କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ


ଆସନ୍ତାକାଲିଠୁ ପର୍ଯ୍ୟାୟକ୍ରମେ ରେଳ ସେବା ଆରମ୍ଭ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡ଼ା ରେଳ ଚାଲିବା ନେଇ ନିଷ୍ପତ୍ତି ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । ଆଗକୁ ମଧ୍ୟ ଏପ୍ରକାର ରଣନୀତି ଜରି ରହିବା ଦରକାର ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ।

ନିଜ ଟ୍ୱିଟରରେ ପି. ଚିଦାମ୍ବରମ୍ ଲେଖିଛନ୍ତି, ”ଯାତ୍ରୀବାହୀ ଟ୍ରେନ ଶୁଭାରମ୍ଭ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ଏହି ଫର୍ମୁଲା ସଡ଼କ ଏବଂ ଆକାଶ ପଥରେ ମଧ୍ୟ ଆପଣାଇବା ଦରକାର ।” ଚିଦାମ୍ବରମ୍ ଆହୁରି ମଧ୍ୟ କହିଛନ୍ତି, ଆର୍ଥିକ ଏବଂ ବ୍ୟବସାୟିକ କାର୍ଯ୍ୟକଳାପ ଆରମ୍ଭ କରିବାର ଏକମାତ୍ର ରାସ୍ତା ହେଉଛି ରେଳ, ସଡ଼କ ଏବଂ ଆକାଶ ପଥରେ ଯାତାୟତକୁ ଧୀରେ ଧୀରେ ସ୍ୱାଭାବିକ କରିବା । ତେଣୁ ପର୍ଯ୍ୟାୟକ୍ରମେ ଏହାକୁ ଖୋଲି ଦେବା ଦରକାର ବୋଲି ମଦ ରଖିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା ।

ଆସନ୍ତାକାଲିଠୁ ପର୍ଯ୍ୟାୟକ୍ରମେ ରେଳ ସେବା ଆରମ୍ଭ ହେଉଛି । ତେବେ ଏନେଇ ରେଳ ବିଭାଗ ପକ୍ଷରୁ କିଛି ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ଟିକେଟ କାଉଣ୍ଟରରେ ନୁହେଁ, ଅନଲାଇନରେ ହିଁ ଟିକେଟ କରିବାକୁ ପଡ଼ିବ । ଟିକେଟ କାଉଣ୍ଟର ବନ୍ଦ ରହିବ । ସେହିପରି ଆପଣଙ୍କୁ ଟ୍ରେନ ଛାଡ଼ିବାର ଅନ୍ତତଃ ଘଣ୍ଟାଏ ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ହେବ । ଷ୍ଟେସନରେ ଆପଣଙ୍କ ମେଡ଼ିକାଲ ଜାଞ୍ଚ, କୋରୋନା ଭାଇରସ୍ ସହ ସମ୍ପର୍କିତ ଅନ୍ୟ ପ୍ରୋଟୋକଲ, ମାସ୍କ ଇତ୍ୟାଦି ଅନିବାର୍ଯ୍ୟ ଅଟେ । ସେହିପରି ଆପଣ ଆରୋଗ୍ୟ ସେତୁ ଆପ୍ ମଧ୍ୟ ଡାଉନଲୋଡ କରିଥିବା ଦରକାର । ଷ୍ଟେସନ ଭିତରକୁ କେବଳ ବୈଧ ଟିକେଟ ଥିବା ଯାତ୍ରୀଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିବ । ସେହିପରି ଟ୍ରେନ ଗୁଡ଼ିକ ଅତି କମ୍ ଷ୍ଟେସନରେ ହିଁ ରହିବ ।  ସେହିପରି କୋରୋନା ସଂକ୍ରମଣକୁ ଆଖିଆଗରେ ରଖି ଆପଣଙ୍କୁ କମ୍ବଳ, ଚାଦର, ତକିଆ ଇତ୍ୟାଦି ମିଳିବ ନାହିଁ । କେବଳ ଏତିକି ନୁହେଁ, ଏସି ଚଲାଇବା ପାଇଁ ମଧ୍ୟ ବିଶେଷ ନିୟମ ରହିଛି । ତାପମାତ୍ରା ସାମାନ୍ୟ ଦିନଠୁ ଟିକେ ଅଧିକ ରହିବ । ସେହିପରି ବଗି ଭିତରକୁ ଖୋଲା ପବନ ପ୍ରବେଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସେହିପରି ରେଳ ଭଡ଼ା ସୁପର ଫାଷ୍ଟ ସହ ସମାନ ରହିବ ।


Share It

Comments are closed.