ବିଶ୍ୱର କଲ୍ୟାଣ ପାଇଁ ସ୍ୱଚ୍ଛ ଉର୍ଜାକୁ ପ୍ରାଥମିକତା ଦେଉଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର – ଆମେରିକା ଏବଂ ଚୀନ ପରେ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର ଭାରତ କେବଳ ଦେଶବାସୀଙ୍କ ପାଇଁ ନୁହେଁ ବରଂ ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ସ୍ୱଚ୍ଛ ଓ ସବୁଜ ଉର୍ଜାକୁ ସର୍ବାଧିକ ପ୍ରାଥମିକତା ଦେଉଅଛି ବୋଲି ଆଟଲାଂଟିକ୍ କାଉନସିଲ୍ ଏନର୍ଜି ଫରୋମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
‘୨୦୨୧ ଗ୍ଲୋବାଲ ଏନର୍ଜି ଏଜେଣ୍ଡା’ ଶୀର୍ଷକ ଉପରେ ଆୟୋଜିତ ଏହି ଆଲୋଚନା କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଭାରତ ଗ୍ୟାସ ଆଧାରିତ ଅର୍ଥନୀତି ଅର୍ଥବ୍ୟବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଏଥିପାଇଁ ତୃଣମୂଳ ସ୍ତରରେ ଅନେକ ଯୋଜନା ମାନ ପ୍ରସ୍ତୁତ କରାଯାଇଛି । ଦେଶରେ ଗ୍ୟାସ ଭିତିଭୂମିକୁ ସୁଦୃଢ କରିବା ପାଇଁ ବିଗତ ବର୍ଷ ମାନଙ୍କରେ ଅନେକ ଗୁଡ଼ିଏ ସଂସ୍କାର ଅଣାଯାଇଛି । ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଆମେ ଉର୍ଜା ସଂରକ୍ଷଣକୁ ପ୍ରାଥମିକତା ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେରିକା ସମେତ ବିଦେଶୀ ରାଷ୍ଟ୍ର ମାନଙ୍କ ସହ ଭାରତର ଉର୍ଜା ସମ୍ପର୍କ ବହୁଗୁଣା ବା ମଜବୁତ୍ ହୋଇଛି ।
ଭାରତ ସରକାର ଉର୍ଜା ସଂରକ୍ଷଣକୁ ପ୍ରାଥମିକତା ଦେବା ସହ ସବୁଜ ଇନ୍ଧନ କିମ୍ବା ବିକଳ୍ପ ଉର୍ଜା ସମେତ ସୌର ଉର୍ଜାକୁ ବଢାଇବା ପାଇଁ ଉଦ୍ୟମ କରୁଛନ୍ତି । ଅତ୍ୟାଧୁନିକ ଉପାୟରେ ଟେକ୍ନୋଲୋଜି ଜରିଆରେ ପେଟ୍ରୋଲ ଏବଂ ଡିଜେଲ ସହ ହାଇଡ୍ରୋଜେନ୍ ବ୍ଲେଣ୍ଡି କରାଯାଇ ସ୍ୱଚ୍ଛ ଇନ୍ଧନ ତିଆରି କରାଯାଉଛି । ଜୈବ ଇନ୍ଧନ, ଇଥାନଲ ବ୍ଲେଣ୍ଡିଂ, ଆନୁଷଙ୍ଗିକ ବ୍ୟବସ୍ଥା ଓ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛ ଇନ୍ଧନକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.