ବିରଳ ମହାଜାଗତିକ ସଂଯୋଗ: ଗୋଟିଏ ରେଖାରେ ଅବସ୍ଥାନ କଲେ ୫ ଗ୍ରହ, ଖାଲି ଆଖିରେ ହେଲା ଦୃଶ୍ୟମାନ


ବ୍ରହ୍ମାଣ୍ଡରେ ଅନେକ ଅବିଶ୍ୱସନୀୟ, ଆଶ୍ଚର୍ଯ୍ୟଜନକ ତଥା ରହସ୍ୟମୟୀ ଘଟଣା ଘଟୁଛି । ପୃଥିବୀ ଆକାଶରେ ଏବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି । କୋଟି କୋଟି କିଲୋମିଟର ଦୂରରେ ପୃଥକ ଅବସ୍ଥାନ କରୁଥିବା ଆମ ସୌରମଣ୍ଡଳର ୫ଟି ଗ୍ରହ ଏବେ ପୃଥିବୀ ଆକାଶରେ ଏକସଙ୍ଗେ ନଜର ଆସିଛନ୍ତି । ସୌରମଣ୍ଡଳର ଏହି ପ୍ରମୁଖ ୫ଟି ଗ୍ରହ ଗୋଟିଏ ରେଖାରେ ଅବସ୍ଥାନ କରିଛନ୍ତି । ଖାଲି ଆଖିରେ ଦୃଶ୍ୟମାନ ହେଉଥିବା ଏହି ଘଟଣା ଏକ ବିରଳ ମହାଜାଗତିକ ସଂଯୋଗ ।

ଭୋର ସମୟରେ ସ୍ୱଚ୍ଛ ଆକାଶରେ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଗ୍ରହକୁ ଖାଲି ଆଖିରେ ଗୋଟିଏ ଧାଡ଼ିରେ ଦେଖିବାର ସୁଯୋଗ ମିଳିଛି । ସୂର୍ଯ୍ୟର ଉଜ୍ଜ୍ୱଳ ଆଲୋକ ଦ୍ୱାରା ସର୍ବଦା ଲୁଚି ରହୁଥିବା ବୁଧକୁ ଦେଖିବାର ଏହା ଥିଲା ଏକ ବିଶେଷ ସୁଯୋଗ । ଗତ ଶୁକ୍ରବାର ସକାଳେ ଏହି ସଂଯୋଗ ଉଜ୍ଜ୍ୱଳମୟ ଥିଲା । ତେବେ ସୋମବାର ଅର୍ଥାତ ଗତକାଲି ପର୍ଯ୍ୟନ୍ତ ବିଶ୍ୱର ଅଧିକାଂଶ ସ୍ଥାନରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ସଂଯୋଗ ଶେଷ ଥର ୨୦୦୪ ମସିହାରେ ଘଟିଥିଲା । ଖାସ୍‌ କଥା ହେଉଛି ୨୦୪୦ ପର୍ଯ୍ୟନ୍ତ ଏହି ଦୃଶ୍ୟ ଆଉ ଦେଖିବାକୁ ମିଳିବ ନାହିଁ । ଏହି ସଂଯୋଗରେ ଗ୍ରହମାନେ ଭୂଲମ୍ବ ନିକଟରୁ ମୋତିର ମାଳା ଭଳି ପ୍ରସାରିତ ହୋଇଥାନ୍ତି ବୋଲି ମହାକାଶ ବୈଜ୍ଞାନିକ ଓ ସୋସାଇଟି ଫର୍‌ ପପୁଲାର ଆଷ୍ଟ୍ରୋନୋମିର ମୁଖ୍ୟ ନକ୍ଷତ୍ର ଗବେଷକ ପ୍ରଫେସର ଲୁସି ଗ୍ରୀନ୍‌ କହିଛନ୍ତି ।

ସେ କହନ୍ତି, ଏହା ଏକ ସ୍ୱତନ୍ତ୍ର ଘଟଣା । କାରଣ ଗ୍ରହମାନେ ସୂର୍ଯ୍ୟଠାରୁ ଯେମିତି ଅବସ୍ଥାନ କରିଛନ୍ତି, ଏଥିରେ ସେହିଭଳି ଦୃଶ୍ୟମାନ ହୋଇଥାନ୍ତି । ତେବେ ଏହି ଗ୍ରହ ସଂଯୋଗ ସର୍ବଦା ହୋଇନଥାଏ । ଗତ ଶୁକ୍ରବାର ଶୁକ୍ର ଓ ମଙ୍ଗଳ ଗ୍ରହ ମଧ୍ୟରେ ଦୃଶ୍ୟମାନ ହେଉଥିବା ଏକ ଚନ୍ଦ୍ର ମଧ୍ୟ ଗ୍ରହମାନଙ୍କର ଏହି ଧାଡ଼ିରେ ସାମିଲ ହୋଇଥିଲା । ବ୍ରିଟେନ ସମେତ ଉତ୍ତର ହେମିସ୍ପିୟରରେ ସୂର୍ଯ୍ୟୋଦୟର ୪୫ରୁ ୯୦ ମିନିଟ୍‌ ପୂର୍ବରୁ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ହରିଜନ୍‌ରୁ(ଭୂଲମ୍ବ) ଅତ୍ୟନ୍ତ ନିକଟରେ ପୂର୍ବ ଦିଗରେ ପାହାଡ଼ ଭଳି ଉଚ୍ଚ ସ୍ଥାନରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ।


Share It

Comments are closed.