ଏବେ ଓଡିଶା ମୁହାଁ ପଙ୍ଗପାଳ, ଚାଷୀଙ୍କୁ ଘାରିଲାଣି ଚିନ୍ତା


ଓଡ଼ିଶା ମୁହାଁ ପଙ୍ଗପାଳ । ବାତ୍ୟା ମାଡ଼ ପରେ ଏବେ ଓଡ଼ିଶା ଚାଷୀଙ୍କୁ ପଙ୍ଗପାଳ ଭୟ । ଦଳଦଳ ହୋଇ, ଦେଶ ଭିତରେ ଉତ୍ପାତ ଆରମ୍ଭ କରିଦେଇଛନ୍ତି।  ପାକିସ୍ତାନରୁ ବାହାରିଥିବା ଏଇ ପଙ୍ଗପାଳ ରାଜସ୍ଥାନର ୧୮ ଜିଲ୍ଲାକୁ ଝୁଣି ଝୁଣି ଖାଇବା ପରେ ମଧ୍ୟପ୍ରଦେଶକୁ ଏଣ୍ଟ୍ରୀ କରିଥିଲା । ସେଠାରେ ୧୨ ଜିଲ୍ଲାର ଫସଲ ସଫା କରିଦେବା ପରେ ଏବେ ଉତ୍ତରପ୍ରଦେଶର ଚାଷ ଓ ଚାଷୀଙ୍କୁ କଲବଲ କରୁଛନ୍ତି । ତେଣୁ ପଙ୍ଗପାଳ ଦଳ ଓଡ଼ିଶା ଆସିବାର ମଧ୍ୟ ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ଓୟୁଏଟି ଅଧିନ  ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚାଷୀଙ୍କୁ ସତର୍କ କରାଯାଇଛି । ପଙ୍ଗପାଳ ଆକ୍ରମଣରୁ ଫସଲ ରକ୍ଷା କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ପଙ୍ଗପାଳ ସୀମାବର୍ତ୍ତି ରାଜ୍ୟରେ ପହଁଞ୍ଚିଲେ ପ୍ରତିଷେଧକ ଭାବେ ୫% ନିମ୍ବ ମଞ୍ଜି ଉଦ୍ଧୃତାଂଶର ଦ୍ରବଣକୁ ଜମିରେ ଛିଞ୍ଚନ କରନ୍ତୁ । ବଜାରରେ ମିଳୁଥିବା ୩୦୦ ପିପିଏମର ନିମ୍ବ ଆଧାରିତ କୀଟ ବିଷକୁ ମଧ୍ୟ ଏକର ପ୍ରତି ୨୦୦ ଲିଟର ପାଣିରେ ମିଶାଇ ଛିଞ୍ଚନ କରିପାରିବେ । ପଙ୍ଗପାଳ ଜମିରେ ପହଁଞ୍ଚିଲେ ଟିଣ ବାଡ଼େଇ, କଣ୍ଟା ଡାଳରେ ମଧ୍ୟ ଘଉଡ଼ାଇ ପାରିବେ । ସନ୍ଧ୍ୟା ସମୟରେ ପଙ୍ଗପାଳ ବସିଥିବା ବଡ଼ ଗଛ ତଳେ ପଲିଥିନ ଜରି ବିଛାଇ ଡାଳଗୁଡ଼ିକୁ ହଲାଇଦେଲେ ସେଗୁଡ଼ିକ ଜରିରେ ପଡ଼ିଯିବେ । ପରେ ସେଗୁଡ଼ିକୁ ସଂଗ୍ରହ କରି କିରାସିନ ମିଶ୍ରିତ ପାଣିରେ ବୁଡ଼ାଇ ମାରି ଦିଅନ୍ତୁ । ଅଧିକ ତଥ୍ୟ ସଂଗ୍ରହ ପାଇଁ ଚାଷୀମାନେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ସଂପ୍ରସାରଣ ଅଧିକାରୀଙ୍କ ସାହାଯ୍ୟ ମଧ୍ୟ ନେଇପାରିବେ


Share It

Comments are closed.