ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଲୋକପ୍ରିୟ ପଞ୍ଜାବୀ ଗାୟକ ଦୀଲଜାନ


ପଞ୍ଜାବ ଅମୃତସର ଜିଲ୍ଲାରେ ଏକ ମର୍ମନ୍ଦୁତ ସଡକ ଦୁର୍ଘଟଣାରେ ପଞ୍ଜାବୀ ଗାୟକ ଦୀଲଜାନଙ୍କ ମୃତ୍ୟୁ ହୋଇଯାଇଛି। ମଙ୍ଗଳବାର ଭୋର ସମୟ ପ୍ରାୟ ୩ଟା ୪୫ ମିନିଟରେ ଦୁର୍ଘଟଣା ହୋଇଛି। ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦୀଲଜାନ ବିଳମ୍ବିତ ରାତିରେ ନିଜ କାରରେ ଅମୃତସରରୁ କରତାରପୁର ଆସୁଥିଲେ। ଜଣ୍ଡିୟାଲା ଗୁରୁ ନିକଟରେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦୀଲଜାନଙ୍କ ଘର କରତାରପୁରରେ। ତାଙ୍କ କାର ଡିଭାଇଡରରେ ଧକ୍କା ହେବା ଫଳରେ ଦୁର୍ଘଟଣା ହୋଇଛି ବୋଲି କୁହାଯାଉଛି। ପୋଲିସ କହିବାନୁଯାୟୀ, ଦୁର୍ଘଟଣାର କାରଣ ଯାଞ୍ଚ ଚାଲିଛି। ଦୀଲଜାନ ମଙ୍ଗଳବାର ଭୋର ସମୟରେ ନିଜ କାରରେ ଅମୃତସରରୁ କରତାରପୁର ଆସୁଥିଲେ। ଜିଟି ରୋଡ଼ରେ ତାଙ୍କ କାରର ବେଗ ବହୁତ ଅଧିକ ଥିଲା। ପୋଲ ପାଖରେ କାର ନିୟନ୍ତ୍ରଣ ହରାଇ ଡିଭାଇଡର ସହ ଧକ୍କା ହୋଇ ଓଲଟି ପଡିଥିଲା। ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ ତାଙ୍କୁ ନେଇ ହସ୍ପିଟାଲ ଯିବା ପୂର୍ବରୁ ଦୀଲଜାନଙ୍କ ମୃତ୍ୟୁ ହୋଇସାରିଥିଲା। ଦୀଲଜାନଙ୍କ ପରିବାର ଲୋକ କହିଛନ୍ତି ଯେ ଏପ୍ରିଲ ୨ ତାରିଖରେ ଦୀଲଜାନଙ୍କ ନୂଆ ଗୀତ ରିଲିଜ ହେବାରଥିଲା। ରିଲିଜକୁ ନେଇ ସେ ଏକ ମିଟିଂରେ ଯୋଗ ଦେବାକୁ ସୋମବାର ଦିନ ଅମୃତସର ଯାଇଥିଲେ। ବିଳମ୍ବିତ ରାତିରେ ଫେରୁଥିବା ସମୟରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ବେଳେ ଦୀଲଜାନ କାରରେ ଏକା ଥିଲେ।


Share It

Comments are closed.