ସଂରକ୍ଷଣବାଦୀ ତଥା ଅଜଗର ଶିକାରୀ ମାଇକ କିମେଲ ଏକ ୧୭ ଫୁଟିଆ ଅଜଗର ସହ ଲଢ଼େଇ କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ବିଶାଳ ଅଜଗର ଧରିବା ବିଷୟରେ ନିଜ ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ ସେ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ଧରି ଏଭଳି ଏକ ଅଜଗର ଅନ୍ୱେଷଣରେ ସେ ଥିଲେ । ଶେଷରେ ତାଙ୍କୁ ସଫଳତା ମିଳିଛି । କିନ୍ତୁ ଅଜଗର ଓ ମାଇକ୍ଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି ।
ତାଙ୍କ ହାତ କ୍ଷତବିକ୍ଷତ ହୋଇଛି । ସୋସିଆଲ ମିଡିଆରେ ମନିକର ପାଇଥନ୍ କାଓବଏ ନାମରେ ପରିଚିତ ମାଇକ୍ ଏହି ୧୭ ଫୁଟିଆ ଅଜଗର ଫଟୋ ଶେୟାର କରିଛନ୍ତି । ତା’ ସହ କିଭଳି ଭାବେ ଲଢ଼େଇ କରିଛନ୍ତି, ସେହି ରୋମାଞ୍ଚକାରୀ କାହାଣୀ ସେ ବର୍ଣ୍ଣନା କରିଛନ୍ତି । ଏହି ମଣିଷଖିଆ ମାଈ ଅଜଗର ମାଇକ୍ଙ୍କୁ ଦେଖି ଆଦୌ ଭୟଭୀତ ନଥିଲା ।
ତଥାପି ମାଇକ୍ ତାକୁ ଧରି ଜାଣିବାକୁ ଚାହିଁଲେ, ସେଇଟି କେତେ ଲମ୍ବା । ମୁଣ୍ଡ ପଟରୁ ସାପକୁ ସହଜରେ ଧରାଯାଇପାରେ ବୋଲି ସେ ଜାଣନ୍ତି । କିନ୍ତୁ ସେ ସଫଳ ହୋଇପାରିଲେ ନାହିଁ । ଅଜଗର ତାଙ୍କୁ ଥରେ ଚୋଟ ମାରିଲା । ଏଥିରେ ମାଇକ୍ ଗୁରୁତର ଆହତ ହେଲେ । ତାଙ୍କ ବାହୁର ଧମନୀକୁ ତା’ର ଦାନ୍ତ ବିଦ୍ଧ କଲା, ଯାହା ସ୍ନାୟୁକୁ ମଧ୍ୟ କ୍ଷତାକ୍ତ କରିପକାଇଲା । ପ୍ରାୟ ୧ ଗ୍ୟାଲୋନ୍ ରକ୍ତସ୍ରାବ ପରେ ସାପକୁ କାବୁ କରିବାରେ ସେ ସଫଳ ହେଲେ । ଏତେ ବଡ଼ ସାପ ପାଇଁ ତାଙ୍କ ପାଖରେ ବ୍ୟାଗ୍ ନଥିଲା । ମାଇକ୍ ଜଣେ ରାଜ୍ୟ-ଚୁକ୍ତିଭିତ୍ତିକ ଅଜଗର ଶିକାରୀ । ସେ ଧରୁଥିବା ସାପର ଲମ୍ବ ଆଧାରରେ ଆୟ କରନ୍ତି ।
Comments are closed.