ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି, ଦଳରୁ ବିଦା ହେଲେ ଦୁଇ ବିଦ୍ରୋହୀ କଂଗ୍ରେସ ବିଧାୟକ


ରାଜସ୍ଥାନରେ ରାଜନୈତିକ ସଙ୍କଟ ଥମିବାର ନାଁ ନେଉନାହିଁ । ଏହା ମଧ୍ୟରେ କଂଗ୍ରେସ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଦଳ ବିଦ୍ରୋହୀ ବିଧାୟକ ଭମ୍ବରଲାଲ୍ ଶର୍ମା ଓ ବିଶ୍ୱେନ୍ଦ୍ର ସିଂଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଏହି ଦୁଇ ବିଧାୟକଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ସହ ବୁଝାମଣା କରି ଅଶୋକ ଗେହଲଟ୍ ସରକାର ଭାଙ୍ଗିବା ପାଇଁ ଷଡଯନ୍ତ୍ର ରଚୁଥିବା ଅଭିଯୋଗ ରହିଛି । ଏହାସହ ସଚିନ ପାଇଲଟ୍ ନିଜ ସ୍ଥିତି ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ କହିଛି ।

କଂଗ୍ରେସ ମୁଖପାତ୍ର ରଣଜୀପ ସୁରଜେଓ୍ୱାଲା କହିଛନ୍ତି ଯେ, ବିଜେପି ରାଜସ୍ଥାନରେ ସରକାର ଭାଙ୍ଗିବା ପାଇଁ ପ୍ରୟାସ କରୁଛି । ଏହାର କିଛି ଅଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କଂଗ୍ରେସ ବିଧାୟକଙ୍କୁ କିଣିବା ନେଇ ଚେଷ୍ଟା କରାଯାଉଛି । ବିଜେପି ନେତା ସଂଜୟ ଜେନ୍ କଂଗ୍ରେସ ନେତା ଭମ୍ବରଲାଲଙ୍କ ସହ ଆଲୋଚନା କରିଛନ୍ତି ବୋଲି ରଣଦୀପ କହିଛନ୍ତି ।

ରଣଦୀପ ଆହୁରି କହିଛନ୍ତି ଯେ, ଭମ୍ବରଲାଲ୍ ଓ ବିଶ୍ୱେନ୍ଦ୍ରଙ୍କୁ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି । ଦଳ ପକ୍ଷରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଗୁରୁବାର ଗଣମାଧ୍ୟମରେ ଚକିତ କଲା ଭଳି ଅଡିଓ ଟେପ୍ ଲିକ୍ ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ, ବିଜେପି ନେତା ସଂଜୟ ଜେନ୍ ଓ କଂଗ୍ରେସ ବିଧାୟକ ଭମ୍ବରଲାଲଙ୍କ ସହ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଶୁଣିବାକୁ ମିଳିଛି ।

ସେ ଆହୁରି କହିଛନ୍ତି ଯେ, ସଚିନଙ୍କ ସହ ଆଲୋଚନା ଚାଲିଛି । ତେବେ କଣ ଆଲୋଚନା ହେଉଛି ସେନେଇ ସର୍ବସମ୍ମୁଖରେ କୁହାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।


Share It

Comments are closed.