ଓଟିଟି ପ୍ଲାଟଫର୍ମ ରାଜସ୍ୱରେ ଭାଗ ଚାହୁଁଛନ୍ତି ଟେଲିକମ୍ କଂପାନି


ଭୁବନେଶ୍ୱର: ଆମାଜନ ଓ ନେଟ୍‌ଫ୍ଲିକ୍ସ ଭଳି ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମଗୁଡ଼ିକର ରାଜସ୍ୱରେ ଟେଲିକମ୍ କଂପାନିଗୁଡ଼ିକର ଯୁକ୍ତିଯୁକ୍ତ ଭାଗକୁ ନେଇ ବିଶ୍ୱବ୍ୟାପୀ ବିଚାରବିମର୍ଶ ଜାରି ରହିଛି । ୟୁରୋପୀୟ ସଂଘ ଓ ବ୍ରାଜିଲ୍ ଏକ୍ଷେତ୍ରରେ ଆଗକୁ ବଢ଼ିଛନ୍ତି । ଟେଲିକମ୍ କଂପାନିଗୁଡ଼ିକର ଯୁକ୍ତି ହେଉଛି ଯେହେତୁ ସେମାନଙ୍କ ଜରିଆରେ ଓଟିଟି ପ୍ଲାଟଫର୍ମଗୁଡ଼ିକର ରାଜସ୍ୱ ସ୍ରୋତ ନିରବଚ୍ଛିନ୍ନ ରହୁଛି, ତେଣୁ ଟେଲିକମ୍ ନେଟ୍‌ୱର୍କ ବିକାଶ କରିବା ଲାଗି ଯେଉଁ ବିପୁଳ ପରିମାଣର ପୁଞ୍ଜିନିବେଶ ହେଉଛି ସେଥିପାଇଁ ସେମାନେ ନିଜ ରାଜସ୍ୱର ଏକ ଯୁକ୍ତିଯୁକ୍ତ ଯୋଗଦାନ ଟେଲିକମ୍ କଂପାନିଗୁଡ଼ିକୁ ପ୍ରଦାନ କରିବା ଉଚିତ । ଭାରତରେ ୫ଜି ଟେଲିକମ୍ ସେବା ଲାଗି ନେଟ୍‌ୱର୍କ ବିକାଶ ଜାରି ରହିଥିବାରୁ ଟେଲିକମ୍ କଂପାନିଗୁଡ଼ିକ ଓଟିଟି ପ୍ଲାଟଫର୍ମଗୁଡ଼ିକଠାରୁ ରାଜସ୍ୱରେ ଭାଗ ଦାବି କରିଛନ୍ତି ।
ଏହି ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି । ଯଦି ତାହା ସଫଳ ହେବ ତେବେ ଭାରତର ଡିଜିଟାଲ୍ ଦୃଶ୍ୟପଟ୍ଟରେ ତାହା ଉଲ୍ଲେଖନୀୟ ପରିବର୍ତନ ଆଣିପାରିବ । ୫ଜି ନେଟ୍‌ୱର୍କ ମୂତୟନ କରିବା ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ଆର୍ଥିକ ଦାୟିତ୍ୱକୁ ସମାନ ଭାବେ ବିତରଣରେ ତାହା ସହାୟକ ହୋଇପାରିବ । ଓଟିଟି ପ୍ଲାଫର୍ମଗୁଡ଼ିକରୁ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କୁ ଟେଲିକମ୍ ନିୟମ ଭିତରେ ସାମିଲ କରିବା ଲାଗି ଦାବି ଜୋର ଧରିଛି । ବ୍ରଡବ୍ୟାଣ୍ଡ୍ ଇଣ୍ଡିଆ ଫୋରମ୍ (ବିଆଇଏଫ୍‌) ତାହାକୁ ବିରୋଧ କରୁଛି ସିଓଏଆଇ, ଆଇଏଏମ୍‌ଏଆଇ ଭଳି ଟେଲିକମ୍ ସଂଘ ଏହି ପ୍ରସ୍ତାବକୁ ସମର୍ଥନ କରୁଛନ୍ତି ।
ଭାରତରେ ଓଟିଟି ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲାଗି ଆସିଥିବା ପ୍ରସ୍ତାବକୁ ନେଇ ଟେଲିକମ୍ ଅପରେଟର ଓ ବଡ଼ ପ୍ରଯୁକ୍ତି କଂପାନିଗୁଡ଼ିକ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି । ଭାରତୀ ଏୟାରଟେଲ, ଭୋଡାଫୋନ୍ ଆଇଡିଆ ଓ ରିଲାଏନ୍ସ ଜିଓ ଭଳି ବଡ଼ ଟେଲିକମ୍ କଂପାନିଙ୍କୁ ନେଇ ଗଠିତ ଭାରତୀୟ ସେଲ୍ୟୁଲାର ଅପରେଟର ସଂଘ (ସିଓଏଆଇ) ଓଟିଟି ଆପ୍‌ଗୁଡ଼ିକଠାରୁ ବଡ଼ ଧରଣର କ୍ଷତିପୂରଣ ଦାବି କରୁଛନ୍ତି । ସେମାନଙ୍କ ଯୁକ୍ତି ହେଉଛି ଓଟିଟି ଆପ୍‌ଗୁଡ଼ିକ ଟେଲିକମ୍ ନେଟ୍‌ୱର୍କକୁ ବହୁଳ ଭାବେ ବ୍ୟବହାର କରୁଛନ୍ତି । ସେଥିପାଇଁ ଓଟିଟି ପ୍ଲାଟଫର୍ମ ନିମନ୍ତେ ହାଲୁକା ଲାଇସେନ୍ସ ବ୍ୟବସ୍ଥା ଲାଗୁ କରିବାକୁ ସେମାନେ ଟେଲିକମ୍ ବିଭାଗ ନିକଟରେ ଦାବି କରିଛନ୍ତି ।
ତେବେ ମେଟା, ଗୁଗୁଲ୍‌, ଆମାଜନ, ମାଇକ୍ରୋସଫ୍ଟ, ଇଟେଂଲ୍ ଓ ଟିସିଏସ୍ ଭଳି ବଡ଼ ପ୍ରଯୁକ୍ତି କଂପାନିଗୁଡ଼ିକ ଭାରତୀୟ ଟେଲିକମ୍ କଂପାନିଙ୍କ ଏହି ଦାବିକୁ ଘୋର ବିରୋଧ କରୁଛନ୍ତି । ବ୍ରଡ୍‌ବ୍ୟାଣ୍ଡ ଇଣ୍ଡିଆ ଫୋରମ୍ (ବିଆଇଏଫ୍‌) ଅଧୀନରେ ସେମାନେ ଏକଜୁଟ ହୋଇ କହିଛନ୍ତି ଯେ ଓଟିଟିଗୁଡ଼ିକୁ ଟେଲିକମ୍ ନିୟମରେ ସାମିଲ କଲେ ସେମାନଙ୍କ ନିଷ୍ପତି ଗ୍ରହଣ, ବିକାଶ ଓ ପରିଚାଳନା ପ୍ରଭାବିତ ହେବ । ଭାରତରେ ଯେଉଁ ଏୟାରଟେଲ ଡାଟା ବ୍ୟବହାର ହେଉଛି ତାହାର ଏକ ବଡ଼ କାରଣ ହେଉଛି ଓଟିଟି ପ୍ଲାଟଫର୍ମ । ଓଟିଟି ପ୍ଲାଟଫର୍ମଗୁିକ ଏତେ ଡାଟା ବ୍ୟବହାର କରୁଥିବାରୁ ସେମାନଙ୍କ ଉପରେ ନିୟନ୍ତ୍ରଣ ରଖିବା ଲାଗି ଟେଲିକମ୍ ବିଭାଗ ଓ ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ନିକଟରେ ଦାବି କରାଯାଇଛି । ୟୁରୋପୀୟ ସଂଘ ଓ ବ୍ରାଜିଲ୍‌ରେ ଓଟିଟି ପ୍ଲାଟଫର୍ମଗୁଡ଼ିକର ରାଜସ୍ୱରେ ଟେଲିକମ୍ କଂପାନିଗୁଡ଼ିକର ଭାଗକୁ ନେଇ ବିତର୍କ ଚାଲିଛି । ଡିଜିଟାଲ ଭିତିଭୂମିରେ ନିବେଶ ଜାରି ରଖିବା ଲାଗି ସେମାନେ ଫେୟାର ସେୟାର ସମାଧାନ ଉପରେ ବିଚାର କରୁଛନ୍ତି । ୟୁରୋପ ଓ ବ୍ରାଜିଲ୍ ଭଳି ଭାରତରେ ମଧ୍ୟ ସେହି ଦୃଷ୍ଟିକୋଣକୁ ଗ୍ରହଣ କରାଯାଉ ବୋଲି ଟେଲିକମ୍ କଂପାନିଗୁଡ଼ିକ ଚାହୁଛନ୍ତି ।
ଭାରତରେ ୫ଜି ଟେଲିକମ୍ ଭିତିଭୂମିର ବିକାଶ ଚାଲିଥିବାରୁ ସେଥିରୁ ବିପୁଳ ପୁଞ୍ଜିନିବେଶ ହେଉଛି । ଏହି ଭିତିଭୂମି ବିକାଶ ପ୍ରକ୍ର୍ରିୟାରେ ଓଟିଟି ପ୍ଲାଟଫର୍ମଗୁଡ଼ିକ ଯୋଗଦାନ ପ୍ରଦାନ କରନ୍ତୁ ବୋଲି ଭାରତୀୟ ଟେଲିକମ୍ କଂପାନିଗୁଡ଼ିକ ଚାହୁଛନ୍ତି । ସେମାନେ ୟୁରୋପୀୟ ସଂଘ ଓ ବ୍ରାଜିଲର ଆନାଟେଲ୍ ଉପସ୍ଥାପନ କରିଥିବା ଆଲୋଚନା ପେପରକୁ ମଧ୍ୟ ଆଲୋଚନା ପରିସରକୁ ଆଣିଛନ୍ତି । ସେହି ଆଧାରରେ ଭରତରେ ମଧ୍ୟ କାର୍ଯ୍ୟ ହେଉ ବୋଲି ସେମାନେ ଚାହୁଛନ୍ତି ।


Share It

Comments are closed.