ଦିଲ୍ଲୀରେ ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ


ଦିଲ୍ଲୀରେ ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଭୁବନେଶ୍ଵରରୁ ଯାଇ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ଵର୍ଦ୍ଧନା କରାଯାଇଛି। ସେ ବିମାନ ବନ୍ଦରରୁ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ସେ ଆସନ୍ତାକାଲି ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ।

ସୂଚନାନୁଯାୟୀ, ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ରରେ ଦସ୍ତଖତ ହୋଇଛି। ଓଡ଼ିଶାର ୨ କ୍ୟାବିନେଟ୍ ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସାରକା ନାମାଙ୍କନ ପତ୍ରରେ ଦସ୍ତଖତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୨ କ୍ୟାବିନେଟ୍ ମନ୍ତ୍ରୀ ଦସ୍ତଖତ କରିଛନ୍ତି। ଆସନ୍ତାକାଲି ନାମାଙ୍କନ ବେଳେ ସେମାନେ ଉପସ୍ଥିତ ରହିବେ। ସେହିପରି ଓଡ଼ିଶାର ୧୦ରୁ ଅଧିକ ବିଜେପି ବିଧାୟକ ଉପସ୍ଥିତ ରହିବେ।

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ । ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପକ୍ଷରୁ ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ସେପଟେ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ ସିହ୍ନା । ନିଜ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ଭାବେ ବିଜୟୀ କରିବାକୁ ଆବଶ୍ୟକ ମୋଟ ଭୋଟ୍‌ରୁ ପ୍ରାୟ ୧.୨ ପ୍ରତିଶତ କମ୍‌ ରହିଛି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପାଖରେ । ଆଉ ବିଜେଡି ପାଖରେ ଅଛି ୨.୮୮% ଭୋଟ୍‌ । ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ଆଜି ସମର୍ଥନ ଘୋଷଣା କରିଛି । ଏଥିସହ ଓଡ଼ିଶାର ସମସ୍ତ ବିଧାୟକ ଦ୍ରୌପଦୀଙ୍କୁ ଭୋଟ୍‌ ଦେବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ନବୀନଙ୍କ ସମର୍ଥନ ଘୋଷଣା ପରେ ବଦଳି ଯାଇଛି ଗଣିତ । ଦ୍ରୌପଦୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପାଇଁ ପଥ ପରିଷ୍କାର ହୋଇଯାଇଛି ।


Share It

Comments are closed.