ଡିସେମ୍ବରରେ ଆଇପିଏଲ୍‌ ନିଲାମୀ


ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ ପାଇଁ ବିସିସିଆଇ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛି । ଇତିମଧ୍ୟରେ ସମସ୍ତ ୧୦ଟି ଯାକ ଫ୍ରାଞ୍ଚାଇଜ ଦଳକୁ ନଭେମ୍ବର ୧୫ ତାରିଖ ସୁଦ୍ଧା ସେମାନଙ୍କ ଖେଳାଳି ତାଲିକା ଦାଖଲ କରିବାକୁ କୁହାଯାଇଛି । ଆଇପିଏଲ୍‌-୨୦୨୩ ନିଲାମୀ ପାଇଁ ତାରିଖ ଚୂଡ଼ାନ୍ତ ହୋଇନାହିଁ । କିନ୍ତୁ ଆଗାମୀ ଡିସେମ୍ବର ମାସ ତୃତୀୟ ସପ୍ତାହରେ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବା ସମ୍ଭାବନା ରହିଛି ।

ଟିଓଆଇରେ ପ୍ରକାଶିତ ଖବର ଅନୁଯାୟୀ, ବିସିସିଆଇ ଡିସେମ୍ବର ୧୬ରେ ନିଲାମୀ ପ୍ରକ୍ରିୟା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ଆଇପିଏଲ-୨୦୨୨ ସଂସ୍କରଣରେ ମେଗା ନିଲାମୀ ହୋଇଥିଲା । ତେଣୁ ଏଥର ମିନି (ଛୋଟ) ନିଲାମୀ ହେବ । ଆଇପିଏଲ୍‌-୨୦୨୩ ପୁରୁଣା ଫର୍ମାଟରେ ଖେଳାଯିବ ବୋଲି ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଥିଲେ । ତେଣୁ ଆସନ୍ତାବର୍ଷ ପ୍ରତ୍ୟେକ ଦଳ ଘରୋଇ ଏବଂ ବାହାର ଭେନ୍ୟୁରେ ମ୍ୟାଚ୍‌ ଖେଳିବେ । ପୂର୍ବ ସଂସ୍କରଣରେ ଫ୍ରାଞ୍ଚାଇଜ୍‌ଙ୍କ ମୂଳ ପୁଞ୍ଜି ୯୦କୋଟି ଟଙ୍କା ରହିଥିଲା । ଆସନ୍ତାବର୍ଷ ଏହା ୯୫କୋଟିକୁ ବୃଦ୍ଧି ପାଇବ । ତେଣୁ ପ୍ରତେକ ଫ୍ରାଞ୍ଚାଇଜ୍‌ଙ୍କ ନିକଟରେ ଅଧିକ ୫କୋଟି ଲେଖାଏଁ ରହିବ ।

ଗତ ମେଗା ନିଲାମରେ ସବୁ ଫ୍ରାଞ୍ଚାଇଜ ଅଧିକ ଅର୍ଥ ବ୍ୟୟ କରି ଖେଳାଳି କିଣିଥିଲେ । ଅତିରିକ୍ତ ୫କୋଟିକୁ ଛାଡ଼ି ଏବେ ପଞ୍ଜାବ କିଙ୍ଗ୍‌ସ ନିକଟରେ ଆଉ ୩.୪୫କୋଟି, ଚେନ୍ନାଇ ସୁପର କିଙ୍ଗ୍‌ସ ପାଖରେ ୨.୯୫କୋଟି, ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୧.୫୫କୋଟି, ରାଜସ୍ଥାନ ରୟାଲ୍ସ ପାଖରେ ୯୫ଲକ୍ଷ, କୋଲକାତା ନାଇଟ୍‌ ରାଇଡର୍ସ ପାଖରେ ୪୫ଲକ୍ଷ, ଡିଫେଣ୍ଡିଂ ଚାମ୍ପିଅନ୍‌ ଗୁଜରାଟ ଟାଇଟନ୍ସ ପାଖରେ ୧୫ଲକ୍ଷ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୧୫ଲକ୍ଷ, ସନ୍‌ସାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ୧୦ଲକ୍ଷ ଟଙ୍କା ବଳକା ରହିଛି ।


Share It

Comments are closed.