜ୍ ହୋଇଥିଲା । ପ୍ରଥମ ଦିନରେ ୧୪୦ କୋଟି ଟଙ୍କା ଇନକମ୍ କରିଥିଲା । ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ରିଲିଜ୍ ହୋଇଥିଲା ବାହୁବଳୀ ଫେମ୍ ପ୍ରଭାସଙ୍କ ‘ଆଦିପୁରୁଷ’।


Share It

Comments are closed.