ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଆତଙ୍କୀ ନିପାତ


ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଜାମ୍ମୁ-କାଶ୍ମୀରର କୁଲଗାମର ନାଗନାଦ ଚିମ୍ମେର ଅଞ୍ଚଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ମିଳିଥିବା ସୂଚନା ମୁତାବକ, ଏହି ଘମାଘୋଟ ଲଢ଼େଇରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ସେହି ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଅପରେସନ୍‌ ଜାରି ରଖିଛନ୍ତି। କିନ୍ତୁ ମୃତ ଆତଙ୍କବାଦୀମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ। ଗୁଇନ୍ଦାଙ୍କ ସୂଚନା ଅନୁସାରେ ପୂର୍ବରୁ ନାଗନାଦ ଚିମ୍ମେର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ସେନାବାହିନୀ ସମେତ ସିଆରପିଏଫ୍ ଯବାନ ସେହି ଅଞ୍ଚଳକୁ ଘେରି ଯାଇଥିଲେ। ଏହା ପରେ ସର୍ଚ୍ଚ ଅପରେସନ୍ ଚଳାଇଥିଲେ।ଏହା ପରେ ଲୁଚି ରହିଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ବର୍ଷଣ କରିଥିଲେ। ଜବାବରେ ସୁରକ୍ଷାକର୍ମୀମାନେ ମଧ୍ୟ ସେମାନଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରିଥିଲେ।

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଅନ୍ୟ ଜଣେ ଆତଙ୍କବାଦୀ ସେହି ଅଞ୍ଚଳରେ ଲୁଚି ରହିଥିବା ସୂଚନା ମିଳିଛି। ଏହା ପୂର୍ବରୁ ଜାମ୍ମୁ-କାଶ୍ମୀର କୁପୱାରା ସେନା ଏଲ୍‌ଓସି ନିକଟରେ ଆତଙ୍କବାଦୀମାନଙ୍କ ପ୍ରବେଶକୁ ଭୁଣ୍ଡୁର କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟ ହୋଇଥିବା ଲଢ଼େଇ ଭିତରେ ୩ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ। ପୁଣି ଆଜି ସମାନ ପରିସ୍ଥିତି ଜାମ୍ମୁ-କାଶ୍ମୀରର ନାଗନାଦ ଚାମ୍ମେର ଅଞ୍ଚଳରେ ଦେଖିବାକୁ ମିଳିଥିଲା।


Share It

Comments are closed.