ମୋନ ପକ୍ଷରୁ ଉତ୍କଳ ଦିବସରେ ମଦମୁକ୍ତ ଓଡିଶା ଦାବି


ଭୁବନେଶ୍ୱର : ୮୫ତମ ଉତ୍କଳ ଦିବସ ଅବସରରେ ମିଳିତ ଓଡଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ରାଜଧାନୀ ଭୁବନେଶ୍ୱରସ୍ଥିତ ଗବର୍ନର ହାଉସ ଛକ ଠାରେ ଉତ୍କଳ ଗୌରବ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯିବା ସହ ଲୋଏର ପିଏଜି ଛକ ଠାରେ ମଦ ମୁକ୍ତ ଓଡିଶା ପାଇଁ ଦାବୀ କରାଯାଇଥିଲା । କେବଳ ଏତିକି ନୁହେଁ ସଂଗଠନ ପକ୍ଷରୁ ପ୍ରଦେଶକୁ କିପରି ଭାବେ ଯଥା ଶୀଘ୍ର ମଦ ମୁକ୍ତ କରାଯିବା ସେ ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ମଧ୍ୟ ପ୍ରଦାନ କରାଯାଇଛି ।
ଏହି ଅବସରରେ ମୋନାର ସଭାପତି ଶ୍ରୀ ପଦ୍ମଚରଣ ନାୟକ କହିଛନ୍ତି ଯେ, ରାଜ୍ୟକୁ ସ୍ୱତନ୍ତ୍ର ପ୍ରଦେଶ କରିବା ପାଇଁ ଅନେକ ଓଡିଆ ନିଜକୁ ଉତ୍ସର୍ଗ କରିଦେଇଥିଲେ । ତାଙ୍କ ପ୍ରୟାସ ପାଇଁ ଓଡିଶା ସର୍ବଦା ଋଣି । ସେହି ରାଜ୍ୟରେ ଚଳିତ ସରକାର ୨୦ ବର୍ଷରୁ ଅଧିକ କାଳ ରହିବାର ସୌଭାଗ୍ୟ ଲାଭ କରିଛି । ଏହି ସମୟ ମଧ୍ୟରେ ରାଜ୍ୟରେ ମଦର ପ୍ରସାର ୨୦ ଗୁଣରୁ ଅଧିକ ବଢିଛି । ଏହା ଫଳରେ ଲକ୍ଷାଧିକ ଲୋକ ସଡ଼କ ଦୁର୍ଘଟଣାରେ ମରୁଛନ୍ତି । ବିଷାକ୍ତ ମଦ ଯୋଗୁଁ ଯେତିକି ପ୍ରାଣ ହରାଉଛନ୍ତି, ବିଶୁଦ୍ଧ ମଦ ପିଇ ମଧୁମେହ ହୁଏ ଏବଂ ତା’ରି ଫଳରେ ଲୋକେ ରୋଗ ପ୍ରତିରୋଧକ ଶକ୍ତି ହରାନ୍ତି । ପରିଣାମ ସ୍ୱରୁପ ହୃଦଘାତ ଓ ନାନା ପ୍ରକାର କର୍କଟ ରୋଗରେ ସେମାନେ ତରୁଣ ବୟସରେ ପ୍ରାଣ ହରାନ୍ତି । ଗତ ୨୦ବର୍ଷ ମଧ୍ୟରେ ଏଭଳି ଭାବରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଯୁବତୀ ଅଳ୍ପ ବୟସରୁ ବିଧବା ହେବା ତା’ର ପ୍ରମାଣ । ପଶ୍ଚିମ ଓଡ଼ିଶାରେ ଅନେକ ଗାଁରେ ଏଭଳି କାରଣରୁ ଏତେ ଯୁବତୀ ବିଧବା ହୋଇଛନ୍ତି ଯେ କେତେ ଗାଁରେ ବିଧବା ପଡ଼ା ବି ଦେଖିବାକୁ ମିଳେ ।

ଏହା ସହ ସେ କହିଛନ୍ତି ଯେ, ‘ ଯେଉଁମାନେ ସ୍ୱତନ୍ତ୍ର ଓଡ଼ିଶା ପାଇଁ ଲଢିଥିଲେ; ସେମାନେ ସ୍ୱପ୍ନ ଦେଖିଥିଲେ ସମୃଦ୍ଧ ଓ ଗୌରବମଣ୍ଡିତ ଉତ୍କଳର । ସରକାର ଆଗାମୀ ବର୍ଷକ ମଧ୍ୟରେ ଓଡ଼ିଶାକୁ ନିଶାମୁକ୍ତ କଲେ ସେହି ମହାନ ଜାତିପ୍ରାଣମାନଙ୍କ ସ୍ୱପ୍ନ ସାକାର ହେବ ଓ ଓଡ଼ିଶାର ନିୟୁତ ନିୟୁତ ମାଆମାନଙ୍କର ଆଖିରୁ ଲୁହ ଶୁଖିବ ଏବଂ ପିଲାଙ୍କ ମୁହଁରେ ହସ ଫୁଟିବ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମଳୟ ତ୍ରିପାଠୀ, ବାଣୀ ଦାସ, ଖଗେସ୍ୱର ବଳ, ସୌମ୍ୟରଞ୍ଜନ ମହାନ୍ତି, ଇନ୍ଦୁମତୀ ନାୟକ, ଶାନ୍ତିଲତା ରାଉତରାୟ, ପ୍ରଭାତ ସାମନ୍ତରାୟ, ଶୁଭେନ୍ଦୁ ରାଉତରାୟ, ମୃତ୍ୟୁଞ୍ଜୟ ସାମଲ, ରମାକାନ୍ତ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.