ଆଜି ଶ୍ରୀଲଙ୍କାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ବୁରେଭୀ’


ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଇଛି। ଏହାକୁ ‘ବୁରେଭୀ’ ନାମରେ ନାମିତ କରାଯାଇଛି। ଆଜି ରାତିରେ ଏହି ବାତ୍ୟା ଶ୍ରୀଲଙ୍ଗା ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ‘ବୁରେଭୀ’ ଶ୍ରୀଲଙ୍କାର ତ୍ରିଙ୍କୋମାଲୀରେ ସ୍ଥଳଭାଗ ଛୁଇଁବା ପରେ ତାମିଲନାଡୁରେ ପହଞ୍ଚିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ‘ବୁରେଭୀ’ ଗଲ୍‌ଫ ଅଫ୍‌ ମନ୍ନାର ଏବଂ ତାମିଲନାଡୁର କନ୍ୟାକୁମାରୀ ଆଖପାଖରେ ତାଣ୍ଡବ ରଚିବାର ଆଶଙ୍କା ରହିଛି। ବାତ୍ୟା ଦକ୍ଷିଣ-ପଶ୍ଚିମ ଦିଗକୁ ଅଗ୍ରସର ହେବା ସହିତ ଡିସେମ୍ବର ୪ ସକାଳେ କନ୍ୟାକୁମାରୀ ଓ ପମ୍ବନ ମଧ୍ୟଭାଗ ଦେଇ ଦକ୍ଷିଣ ତାମିଲନାଡୁ ଉପକୂଳରେ ଅତିକ୍ରମ କରିବ।ବାତ୍ୟା ପ୍ରଭାବରେ ତାମିଲନାଡୁ ଏବଂ ଦକ୍ଷିଣ କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅନୁମାନ କରିଛି। ସତର୍କତା ଦୃଷ୍ଟିରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।ବାତ୍ୟାର ବିପଦକୁ ଦୃଷ୍ଟିରେ ରଖି ତାମିଲନାଡୁ, କନ୍ୟାକୁମାରୀ ଏବଂ କେରଳର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏନଡିଆରଏଫ ଟିମ୍‌କୁ ସଜାଗ ରଖାଯାଇଛି। ଦକ୍ଷିଣ-ଉତ୍ତର ତାମିଲନାଡୁ, ପୁଡୁଚେରୀ, କଡାଇକଲ, ଦକ୍ଷିଣ-ଉତ୍ତର କେରଳ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଲାକ୍ଷାଦ୍ୱୀପର କିଛି ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

କେରଳରେ ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୪ଟି ଜିଲାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏସବୁ ଜିଲାଗୁଡ଼ିକ ମଧ୍ୟରେ ଥିରୁଭାନନ୍ତପୂରମ, କୋଲ୍ଲମ, ପଥନମଥିଟ୍ଟା ଏବଂ ଅଲପ୍ପୁଝା ଆଦି ରହିଛି। ଅନ୍ୟପଟେ କୋଟ୍ଟାୟମ, ଏର୍ନାକୁଲମ ଏବଂ ଇଡ୍ଡୁକୀ ଜିଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।


Share It

Comments are closed.