ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର


ନ୍ୟାସନାଲ୍ ଡେମୋକ୍ରାଟିକ୍‌ ଆଲିଆନ୍ସ (NDA) ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିବା ପରେ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଘୋଷଣା କରିବା ଆରମ୍ଭ କରିଛନ୍ତି । ବିହାରରେ ବିଜେପି ଏବଂ ଜନତା ଦଳ ୟୁନାଇଟେଡ୍ (JDU) ମେଣ୍ଟ ସରକାର ଥିବା ବେଳେ ବର୍ତ୍ତମାନ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର ।

ମଙ୍ଗଳବାର ଏନଡିଏ ସଂସଦୀୟ ଦଳ ବୈଠକରେ ସର୍ବସମ୍ମତି କ୍ରମେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ମୋଟ ୧୯ଟି ଦଳ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିଲେ । ସଂସଦୀୟ ବୋର୍ଡ ବୈଠକରେ ପ୍ରେସମିଟ୍‌ କରି ସୂଚନା ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏବେ ବିହାରର ଜେଡିୟୁ ଏବଂ ଓଡିଶାର ବିଜୁ ଜନତା ଦଳ (ବିଜେଡି) ମଧ୍ୟ ସମର୍ଥନ ଘୋଷଣା କରିଛନ୍ତି ।

ଜେଡିୟୁ ସମର୍ଥନ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ‘ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେଉଥିବା ନେଇ ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ସୂଚନା ଦେଇଥିଲେ’ ।

ଜନତା ଦଳ ୟୁନାଇଟେଡ୍‌ର ରାଷ୍ଟ୍ରୀୟ ସଭାପତି ରାଜୀବ ରଞ୍ଜନ ସିଂହ ଆନୁଷ୍ଠାନିକ ଭାବେ ସମର୍ଥନ ଘୋଷଣା କରିଛନ୍ତି । ଟ୍ବିଟ୍‌ କରି ରାଜୀବ ସିଂହ କହିଛନ୍ତି, ‘ଜନତା ଦଳ ୟୁନାଇଟେଡ୍‌ (JDU) ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସ୍ବାଗତ କରିବା ସହିତ ସମର୍ଥନ ଘୋଷଣା କରୁଛୁ’ ।

ଟ୍ବିଟ୍‌ କରି ନୀତୀଶ କୁମାର କହିଛନ୍ତି, ‘ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା ହେବା ଖୁସିର ବିଷୟ । ସେ ଜଣେ ମହିୟସୀ ଆଦିବାସୀ ମହିଳା । ତେଣୁ ଏହାଠାରୁ ଖୁସିର ବିଷୟ ଆଉ କଣ ହୋଇପାରେ ଯେ, ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ପଦବୀ ପାଇଁ ମନୋନୀତ ହୋଇଛନ୍ତି । ସେ ଓଡିଶା ସରକାରେ ଜଣେ ମନ୍ତ୍ରୀ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ । ଏହା ସହିତ ଝାଡଖଣ୍ଡର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ବ ତୁଲାଇ ସାରିଛନ୍ତି’ ।


Share It

Comments are closed.