ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ହେବ ଏମଏସଏମଇ ପାର୍କ: ଅଧିକାରୀ


ରାଜ୍ୟରେ ଏମଏସଏମଇ ସ୍ଥାପନ ନିମନ୍ତେଥିବା ଭିତିଭୁମିକୁ ଆଧାରକରି ଓଡ଼ିଶା ସରକାର ପ୍ରତ୍ୟେକ ଜିଲ୍ଲାରେ ଏମଏସଏମଇ ପ୍ରତିଷ୍‌ଠା କରିବାକୁ ଯାଉଛନ୍ତି । ପ୍ରୋପ୍ୟାକ ଓଡ଼ିଶା ୨୦୨୨ ର ଉଦଯାପନୀ ସଂନ୍ଧ୍ୟାରେ ନିଜର ମତବ୍ୟକ୍ତ ରଖି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଶ୍ରୀଯୁକ୍ତ ସୁରେଶ ମହାପାତ୍ର କହିଛନ୍ତିଯେ, “ଆମେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏମଏସଏମଇ ପାର୍କ ପ୍ରତିଷ୍ଠା କରିବାକୁ ଯୋଜନା ରଖିଛୁ । ଜମି, ବିଦ୍ୟୁତ ଏବଂ ଜଳ ସମେତ ବିଭିନ୍ନ ଭିତିଭୁମି ସହାୟତା ଯୋଗାଇବା ନିମନ୍ତେ ଇଡ଼କୋକୁ ୪୫୦ କୋଟି ଟଙ୍କାରୁ ଅଧିକ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । କୋଭିଡ୍‌-୧୯ ମହାମାରୀ କାରଣରୁ ଗତ ଦୁଇ ବର୍ଷ ଇଣ୍ଡଷ୍ଟ୍ରିଆଲ ସେକ୍ଟର ପାଇଁ ଅତ୍ୟନ୍ତ କଷ୍ଟକର ଥିଲା, ବିଶେଷ କରି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ । ଭାରତ ସରକାର ଓ ରାଜ୍ୟ ସରକାର  ଶିଳ୍ପଗୁଡିକର ପୁନରୁଦ୍ଧାରରେ ସାହାଯ୍ୟ କରିବା ପାଇଁ ସର୍ବୋତମ ଚେଷ୍ଟା କରିଥିଲେ ଏବଂ ସୌଭାଗ୍ୟବଶତଃ ଆମେ ଏହା ସୂଚିତ କରି ଖୁସି ଅନୁଭବ କରୁଛୁ ଯେ, ଅଧିକାଂଶ ଶିଳ୍ପ ପୁଣିଥରେ ପୂର୍ବ ସ୍ଥିତିକୁ ଫେରିପାରିଛନ୍ତି, ବିଶେଷ କରି ଗତ କିଛି ମାସ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପୁଣିଥରେ ଆକ୍ରମଣାତ୍ମକ ଭାବେ ସୁଦୃଢ ହୋଇପାରିଛି, ଆଶା କରୁଛୁ ସେମାନେ କୋଭିଡ୍ ୧୯କୁ ପଛରେ ପକାଇ ଆଗକୁ ବଢିପାରିବେ । ମୁଁ ଏଠାରେ କୌଣସି ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିଥିବାର ଦେଖୁନାହିଁ, ତେଣୁ ଏହା ସ୍ପଷ୍ଟ ଯେ, ଆମେ ମହାମାରୀକୁ ପରାଜିତ କରିଛୁ । ଓଡିଶା ସରକାର ଗତ ୩ ବର୍ଷ  ହେବ ଶିଳ୍ପଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ଅତ୍ୟନ୍ତ ସକ୍ରିୟ ରହିଛନ୍ତି, ବର୍ତମାନ ରାଜ୍ୟ ସରକାର  କ୍ଷୁଦ୍ର ଓ ଅଣୁ ଶିଳ୍ପ କ୍ଷେତ୍ର (ଏସ୍‌ଏମ୍‌ଇ), ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।”

ସେହିପରି ରାଜ୍ୟ ଏମ୍‌ଏସ୍‌ଏମ୍‌ଇ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ କହିଛନ୍ତି, “ ମହାମାରୀ ପୂର୍ବରୁ ଓ ପରେ, ବିଶେଷ କରି ୨୦୧୭ ପରଠାରୁ ରାଜ୍ୟ ସରକାର ଅହେତୁକ ଭାବେ ଶିଳ୍ପାୟନକୁ ପ୍ରୋତ୍ସାହିତ କରିଛନ୍ତି । ଓଡିଶାର ଅଧିକାଂଶ ଲୋକ ଚାକିରି କିମ୍ବା କୃଷି ଉପରେ ନିର୍ଭର କରନ୍ତି । ଉପଯୁକ୍ତ ଭିତିଭୂମିର ଅଭାବ ଓ ଶିଳ୍ପକୁ ନେଇ ମନୋଭାବର ଅଭାବ କାରଣରୁ ପୂର୍ବର ସରକାରମାନେ ଶିଳ୍ପାୟନରେ ଅନେକ ଥର ବିଫଳ ହୋଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳ ଭିତରେ ପ୍ରଥମ ୧୫ ବର୍ଷରେ ଏହି ଭିତିଭୂମି ସୃଷ୍ଟି କରାଯାଇଥିଲା । ଆଜି ଆମ ପାଖରେ ଟେକ୍ନିକାଲ ଟୁଲ୍ ରହିଛି । ନୂଆ ଯୁବପିଢି ହେଉଛନ୍ତି ଭବିଷ୍ୟତ ପିଢିର ଚାଳକ । ଆମକୁ  ରିସ୍କ ନେବାକୁ ପଡିବ ଏବଂ ଯୁବପିଢି ଏହି ରିସ୍କ ନେବେ । ଓଡିଶାରେ ଭିତିଭୂମି ଓ ପ୍ରତିଭା ଭରପୂର ମାତ୍ରାରେ ରହିଥିବା ବେଳେ ଶିଳ୍ପାୟନକୁ ଆଗକୁ ବଢାଇବା ପାଇଁ ଆମେ ଏମ୍‌ଏସ୍‌ଏମ୍‌ଇର ଆବଶ୍ୟକ କରୁଛୁ । ଓଡିଶାର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏ ଦିଗରେ ପଥପ୍ରଦର୍ଶନକାରୀ ହୋଇପାରିବ । କାରଣ ମୁଁ ଭାବୁଛି ୫୦% ବ୍ୟବସାୟ ଏମ୍‌ଏସ୍‌ଏମ୍‌ଇ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରୁ ଆସିପାରିବ । ଆଜି ଯେପରି ଓଏଏସ୍‌ଏମ୍‌ଇରେ ପ୍ୟାକେଜିଙ୍ଗ୍‌କୁ ଗୁରୁତ୍ୱ ଦିଆଯାଇଛି , ଓଏଏସ୍‌ଏମ୍‌ଇ ସେହିପରି ଅନ୍ୟାନ୍ୟ କ୍ଷେତ୍ର ଯେପରିକି ଲାଇଟ୍ ଇଞ୍ଜିନିୟରିଂ, ଇଲେକ୍‌ଟ୍ରୋନିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ପ୍ୟାକେଜିଙ୍ଗ୍ ଆଦି ଉପରେ ଗୁରୁତ୍ୱ ଦେବା ଉଚିତ । ଆମକୁ ବର୍ଗୀକରଣ କରିବାକୁ ପଡିବ । କେବଳ ଭୁବନେଶ୍ୱରରେ ନୁହେଁ ରାଜ୍ୟର ଅନ୍ୟ ସହରଗୁଡିକରେ ମଧ୍ୟ ଶିଳ୍ପକୁ ନେଇ ସଚେତନତା ବୃଦ୍ଧି କରାଯିବା ଉଚିତ । ନିକଟରେ ମୁଖ୍ୟମନ୍ତ୍ରୀ ଫୁଡ୍ ପ୍ରୋର ଶୁଭାରମ୍ଭ କରିଛନ୍ତି, ଯାହାଦ୍ୱାରା ଏସ୍‌ଏଚ୍‌ଜିଗୁଡିକ ମାଧ୍ୟମରେ ଫୁଡ୍ ପ୍ୟାକେଜିଙ୍ଗ୍‌କୁ ଲୋକଲୋଚନକୁ ଅଣାଯାଇପାରିବ । ଆମକୁ ଶିଳ୍ପରେ ମଧ୍ୟ ଏଭଳି ଭିତିଭୂମି ସୃଷ୍ଟି କରିବାକୁ ହେବ । ରାଜ୍ୟବାସୀ ଏଦିଗରେ ଆଗକୁ ଆସି ସରକାରଙ୍କୁ ସହଯୋଗ କରିବା ପାଇଁ ମୁଁ ନିବେଦନ କରୁଛି ।”

ଶ୍ରୀଯୁକ୍ତ ବିଶାଲ୍ ଦେବ୍‌, ରାଜ୍ୟ ଅର୍ଥ ବିଭାଗର ମୁଖ୍ୟ ସଚିବ, କହିଛନ୍ତିଯେ, “ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପାଇଁ ବ୍ୟାଙ୍କ ଗୁଡ଼ିକ ଆର୍ଥିକ ଉପଲବ୍ଧତା ନିଶ୍ଚିତ କରିବା ଆବଶ୍ୟକ ରହିଛି । ଶିଳ୍ପ ସଂଗଠନ ସହ ସହଯୋଗ ବଜାୟ ରଖିବାକୁ ଓଡ଼ିଶା ସରକାର ଯୋଜନା ରଖିଛନ୍ତି । ଆମେ ଏମଏସଏମଇର ଆର୍ôଥକ ବିକାଶକୁ ଗୁରୁତ୍ୱପୁର୍ଣ୍ଣବୋଲି ଭାବିଥାଉ । କିନ୍ତୁ ଅଧିକାଂଶ ସମୟରେ ଶିଳ୍ପ ସଂସ୍ଥା ଗୁଡ଼ିକ ପ୍ରାୟତଃ ଆର୍ôଥକ ସମସ୍ୟାର ସମ୍ମୁଖିନ ହେଉଥିବାରୁ ଆମ୍ଭେମାନେ ବ୍ୟାଙ୍କ ଗୁଡ଼ିକ ସହିତ ଏ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛୁ ଏବଂ ସେମାନଙ୍କ ପାଇଁ ଅର୍ଥର ଉପଲବ୍ଧତା ନିଶ୍ଚିତ କରିବାକୁ ମଧ୍ୟ କହିଛୁ । ଏହା ବ୍ୟତୀତ ସରକାର ଅଧିକାଂଶ ସମୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଅନ୍ୟ ବ୍ୟାଙ୍କ ଏବଂ ଅନ୍ୟ ବାଣିଜ୍ୟିକ ପ୍ଲାଟଫର୍ମ ସହିତ କର୍ମଶାଳାମାନ ଆୟୋଜନ କରିଆସୁଛନ୍ତି ।”

ଓଡ଼ିଶା ଆସେମ୍ବଲି ଫର ସ୍ମଲ ଆଣ୍ଡ୍ ମିଡିୟମ୍ ଏଟଂରପ୍ରାଇଜେସ୍ ପକ୍ଷରୁ ୩୬ତମ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ଭୁବନେଶ୍ୱରର ଜନତା ମୈଦାନଠାରେ ୨୫ ତାରିଖରୁ ଆରମ୍ଭ ହୋଇଥିବା ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଓ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ମିଟ୍‌-୨୦୨୨ ଆଜି ଉଦଯାପିତ ହୋଇଛି । ଏହି ଅବସରରେ ଓରମାସ ସହିତ ୫ଟି କମ୍ପାନୀ ପ୍ୟାକେଜିଂ ପାଇଁ ଚୁକ୍ତିବଦ୍ଧ ହୋଇଛି ।

ଏହି ଉଦଯାପନୀ ସମାରୋହରେ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ପି.କେ ଗୁପ୍ତା, ଯୁଗ୍ମ ନିର୍ଦେଶକ ଏବଂ ଏଚଓଓ, ଏମଏସଏମଇ – ଡ଼ିଏଫଓ, ଭାରତ ସରକାର, ଶ୍ରୀ ବିଭୁତି ଭୂଷଣ ଦାଶ, ଆଇଓଏଫଏସ, ସ୍ୱତନ୍ତ୍ର ସଚିବ, ଏମଏସଏମଇ ବିଭାଗ, ଓଡ଼ିଶା , ଓସମିର ମହାସଚିବ ଶ୍ରୀଯୁକ୍ତ ସାତ୍ୱିକ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିବା ସହିତ ପରିଶେଷରେ ଡ଼ଃ ସରତ କୁମାର ସାହୁ, ଏକ୍‌ସକ୍ୟୁଟିଭ୍ ଚେୟାରମ୍ୟାନ, ଓସମି  ଧନ୍ୟବାଦ ପ୍ରଦାନ କରିଥିଲେ ।

ଜାତୀୟ ସ୍ତରର ପ୍ରଦର୍ଶନୀ ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଯାହା ଆଜିଠାରୁ ଆରମ୍ଭ ହୋଇଛି ତାହା ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ଜନତା ମୈଦାନରେ ଚାଲିବ । ଏଥିରେ ସାରା ଭାରତର ପ୍ୟାକେଜିଂ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ୪୦ରୁ ଅଧିକ ସଂସ୍ଥା ଅଂଶଗ୍ରହଣ କରିଛନ୍ତି । ଏକ ବହୁଦେଶୀୟ କଂପାନି ମଧ୍ୟ ଏଥିରେ ଯୋଡ଼ି ହୋଇଛି । ଓଡ଼ିଶାରୁ ୧୦୦ରୁ ଅଧିକ ଏସ୍‌ଏମ୍‌ଇ ମଧ୍ୟ ଏହି ପ୍ରଦର୍ଶନରେ ଯୋଗ ଦେଇଛନ୍ତି ।

ଓଡ଼ିଶାରେ ଆୟୋଜନ କରାଯାଇଥିବା ଏହି ପ୍ରଥମ ଧରଣର ପ୍ରଦର୍ଶନୀ ହେଉଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା, ନିଜର ଉତ୍ପାଦ ଓ ସେବାକୁ ପ୍ରଦର୍ଶିତ କରିବା ଏବଂ ପରସ୍ପର ସହ ଯୋଡ଼ି ହୋଇ ଚିନ୍ତାଧାରାର ଆଦାନପ୍ରଦାନ କରିବା ଲାଗି ଏହା ଏକ ଉପଯୁକ୍ତ ମଂଚ ଭାବେ ପ୍ରତିପାଦିତ ହୋଇପାରିଛି । ରାଜ୍ୟର ଏମ୍‌ଏସ୍‌ଏମଇଗୁଡ଼ିକୁ ଏହା ନୂଆ ବ୍ୟବସାୟ ଓ ନେଟୱର୍କିଂ ସୁଯୋଗ ପ୍ରଦାନ କରିବା ଓ ପ୍ରଦର୍ଶନକାରୀମାନଙ୍କ ପାଇଁ ନୂଆ ବଜାର ଓ ବ୍ୟବସାୟ ସୃଷ୍ଟି କରିବା ଲକ୍ଷ୍ୟନେଇ ଏହା ଆୟୋଜନ କରାଯାଇଥିଲା ।


Share It

Comments are closed.