ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ବରଗଡ଼/ ନୂଆପଡ଼ା : ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ପୁଣି ନିଜର ମାନବିକତା ଦେଖାଇଛନ୍ତି । ଘଟଣାନୁଯାୟୀ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲଗ ଅନ୍ତର୍ଗତ ବରିହାଫୁଲପାଣି ଗ୍ରାମର ଉପନିଧି ଦଣ୍ଡସେନା ନାମକ ଜଣେ ବ୍ୟକ୍ତି ସିକଲସେଲ ରୋଗରେ ପୀଡ଼ିତ ହୋଇ ଉପଖଣ୍ଡ ଚିକିତ୍ସାଳୟ ପଦ୍ମପୁରରେ ଚିକିତ୍ସାଧୀନ ଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଡାକ୍ତର ତୁରନ୍ତ ବି’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ପରାମର୍ଶ ଦେଇଥିଲେ । ମାତ୍ର ଏହି ସମୟରେ ଡାକ୍ତରଖାନା ବ୍ଲଡବ୍ୟାଙ୍କରେ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିବା କାରଣରୁ ବ୍ୟସ୍ତ ହୋଇପଡ଼ିଥିଲେ ରୋଗୀଙ୍କ ସମ୍ପର୍କୀୟ । ସଠିକ ସମୟରେ ୧୦୮ ଆମ୍ବୁଲାନ୍ସର ଇଏମଟି ଅମନ ନାୟକ ଉକ୍ତ ରୋଗୀଙ୍କ ରକ୍ତର ଆବଶ୍ୟକତା ସମ୍ପର୍କରେ ଜାଣିବାକୁ ପାଇଲେ । ସୌଭାଗ୍ୟବଶତଃ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ବି’ପଜିଟିଭ ଥିଲା । ତେଣୁ ଆଉ ବିଳମ୍ବ ନକରି ସେ ତୁରନ୍ତ ଆଗେଇ ଆସି ରକ୍ତଦାନ କରିଥିଲେ । ସେହିଭଳି ସମାନ ଡାକ୍ତରଖାନାରେ ପଦ୍ମପୁର ଥାନା ଅଧିନସ୍ଥ ଡାଙ୍ଗଛଚା ଗ୍ରାମର ଦଃୁଖିଶ୍ୟାମ ସେଠ ନାମକ ଜଣେ ବ୍ୟକ୍ତି ରକ୍ତହୀନତାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ଡାକ୍ତର ତୁରନ୍ତ ବି’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସଠିକ ସମୟରେ ରକ୍ତ ଯୋଗାଡ଼ ହୋଇପାରିନଥିବା ଏହି ରୋଗୀଙ୍କ ପାଇଁ ଦେବଦୂତ ସାଜିଥିଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସରୋଜ କାରେ । ସେ ଯେତେବେଳେ ଏହି ରୋଗୀଙ୍କ ସମ୍ପର୍କରେ ଜାଣିବାକୁ ପାଇଲେ ତୁରନ୍ତ ରକ୍ତ ଦାନ କରିବା ପାଇଁ ଆଗେଇ ଆସିଥିଲେ ଏବଂ ରକ୍ତଦାନ କରିଥିଲେ ।
ସେହିଭଳି ପଦ୍ମପୁର ଡାକ୍ତରଖାନାରେ ଗୁରୁତର ରକ୍ତହୀନତାରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିବା ଅନ୍ୟ ଜଣେ ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ ଇଏମଟି ସୁଶୋଭନ ପାଣିଗ୍ରାହୀ । ସୂଚନାନୁଯାୟୀ ରୋଗୀଜଣଙ୍କ ହେଉଛନ୍ତି ଅଳିତା ବରିହା(୫୦ବର୍ଷ) ଏବଂ ତାଙ୍କୁ ତୁରନ୍ତ ଏ’ପଜିଟିଭ ବ୍ଲଡଗ୍ରୁପର ରକ୍ତର ଆବଶ୍ୟକତା ରହିଥିଲା । ଯାହା ସମ୍ପର୍କରେ ଖବର ପାଇବା ପରେ ଆଗେଇ ଆସିଥିଲେ ଆମ୍ବୁଲାନ୍ସ କର୍ମଚାରୀ ସୁଶୋଭନ ଏବଂ ରକ୍ତଦାନ କରି ରୋଗୀଙ୍କ ଜୀବନ ବଂଚାଇଥିଲେ । ସମାନ ରୂପେ ଆଉ ଏକ ଘଟଣାରେ ନୂଆପଡ଼ା ଜିଲ୍ଲା ଭେଲା ଗ୍ରାମର ନିବାସୀ କୋକିଳା ସଗ୍ରିଆ ନାମକ ଜଣେ ଯୁବତୀ(୨୬ବର୍ଷ) ରକ୍ତହୀନତାରେ ପୀଡ଼ିତ ହୋଇ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ଓ’ପଜିଟିଭ ବ୍ଲଡଗ୍ରୁପର ରକ୍ତର ଆବଶ୍ୟକ ଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସ ଇଏମଟି ରୁପେଶ ମାଝୀ ଉକ୍ତ ରୋଗୀଙ୍କର ରକ୍ତର ଆବଶ୍ୟକତା ସମ୍ପର୍କରେ ଜାଣିବା ପରେ ତୁରନ୍ତ ରକ୍ତଦେବା ପାଇଁ ଆଗେଇ ଆସିଥିଲେ ଏବଂ ରକ୍ତଦାନ କଲେ । ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏଭଳି ମାନବିକତା ସେହି ରୋଗୀମାନଙ୍କ ପାଇଁ ନିଶ୍ଚିତ ରୂପେ ବରଦାନ ପାଲଟିଛି ।


Share It

Comments are closed.