‘ସ୍କାଇପ୍‌’ରେ ସାଂସଦ ଓ ଜନପ୍ରତିନିଧିମାନଙ୍କ ସହ ଆଲୋଚନା କଲେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ


କରୋନା ଭାଇରସର ମୁକାବିଲା କରିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଜି ଅପରାହ୍ନରେ ଖାଦ୍ୟ ଯୋଗାଣା ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଜନପ୍ରତିନିଧିଙ୍କ ସହିତ ସ୍କାଇପ୍ ମାଧ୍ୟମରେ ଆଲୋଚନା କରିଥିଲେ । ରାଜ୍ୟସଭା ସାଂସଦ ଶ୍ରୀ ଅମର ପଟ୍ଟନାୟକ ଏହି ଆଲୋଚନାରେ ଅଂଶଗ୍ରହଣ ମଧ୍ୟ କରିଥିଲେ ।
ଏହି ଆଲୋଚନାରେ ଆଠଗଡ ନିର୍ବାଚନ ମଣ୍ଡଳୀରେ କୋଭିଡ ସଂକ୍ରମଣର ସଦ୍ୟତମ ସ୍ଥିତି, ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଏବଂ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡିଆମାନଙ୍କର କ୍ୱାରେଣ୍ଟାଇନ ବ୍ୟବସ୍ଥା ଆଦି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଲୋଚନା କରିଥିଲେ । ସାମାଜିକ ଦୂରତ୍ୱ, ସଙ୍ଗରୋଧ ଆଦି ସଂପର୍କରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଭିନ୍ନ ନିର୍ଦ୍ଦେଶାବଳୀର କଡାକଡି ପାଳନ ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିବାବେଳେ ଏହାର ତଦାରଖ ନିମନ୍ତେ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ସେମାନଙ୍କର ଭୂମିକା ଓ ଗୁରୁଦାୟିତ୍ୱ ସଂପର୍କରେ ଅବଗତ କରାଇଥିଲେ । ଏଥି ସହିତ କରୋନା ମୁକାବିଲା ନିମନ୍ତେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ ।
ଆଲୋଚନା ସମୟରେ ରାଜ୍ୟସଭା ସାଂସଦ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଲକ୍‌ଡାଉନ ଭଳି ସ୍ଥିତିରେ ଟେକନୋଲୋଜି ଓ ସୋସିଆଲ ମିଡିଆର ବହୁଳ ବ୍ୟବହାର ଜରିଆରେ ଜନସାଧାରଣଙ୍କ ସମସ୍ୟାର ସମାଧାନ ସମ୍ଭବପର ହୋଇପାରୁଛି । ସୋସିଆଲ ମିଡିଆ ଜରିଆରେ ଲୋକମାନଙ୍କର ସମସ୍ୟା ସଂପର୍କରେ ଅବଗତ ହେବା ଏବଂ ଏହା ମାଧ୍ୟମରେ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଫେସବୁକ, ଟୁଇଟର, ଟେଲିଗ୍ରାମ ଆଦି ମାଧ୍ୟମରେ ଲୋକମାନଙ୍କର ଅଭିଯୋଗକୁ ଗ୍ରହଣ କରି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବା ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇପାରିଛି । ଚଳିତ ଖରିଫ ଚାଷ ପାଇଁ ସାର, ବିହନ ଆଦି ଯୋଗାଣକୁ ସୁଗମ କରାଯାଇଛି ବୋଲି ମନ୍ତ୍ରୀ ଆଲୋଚନା ସମୟରେ କହିଥିଲେ । ସୋସିଆଲ ମିଡିଆ ସହାୟତାରେ ଲୋକମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଣ ସଂପର୍କରେ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହ ଯୋଗସୂତ୍ର ସ୍ଥାପନ କରି ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ । ଏଥି ସହିତ କରୋନା ସଂକ୍ରମଣରୁ ରକ୍ଷା ପାଇବା ସଂପର୍କରେ ବିହିତ ପଦକ୍ଷେପ ନିଆଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ଏହି ଆଲୋଚନାରେ ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ଲକ ଚେୟାରମ୍ୟାନ, ସରପଞ୍ଚ ସମିତି ସଭ୍ୟ ଓ ଅନ୍ୟ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ ।


Share It

Comments are closed.