ହାଇକୋର୍ଟରୁ ଝଟକା ଖାଇବା ପରେ ଏବେ ରାଜଭବନରେ ଧାରଣାରେ ବସିଲେ ଗେହଲଟ ଗୋଷ୍ଠୀ


ରାଜସ୍ଥାନର ରାଜନୀତି ଅଧିକ ଘନୀଭୂତ ହେବାରେ ଲାଗିଛି। କ୍ଷମତା ଲଢେଇ ଏବେ ରୋଚକ ମୋଡରେ ପହଞ୍ଚିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ଲଢେଇ ପରେ ଏବେ ରାଜ୍ୟପାଳ ଓ ଗେହଲଟ ମୁହାଁମୁହିଁ ସ୍ଥିତିରେ ଥିବା ନଜର ଆସିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡକାଇବାକୁ ଅପିଲ୍ କରିଥିବା ବେଳେ ଅନ୍ୟପଟେ ରାଜ୍ୟପାଳଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇ ନାହିଁ। ସୂତ୍ର ଅନୁଯାୟୀ କରୋନା ସଙ୍କଟ ସ୍ଥିତିକୁ ଦେଖି ଏବେ ବିଧାନସଭା ଅଧିବେଶନ ଡକାଇବା ଉଚିତ୍ ନୁହେଁ ବୋଲି ରାଜ୍ୟପାଳ କହିଛନ୍ତି। ଅପରପକ୍ଷେ ଗେହଲଟ ଗୋଷ୍ଠୀର ବିଧାୟକ ରାଜଭବନରେ ଧାରଣାରେ ବସିଛନ୍ତି।

ସୂତ୍ର ଅନୁଯାୟୀ, ରାଜ୍ୟପାଳଙ୍କ ପକ୍ଷରୁ କୁହାଯାଇଛି ଏବେ ଭାରତୀୟ ଜନତା ପାର୍ଟି, କଂଗ୍ରେସର ବିଧାୟକ କରୋନା ସଂକ୍ରମିତ। ତେଣୁ ଏମିତି ସ୍ଥିତିରେ ବିଧାନସଭା ଅଧିବେଶନ ଡକାଇବା ଠିକ୍ ନୁହେଁ। ଅଶୋକ ଗେହଲଟଙ୍କ ଗୋଷ୍ଠୀଙ୍କୁ ପ୍ରଥମେ ହାଇକୋର୍ଟରୁ ଝଟକା ଲାଗିବା ପରେ ଏବେ ରାଜଭବନରୁ ମଧ୍ୟ ଆଶାର କିରଣ ନଜର ଆସୁନାହିଁ। ଅନ୍ୟପଟେ ରାଜସ୍ଥାନରେ ହ୍ଵିପ୍ ଉଲ୍ଲଂଘନ ମାମଲାରେ ରାଜସ୍ଥାନ ହାଇକୋର୍ଟ ଯଥାସ୍ଥିତି ବଜାୟ ରଖିବା ଆଦେଶ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ରାଜଭବନ ପହଞ୍ଚି ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଛନ୍ତି। ଏହି ସମୟରେ ଗେହଲଟ ଗୋଷ୍ଠୀର ବିଧାୟକ ରାଜଭବନରେ ଧାରଣା ଦେବା ଆରମ୍ଭ କରି ଦେଇଛନ୍ତି। ବିଧାୟକମାନେ ଗେହଲଟ ଜିନ୍ଦାବାଦ ନାରା ଲଗାଇଛନ୍ତି।

ଏମିତି ସ୍ଥିତିରେ ଅଶୋକ ଗେହଲଟ୍ ସରକାର ସୁପ୍ରିମକୋର୍ଟର ପୁଣି ଥରେ ଦ୍ଵାରସ୍ଥ ହୋଇ ପାରନ୍ତି। ତୁରନ୍ତ ବିଧାନସଭା ଅଧିବେଶନ ଡକାଇବା ଓ ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ ସରକାରଙ୍କୁ ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଦାବି କରାଯାଇପାରେ। ହେଲେ ଏବେ ମଧ୍ୟ ରାଜ୍ୟପାଳଙ୍କ ପକ୍ଷରୁ ବିଧାନସଭା ଅଧିବେଶନ ଡକାଇବା ଉପରେ କୌଣସି ଅନ୍ତିମ ନିର୍ଣ୍ଣୟ ନିଆଯାଇ ନାହିଁ। ଏଥିରୁ ସ୍ପଷ୍ଟ ଜଣା ପଡିଛି ଯେ ଅଶୋକ ଗେହଲଟଙ୍କ ସାମ୍ନାରେ ଲଗାତାର ଜଟିଳ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। କାରଣ ଗୋଟିଏ ପଟେ ବିଧାୟକଙ୍କ ଦାବି ଗେହଲଟ ସରକାର ଶୀଘ୍ର ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରନ୍ତୁ ଓ ଶୀଘ୍ର ହୋଟେଲ୍‌ରୁ ବାହାରକୁ ଆସନ୍ତୁ। ଏହା ବ୍ୟତୀତ ପାଇଲଟ୍ ସମୂହକୁ ବାଚସ୍ପତିଙ୍କ ପକ୍ଷରୁ ଜାରି ନୋଟିସ୍ ଉପରେ ମଧ୍ୟ କୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଏମିତିରେ ରାଜସ୍ଥାନ ରାଜନୀତିର ମାମଲାର ଶୁଣାଣି କୋର୍ଟରେ ଅଧିକ ସମୟ ଚାଲିପାରେ।


Share It

Comments are closed.