ଦୁଇ ଜଣ ଥାଲାସେମିଆ ରୋଗୀଙ୍କୁ ରକ୍ତ ଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ବାଲେଶ୍ୱର: ଦୁଇ ଦୁଇ ଜଣ ଥାଲାସେମିଆ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ନିବାସୀ ମହେଶ ରାମ (୮ବର୍ଷ) ଏବଂ ବାଲେଶ୍ୱର ଜିଲ୍ଲା ଖଂଟପଦା ନିବାସୀ ପ୍ରଭାତ ସିଂ(୨୦ବର୍ଷ) ନାମକ ଯୁବକ, ଥାଲାସେମିଆ ରୋଗରେ ପିଡ଼ିତ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ତୁରନ୍ତ ସେମାନଙ୍କ ପାଇଁ ରକ୍ତ ଯୋଗାଡ଼ କରିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଏହି ସମୟରେ ଡାକ୍ତରଖାନାରେ ସେମାନଙ୍କ ବ୍ଲଡ ଗ୍ରୁପର ରକ୍ତ ଉପଲବ୍ଧ ନଥିବାରୁ ଉଭୟ ରୋଗୀଙ୍କ ସମ୍ପର୍କୀୟ ଉପାୟଶୂନ୍ୟ ହୋଇ ପଡ଼ିଥିଲେ । ଏହି ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ନେଇ ବାଲେଶ୍ୱର ଡାକ୍ତରଖାନାକୁ ଆସିଥିବା ୧୦୮ ଆମ୍ବୁଲାନ୍ସ ଇଏମଟି ପ୍ରମୋଦ କୁମାର ଜେନା ଏବଂ ସହାୟକ ଦୀପକ କୁମାର ଦାଶ ଉକ୍ତ ରୋଗୀଙ୍କ ସମ୍ପର୍କରେ ଜାଣିବାକୁ ପାଇଲେ । ସୌଭାଗ୍ୟବସତଃ ଉଭୟ ଆମ୍ବୁଲାନ୍ସ କର୍ମଚାରୀଙ୍କ ବ୍ଲଡଗ୍ରୁପ ମଧ୍ୟ ସେହି ରୋଗୀଦ୍ୱୟଙ୍କ ବ୍ଲଡଗ୍ରୁପ ସହିତ ସମାନ ଥିଲା । ତେଣୁ ଆଉ କୌଣସି ପ୍ରକାରର ବିଳମ୍ବ ନକରି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଦୁଇଜଣ ତୁରନ୍ତ ଯାଇ ସେହି ରୋଗୀ ଦୁଇଜଣଙ୍କୁ ରକ୍ତଦାନ କଲେ । ଏଭଳି ସଂଘର୍ଷମୟ ସମୟରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତା ପାଇଁ ଉକ୍ତ ରୋଗୀ ଦୁଇଜଣଙ୍କୁ ଆଜି ଏକ ନୂଆ ଜୀବନ ମିଳିପାରିଛି ।


Share It

Comments are closed.