କେରଳରେ ପ୍ରବଳ ବର୍ଷା ସହ ଭୁସ୍ମଳନ, ୭ ମୃତ


କେରଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସୃଷ୍ଟି ହୋଇଛି। ଇଡୁକ୍କୀ ଜିଲାର ରାଜମଲା ଅଞ୍ଚଳରେ ବର୍ଷା ଫଳରେ ଭୁସ୍ଖଳନ ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ମାଟି ତଳେ ଚାପି ହୋଇଯାଇଥିବା ଅନ୍ୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ମାଟି ତଳେ ଅନ୍ୟ କେହି ଫଶି ରହିଛନ୍ତି କି ନାହିଁ ତାହା ଜାଣିବା ଲାଗି ଏନଡିଆରଏଫ ଏବଂ ବନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ପଠାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବାୟୁସେନା ସହିତ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି। କୁହାଯାଉଛି ଯେଉଁ ସ୍ଥାନରେ ଭୂସ୍ଖଳନ ଘଟିଛି ସେଠାରେ ୪ଟି ଶିବିରରେ ୮୦ରୁ ଅଧିକ ଶ୍ରମିକ ରହୁଥିଲେ। ତେଣୁ ମାଟିତଳେ ଆହୁରି ୬୫ ଜଣ ଫଶିଥିବା ଆଶଙ୍କା କରାଯାଉଛି।

ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ଶେଲଜା କହିଛନ୍ତି ଯେ, ଏକ ଭ୍ରାମ୍ୟମାଣ ମେଡିକାଲ ଟିମ୍ ଏବଂ ୧୫ଟି ଆମ୍ବୁଲାନ୍ସ ଇଡୁକ୍କୀ ପଠାଯାଇଛି। ଆବଶ୍ୟକ ପଡ଼ିଲେ ଆହୁରି ମେଡିକାଲ ଟିମ୍ ପଠାଯିବ। ହସ୍ପିଟାଲଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି। ରାଜସ୍ୱ ମନ୍ତ୍ରୀ ଇ. ଚନ୍ଦ୍ରଶେଖରନ୍ କହିଛନ୍ତି ଯେ, ଘଟଣାସ୍ଥଳରେ ୪ଟି ଶ୍ରମିକ ଶିବିର ଥିଲା। ସେଥିରେ ପ୍ରାୟ ୮୨ ଜଣ ରହୁଥିଲେ। କିନ୍ତୁ ଭୁସ୍ଖଳନ ସମୟରେ ସେଠାରେ କେତେଜଣ ଥିଲେ ତାହା ଜଣାପଡ଼ିନାହିଁ।


Share It

Comments are closed.