ସୋସିଆଲ ମିଡିଆରେ ଚାଷୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ


ଭୁବନେଶ୍ୱର : କୃଷକମାନଙ୍କ ଉତ୍ପାଦିତ ଧାନକୁ କ୍ରୟ କରି ସେମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଧାନ କିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ ତଥା ସରଳୀକରଣ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’ ଏବଂ ‘ମୋ ସରକାର’ କାର୍ଯ୍ୟକ୍ରମରେ ଧାନକିଣା ପ୍ରକ୍ରିୟାରେ ଟେକନୋଲୋଜିର ବ୍ୟବହାର କରି ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି । ରାଜ୍ୟ ସରକାରଙ୍କ ପି-ପାସ ଓ ଆଗୁଆ ଟୋକେନ ବ୍ୟବସ୍ଥା ସାରା ଦେଶରେ ଉଚ୍ଚ ପ୍ରଶଂସିତ ହୋଇପାରିଛି । ରାଜ୍ୟର ଚାଷୀମାନଙ୍କଠାରୁ ସରକାରୀ ଘୋଷିତ ଦରରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଓ ନିର୍ଦ୍ଧାରିତ ଅମଳ ହାରରେ ସମସ୍ତ ବିକ୍ରିଯୋଗ୍ୟ ଧାନ କ୍ରୟ କରି ୨୪ରୁ ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପ୍ରଦାନ ଓ କୌଣସି ଅଭିଯୋଗ ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଚାଷୀମାନଙ୍କ ସହିତ ସିଧାସଳଖ ସଂପର୍କ ସ୍ଥାୁପନ ନିମନ୍ତେ ଓ ଧାନକିଣା ସଂପର୍କରେ ଯଦି କିଛି ସମସ୍ୟା ଉପୁଜୁଛି ତେବେ ତାର ସମାଧାନ ପାଇଁ ଆଜି ଅପରାହ୍ନରେ ଏକ ଫେସବୁକ ଲାଇଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ଚାଷୀମାନଙ୍କର ବିଭିନ୍ନ ପ୍ରଶ୍ନର ସିଧାସଳଖ ଉତ୍ତରରେ ଶ୍ରୀ ସ୍ୱାଇଁ କହିଲେ ଯେ ପି-ପାସ ଆଧାରିତ କମ୍ପ୍ୟୁଟରକୃତ ପ୍ରକ୍ରିୟା ମନୁଷ୍ୟକୃତ ହସ୍ତକ୍ଷେପରୁ ମୁକ୍ତ କରି ଧାନକ୍ରୟ ପ୍ରକ୍ରିୟାକୁ ସହଜ, ସରଳ ଓ ସ୍ୱଚ୍ଛ କରିଛି । ଏହା ଫଳରେ ଗତବର୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଧାନସଂଗ୍ରହରେ ଅଂଶଗ୍ରହଣ ୨୯ ପ୍ରତିଶତ ବୃଦ୍ଧି ପାଇଛି । ଏସଏମଏସ ଜରିଆରେ ପଞ୍ଜୀକୃତ ଚାଷୀଙ୍କ ମୋବାଇଲକୁ ଧାନ କ୍ରୟର ତାରିଖ ଓ ପରିମାଣ ସମ୍ବନ୍ଧରେ ଆଗୁଆ ସୂଚନା ପ୍ରଦାନ କରାଯାଉଛି । ଧାନ ବିକ୍ରୟ ସମୟରେ ଆଧାର ମାଧ୍ୟମରେ ପଞ୍ଜୀକୃତ ଚାଷୀଙ୍କ ବାୟୋମେଟ୍ରିକ ଚିହ୍ନଟୀକରଣ ପ୍ରକ୍ରିୟା ଅବଲମ୍ବନ କରାଯାଇଛି । ବିଭିନ୍ନ ଫ୍ୟାକ୍ସ, ଲ୍ୟାମ୍ପସ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତ ମାଧ୍ୟମରେ ଧାନସଂଗ୍ରହ କରାଯାଉଛି । ଧାନକିଣାକୁ ସ୍ୱଚ୍ଛ ଓ କ୍ରିୟାଶୀଳ କରିବା ପାଇଁ ପ୍ୟାକ୍ସ, ଲ୍ୟାମ୍ପସର ଶତପ୍ରତିଶତ କମ୍ପ୍ୟୁଟରକରଣ କରାଯାଉଛି ଏବଂ ଅସାଧୁ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ । ଏଥି ସହିତ ଧାନ ସଂଗ୍ରହ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲାରେ ଦାୟିତ୍ୱରେ ରଖାଯାଇଛି ।

ପ୍ରଦାନ କରାଯାଉଥିବା ଟୋକେନରେ ଉଲ୍ଲେଖିତ କ୍ରୟ ତାରିଖରେ ଚାଷୀ କୌଣସି କାରଣରୁ ମଣ୍ଡିକୁ ଧାନ ଆଣି ନପାରିଲେ ପରବର୍ତ୍ତୀ ଏକ ମାସ ମଧ୍ୟରେ ଧାନ ବିକ୍ରି କରିବା ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରାଯାଉଛି । ଜଳସେଚିତ ଜମିରୁ ଏକର ପ୍ରତି ୧୯ କ୍ୱିଣ୍ଟାଲ ଏବଂ ଅଣଜଳସେଚିତ ଜମିରୁ ଏକର ପ୍ରତି ୧୩ କ୍ୱିଣ୍ଟାଲ ହିସାବରେ ଖରିଫ ଧାନ କ୍ରୟ କରାଯାଉଛି । ଧାନ କ୍ରୟ ଦିବସର ୭ ଦିନ ପୂର୍ବରୁ ଚାଷୀମାନଙ୍କୁ କ୍ରୟ ତାରିଖ ଓ ପରିମାଣ ସଂପର୍କୀୟ ଟୋକେନ ଏସଏମଏସ ମାଧ୍ୟମରେ ଜଣାଇ ଦିଆଯାଉଛି । ଯେଉଁ ଚାଷୀମାନଙ୍କ ନିକଟକୁ ଟୋକେନ ଯାଇ ପାରୁ ନାହିଁ, ତା’ର କାରଣ ମଧ୍ୟ ସେମାନଙ୍କୁ ଏସଏମଏସ ମାଧ୍ୟମରେ ଜଣାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଥିଲେ ।

ପି-ପାସ ଓ ଟୋକେନ ବ୍ୟବସ୍ଥାରେ ଚଳିତ ଖରିଫରେ ସରକାରଙ୍କୁ ଧାନ ବିକ୍ରି ପାଇଁ ୧୪ ଲକ୍ଷ ୯୯ ହଜାର ୬୬୧ ଜଣ ଚାଷୀ ନାମ ପଞ୍ଜୀକୃତ କରିଛନ୍ତି, ଯାହାକି ଗତ ଖରିଫ ତୁଳନାରେ ୨୧ ପ୍ରତିଶତ ଅଧିକ । ଏହା ସରକାରୀ ବ୍ୟବସ୍ଥା ଉପରେ ଚାଷୀମାନଙ୍କ ବିଶ୍ୱସନୀୟତା ପ୍ରମାଣ କରୁଛି ବୋଲି ମନ୍ତ୍ରୀ କହିଥିଲେ । ଅଦ୍ୟାବିଧି ୨୬ଟି ଜିଲ୍ଲାରେ ୧୩ ଲକ୍ଷ ୧୯ ହଜାର ୩୪୨ ଜଣ ଯୋଗ୍ୟ ଚାଷୀଙ୍କ ମଧ୍ୟରେ ୧୨ ଲକ୍ଷ ୪୮ ହଜାର ୧୬୧ ଜଣ ଚାଷୀଙ୍କୁ ଟୋକେନ ପ୍ରଦାନ କରାଯାଇଛି, ଯାହାକି ଶତକଡା ୯୫ ପ୍ରତିଶତ ଅଟେ । ବାକି ଚାଷୀଙ୍କୁ ମଧ୍ୟ ଠିକ ସମୟରେ ଟୋକେନ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏଥି ସହିତ ଚଳିତ ଖରିଫ ବର୍ଷ ୨୦୨୦-୨୧ରେ ୭୧ ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଅଦ୍ୟାବିଧି ୧୫ ଲକ୍ଷ ୨୬ ହଜାର ୭୦୧ ଟନ ଧାନସଂଗ୍ରହ କରାଯାଇଛି, ଯାହାକି ଗତବର୍ଷ ଆଜି ତାରିଖ ତୁଳନାରେ ୨୩ ପ୍ରତିଶତ ଅଟେ । ତେବେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ଯଦି ପଞ୍ଜୀକୃତ ଚାଷୀମାନଙ୍କଠାରୁ ମଣ୍ଡିକୁ ଆସିବ ତାହା ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ । ବର୍ତ୍ତମାନ ଧାନସଂଗ୍ରହ ପ୍ରକ୍ରିୟା ଜାରି ରହିଛି ଏବଂ ଏହା ମାର୍ତ୍ତ, ୨୦୨୧ ପର୍ଯ୍ୟନ୍ତ ଜାରି ରହିବ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ସରକାରଙ୍କ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ସୋସିଆଲ ମିଡିଆକୁ ବ୍ୟବହାର କରି ଜନତାଙ୍କ ଅଭିଯୋଗ ଏବଂ ପରାମର୍ଶ ଶୁଣି ତାକୁ କାର୍ଯ୍ୟକାରୀ କରିବା ପାଇଁ ଗତବର୍ଷଠାରୁ ଏଭଳି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ୨୦ଟି ଜିଲ୍ଲାରୁ ୪୬୭ଟି ପ୍ରଶ୍ନ ଆସିଥିଲା । ଧାନ କ୍ରୟ ସମ୍ବନ୍ଧିତ ପ୍ରଶ୍ନଗୁଡିକର ଉତ୍ତର ଲାଇଭ ମାଧ୍ୟମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦେଇଥିବାବେଳେ ବିଭିନ୍ନ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ପ୍ରଶ୍ନର ଉତ୍ତର ସେମାନଙ୍କୁ ବ୍ୟକ୍ତିଗତ ଭାବେ ଟ୍ୱିଟର, ଟେଲିଗ୍ରାମ ଏବଂ ଇ-ମେଲ ମାଧ୍ୟମରେ ଦିଆଯାଇଛି । ଆଜିର କାର୍ଯ୍ୟକ୍ରମକୁ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଦ୍ୱାରା ସିଧା ପ୍ରସାରଣ କରାଯାଇଥିବାବେଳେ ଟ୍ୱିଟର, ଫେସବୁକ, ୟୁଟ୍ୟୁବରେ ଲାଇଭ ପ୍ରସାରିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରସାରିତ ହେବା ସମୟରେ ଫେସବୁକରେ ପ୍ରାୟ ୯୦୦୦ ଦର୍ଶକ ଲାଇଭ ଦେଖିଥିଲେ ।


Share It

Comments are closed.