ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କୁ ନୂଆ ଜୀବନ ଦେଲେ ଦୁଇଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ସମ୍ବଲପୁର: ଜଣେ ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କୁ ରକ୍ତଦାନ କରି ତାଙ୍କୁ ନୂଆ ଜୀବନ
ଦେଇଛନ୍ତି ୧୦୮ ଆମ୍ବଲାନ୍ସର ଦୁଇଜଣ କର୍ମଚାରୀ । ଘଟଣାନୁଯାୟୀ ସମ୍ବଲପୁର ଜିଲ୍ଲା
ଚାରମାଳ ଗ୍ରାମର ମଦନ ମୋହନ ପ୍ରଧାନ(୮୦ ବର୍ଷ) ନାମକ ଜଣେ ବ୍ୟକ୍ତି ରକ୍ତହୀନତା
ରୋଗରେ ପୀଡ଼ିତ ହୋଇ ଗତ ତିନି ଚାରି ଦିନ ଧରି ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସିତ
ହେଉଥିଲେ । ଏହି ସମୟରେ ସେଠାରେ ଡ୍ୟୁଟିରେ ଥିବା ଡାକ୍ତର ଜି.କେ.ହେମ୍ବ୍ରାମ
ରୋଗୀଙ୍କ ସମ୍ପର୍କୀୟଙ୍କୁ ଓ’ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ
ଦେଇଥିଲେ, ନଚେତ ରୋଗୀଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିବ ବୋଲି ସେ ଚେତାଇଦେଇଥିଲେ
। ମାତ୍ର ଏହି ସମୟରେ ରେଢ଼ାଖୋଲ ବ୍ଲଡବ୍ୟାଙ୍କରେ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ
ନଥିଲା । ଏତିକିବେଳେ ନକ୍ତିଦେଉଳ ଏବଂ ବଡ଼ମାଳ ଅଂଚଳର ଦୁଇଜଣ ୧୦୮ ଆମ୍ବୁଲାନ୍ସ
କର୍ମଚାରୀ ଯଥା ଇଏମଟି କେଶବ ପ୍ରଧାନ ଏବଂ ସତ୍ୟାନନ୍ଦ ସାହୁ ଜଣେ ରୋଗୀଙ୍କୁ ନେଇ
ରେଢ଼ାଖୋଲ ଡାକ୍ତରଖ।।ନାକୁ ଆସିଥିଲେ । ଏହି ସମୟରେ ଉପାୟଶୂନ୍ୟ ହୋଇ ବୁଲୁଥିବା
ରୋଗୀଙ୍କ ସମ୍ପର୍କୀୟଜଣଙ୍କ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଦେଖି ତାଙ୍କୁ ରକ୍ତ ଦେବା
ପାଇଁ ଆକୁଳ ନିବେଦନ କରିଥିଲେ । ସୌଭାଗ୍ୟବସତଃ ଆମ୍ବୁଲାନ୍ସ କର୍ମଚାରୀ ଦୁହିଁଙ୍କ
ବ୍ଲଡଗ୍ରୁପ ମଧ୍ୟ ଓ’ପଜିଟିଭ ଥିଲା । ତେଣୁ ସେମାନେ ଆଉ କାଳ ବିଳମ୍ବ ନ କରି ତୁରନ୍ତ
ରକ୍ତ ଦେବା ପାଇଁ ଆଗେଇ ଆସିଲେ ଏବଂ ରୋଗୀଙ୍କୁ ରକ୍ତଦାନ କଲେ । ଆଜି ସେମାନଙ୍କର ଏହି
ମାନବିକତା ପାଇଁ ରୋଗୀଜଣଙ୍କୁ ଏକ ନୂଆ ଜୀବନ ମିଳିପାରିଛି । ୧୦୮ ଆମ୍ବୁଲାନ୍ସ
କର୍ମଚାରୀଙ୍କ ଏଭଳି କାର୍ଯ୍ୟ ପାଇଁ ସେମାନେ ବେଶ ପ୍ରଶଂସିତ ମଧ୍ୟ ହୋଇଛନ୍ତି ।


Share It

Comments are closed.