ବରଫ ମଧ୍ୟରୁ ଯୁବକଙ୍କ ଜୀବନ ବଞ୍ଚାଇ ସମସ୍ତଙ୍କ ହୃଦୟ ଜିଣିଲେ ଭାରତୀୟ ଯବାନ


ଜମ୍ମୁ କାଶ୍ମୀରରେ ଲାଗି ରହିଥିବା ବରଫପାତ ଯୋଗୁଁ ‘ତାରିଫ ଇକବଲ’ ନାମକ ଜଣେ ନାଗରିକ ଫସି ଯାଇଥିବାବେଳେ ଏହି ସୂଚନା ଭାରତୀୟ ସେନାକୁ ମିଳିବା ପରେ ସେନା ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା । ଏହା ପରେ ଭାରତୀୟ ସେନା, ଉକ୍ତ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରି ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ, ଯାହା ଦ୍ୱାରା ବ୍ୟକ୍ତି ଜଣଙ୍କ ଜୀବନ ବଞ୍ଚିପାରି ଥିଲା । ଏହି ଘଟଣାଟି ୧୪ ଜାନୁଆରୀର ଅଟେ ।
ଏହା ପୂର୍ବରୁ କାଶ୍ମୀରରେ ଜଣେ ମହିଳାଙ୍କ ପ୍ରସବ ଜନିତ ସମସ୍ୟା ହେବାରୁ ଭାରତୀୟ ସେନାର କଲ୍ୟାଣକାରୀ ଦଳ ‘କ୍ଷରିୟତ’ର ଯବାନମାନେ ଅଣ୍ଟାଏ ଗଭୀର ତୁଷାରରେ ପଶି ମହିଳାଙ୍କୁ ଉଦ୍ଧାର କରି ତାଙ୍କୁ ସଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚାଇଥିଲେ, ଯାହା ଦ୍ୱାରା ଉକ୍ତ ମହିଳା ଜଣକ ଏକ ସୁସ୍ଥ ଶିଶୁ ଜନ୍ମ ଦେଇଥିଲେ ।
ସେନା ଏବଂ ଯବାନଙ୍କ ଏହି ମାନବିକତାପୂର୍ଣ୍ଣ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଥିବାବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେନାର ଯବାନମାନଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ।

ପ୍ରକାଶ ଥାଉକି, ଉତ୍ତମ କାଶ୍ମୀର ବାରମୁଲ୍ଲା ଅନ୍ତର୍ଗତ ଟଙ୍ଗମାର୍ଗ ନିକଟ ଦାର୍ଦପୋରା ଗାଁରେ ‘ଶମିମା’ ନାମକ ଜଣେ ମହିଳା ମଙ୍ଗଳବାର ଗର୍ଭବେଦନା ଅନୁଭବ କରିଥିଲେ । ତୁଷାରପାତ ଲାଗି ରହିଥିବାରୁ ତାଙ୍କୁ ହସ୍ପିଟାଲ ନେବାରେ ପରିବାର ଲୋକେ ଅସମର୍ଥ ଥିଲେ । ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁଙ୍କ ପ୍ରତି ବିପଦ ଥିଲା । କୌଣସି ଉପାୟ ନପାଇ ମହିଳାଙ୍କ ସ୍ୱାମୀ ରିୟାଜ ମୀର ସେନା ଟିମକୁ ଫୋନ କରିଥିଲେ । ଖବର ପାଇବା ମାତ୍ରକେ ସେନାର ଏକ ମେଡିକାଲ ଟିମ, ମେଡିକାଲ ଅଫିସରଙ୍କୁ ସାଙ୍ଗରେ ଧରି ୫ କି.ମି ଯାଏଁ ଗଭୀର ବରଫରେ ଚାଲି ମହିଳାଙ୍କ ଘରେ ପହଞ୍ଚିଥିଲେ ।

ସେନାର ୟୁନିଟ କାଳବିଳମ୍ବ ନକରି ତୁରନ୍ତ କାର୍ଯ୍ୟରେ ଲାଗିଯାଇଥିଲେ । ସେମାନେ ପରସ୍ପର ମଧ୍ୟରେ ତିନୋଟି ଟିମରେ ବିଭକ୍ତ ହୋଇଯାଇଥିଲେ । ଗୋଟିଏ ଟିମ ରାସ୍ତାରେ ବରଫ ହଟାଇବା କାର୍ଯ୍ୟରେ ଲାଗିପଡିଥିବାବେଳେ ଅନ୍ୟଟିମଟି ହେଲିପ୍ୟାଡ ପର୍ଯ୍ୟନ୍ତ ରାସ୍ତା ସଫା କରିଥିଲା । ସେହିଭଳି ତୃତୀୟ ଟିମ କାନିସପୋରା ପର୍ଯ୍ୟନ୍ତ ରାସ୍ତାରୁ ବରଫ ହଟାଇଥିଲା । ସେନାର ୧୦୦ ଜଣ ଯବାନ ଏବଂ ୨୫ ଜଣ ସ୍ଥାନୀୟ ଲୋକେ ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ମହିଳାଙ୍କୁ ଅଣ୍ଟାଏ ତୁଷାର ମଧ୍ୟରେ ଷ୍ଟେଚରରେ ନେଇ ଉପ୍ଲୋନାରେ ପହଞ୍ଚାଇ ଥିଲେ ଏବଂ ସେଠାରୁ ମେଡିକାଲ ଅଫିସରଙ୍କ ସହ ମହିଳାଙ୍କୁ ସୈନ୍ୟବାହିନୀ ଆମ୍ବୁଲାନ୍ସରେ ବାରମୁଲ୍ଲା ହସ୍ପିଟାଲ ନିଆଯାଇଥିଲା ।


Share It

Comments are closed.