ସାସାକାୱା-ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ରାଉରକେଲାର ଲେପ୍ରୋସି କଲୋନୀ ପିଲାଙ୍କ ପାଇଁ ଲର୍ଣ୍ଣି ସେଂଟର ଉଦଘାଟିତ


ଭୁବନେଶ୍ୱର: କୁଷ୍ଠରୋଗରେ ଆକ୍ରାନ୍ତ ବ୍ୟକ୍ତି ଓ ସେମାନଙ୍କ ପରିବାର ସଦସ୍ୟଙ୍କର ସାମାଜିକ ତଥା ଅର୍ଥନୈତିକ ସଶକ୍ତିକରଣ ପାଇଁ ସମର୍ପିତ ଏକ ଅନୁଷ୍ଠାନ, ସାସାକାୱା-ଇଣ୍ଡିଆ ଲେପ୍ରୋସି ଫାଉଣ୍ଡେସନ (ଏସ-ଆଇଏଲଏଫ) ନିଜର ପ୍ରତିଷ୍ଠାର ୧୫ ବର୍ଷ ପୂରଣ କରିଛି । ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ରାଉରକେଲା ଠାରେ ଲେପ୍ରୋସି କଲୋନୀରେ ବାସ କରୁଥିବା ପିଲାଙ୍କ ପାଇଁ ଏକ ଶିକ୍ଷଣ କେନ୍ଦ୍ରର ସ୍ଥାପନା କରାଯାଇଛି । ଏସ- ଆଇଏଲଏଫ ଦ୍ୱାରା ପରିଚାଳିତ ଏହା ହେଉଛି ଏହି ପ୍ରକାରର ୧୧ ତମ ଓ ଓଡ଼ିଶାରେ ପ୍ରଥମ କେନ୍ଦ୍ର । ଏହି ଶିକ୍ଷଣ କେନ୍ଦ୍ର ଶ୍ରୀ ଟି.ଭି.ନରେନ୍ଦ୍ରନ, ଅଧ୍ୟକ୍ଷ, କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଏବଂ ସିଇଓ ତଥା ଏମଡି, ଟାଟା ଷ୍ଟିଲଙ୍କ ଦ୍ୱାରା ଉଦଘାଟିତ ହୋଇଛି । ଲେପ୍ରୋସି କେଲୋନୀରେ ଥିବା ଏହି ଲର୍ଣ୍ଣିଂ ସେଂଟର ବା ଶିକ୍ଷଣ କେନ୍ଦ୍ର ପିଲାମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ସୁଯୋଗ ପ୍ରଦାନ କରୁଛି । ଏଠାରେ ଉଭୟ ପାଠ୍ୟକ୍ରମ ଓ ବାହ୍ୟ-ପାଠ୍ୟକ୍ରମ ସମ୍ବନ୍ଧିତ ବିଷୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି ଯେଉଁଥିରେ କ୍ରୀଡ଼ା ଓ ଅନ୍ୟାନ୍ୟ ମନ୍‌ପସନ୍ଦର କାର୍ଯ୍ୟ ସାମିଲ ରହିଛି ।
ଏସ-ଆଇଏଲଏଫ ରେ ରହିଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ହେଉଛି ଜୀବିକା ନିର୍ବାହ ସୁଯୋଗ ବ୍ୟବସ୍ଥା, ଉଚ୍ଚ ପ୍ରଫେସନାଲ ଶିକ୍ଷା ପାଇଁ ସ୍କଲାରସିପ ଓ କଲୋନୀରେ ରହୁଥିବା କୁଷ୍ଠ ପ୍ରଭାବିତ ଲୋକମାନଙ୍କ ପାଇଁ ଟେଲି ମେଡିସିନ ମାଧ୍ୟମରେ ସ୍ୱାସ୍ଥ୍ୟ ଯତ୍ନ ସୁବିଧା । କୁଷ୍ଠ ରୋଗ ଦ୍ୱାରା ପ୍ରଭାବିତ ଲୋକମାନଙ୍କର ସାମାଜିକ-ଆର୍ଥନୈତିକ ବିକାଶ ଦ୍ୱାରା ସେମାନଙ୍କ ସହିତ ଜଡ଼ିତ ଥିବା ଭେଦଭାବ ଓ କଳଙ୍କକୁ ଦୂର କରାଯାଇପାରିବ ଏବଂ ସେମାନେ ସମ୍ମାନର ସହିତ ଜୀବନଯାପନ କରିପାରିବେ । ଏହି କାର୍ଯ୍ୟକ୍ରମକୁ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ଓଡ଼ିଶାରେ ଥିବା ପାଂଚଟି ଲେପ୍ରୋସି କଲୋନୀରେ କରାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଅତୀତର ବୃତିଧାରୀ ଓ ଜୀବିକାନିର୍ବାହ ହିତାଧିକାରୀମାନେ ତାଙ୍କୁ ମିଳିଥିବା ସହଯୋଗ ମାଧ୍ୟମରେ କିପରି ତାଙ୍କର ଜୀବନରେ ଉନ୍ନତି ଆସିପାରିଛି ତାହା ବର୍ଣ୍ଣନା କରିଛନ୍ତି । ଯୁବକଙ୍କ ପ୍ରତିଭାକୁ ପ୍ରଦର୍ଶିତ କରିବା ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ପରିଚାଳନା କରାଯାଇଛି ।

ଶ୍ରୀଯୁକ୍ତ ଟି.ଭି. ନରେନ୍ଦ୍ରନ କୁଷ୍ଠରୋଗକୁ ଦୂର କରିବା ପାଇଁ ଏସ-ଆଇଏଲଏଫ ଦ୍ୱାରା କରାଯାଉଥିବା ଏହି ମହତ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି । ଅନୁଷ୍ଠାନର ସହଯୋଗ ବଳରେ ରୋଗ ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ ଜୀବିକାନିର୍ବାହ ଓ ଶିକ୍ଷା ସହାୟତା ମିଳିପାରୁଛି ଓ ସେମାନେ ଏହି ସମସ୍ୟାକୁ ଅତିକ୍ରମ କରି ସାଧାରଣ ସମାଜରେ ନିଜକୁ ସାମିଲ କରିପାରୁଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ତରୁଣ ଦାସ, ଚେୟାରମ୍ୟାନ, ଏସ- ଆଇଏଲଏଫ ୧୫ ବର୍ଷର ଏହି ଯାତ୍ରା ପଥରେ ପ୍ରମୁଖ ସଫଳତାଗୁଡ଼ିକୁ ମନେପକାଇଛନ୍ତି ା ଆଉ ମଧ୍ୟ ଅଫିସର ବିକେନ୍ଦ୍ରିକରଣ ପରି ନୂତନ ପଦକ୍ଷେପ ମାଧ୍ୟମରେ ଏସ-ଆଇଏଲଏଫ ଏହା ସୁନିଶ୍ଚିତ କରିଛି ଯେପରି ଏହାର ହିତାଧିକାରୀମାନଙ୍କର ନିକଟତର ହୋଇପାରିବ । ଏସ-

ଆଇଏଲଏଫର ପୃଷ୍ଠପୋଷକ, ଶ୍ରୀ ୟୋହେଇ ସାସାକାୱା (କୁଷ୍ଠର ଦୂରୀକରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଗୁଡୱିଲ ଆମ୍ବାସାଡର) ଜାପାନରୁ ତାଙ୍କର ବାର୍ତାରେ ଅନୁଷ୍ଠାନର ନିରନ୍ତର ପ୍ରଚେଷ୍ଟା ପାଇଁ ତଥା କୁଷ୍ଠ ରୋଗ ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ ସାଧାରଣ ସମାଜରେ ସାମିଲ କରିବା ପାଇଁ କରିଥିବା ପ୍ରୟାସ ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି । ଡା. ବିବେକ ଲାଲ, ସିଇଓ, ଏସ-ଆଇଏଲଏଫ ରାଉରକେଲା ଠାରେ ଉପସ୍ଥିତ ରହିଥିଲେ ଓ ଅନୁଷ୍ଠାନର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଯେପରି କୁଷ୍ଠ ଦ୍ୱାରା ପ୍ରଭାବିତ ଲୋକ ଓ ତାଙ୍କର ପରିବାରକୁ ଶିକ୍ଷା ଏବଂ ଜୀବିକା ନିର୍ବାହ କ୍ଷେତ୍ରରେ ପର୍ଯ୍ୟାପ୍ତ ସହାୟତା ମିଳିପାରିବ ।


Share It

Comments are closed.