ଦେଶରେ ବେଲଗାମ ହେଲାଣି କରୋନା: ୨୪ ଘଂଟାରେ ୧.୧୫ ଲକ୍ଷ ନୂଆ ମାମଲା, ମହାରାଷ୍ଟ୍ରରେ ସର୍ବାଧିକ


ଦେଶରେ ରେକର୍ଡ କରିବାରେ ଲାଗିଛି ମହାମାରୀ । ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ନୂଆ ମାମଲା ସାମ୍ନାକୁ ଆସିଛି । ୧.୧୫ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ରବିବାର ୧.୩ ଲକ୍ଷରୁ ଅଧିକ ମାମଲା ଥିଲା । ହେଲେ ଏବେ ସବୁ ରେକର୍ଡ ପାର୍ କରିଛି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨, ୭୯୯, ୭୪୬ ରହିଛି ।

ଫଳରେ ସକ୍ରିୟ ମାମଲା ୮୦୦, ୦୦୦ ପାର୍ କରିଛି । ଭାରତରେ ଆକ୍ଟିଭ କେସ ଅନୁଯାୟୀ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩୧ ଜଣଙ୍କ ଜୀବନ ନେଲାଣି କିଲର ଭାଇରସ୍ । ଫଳରେ ମୋଟ୍ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬, ୨୦୮ରେ ପହଞ୍ଚିଛି । ବିଶେଷଜ୍ଞଙ୍କ ମତରେ କରୋନାର ୨ୟ ଲହର ପ୍ରଥମ ଲହର ତୁଳନାରେ ଅଧିକ ଭୟାବହ ହେଉଛି । ମହାମାରୀରେ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ୫ ରାଜ୍ୟ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଚିନ୍ତାଜନକ ବିଷୟ ଲଗାତାର ମହାରାଷ୍ଟ୍ରରେ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୫୫,୦୦୦ ନୂଆ ମାମଲା ସହ ମୁମ୍ୱାଇରେ ୧୦,୦୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ରାଜଧାନୀ ଦିଲ୍ଲୀରେ ବି ଭୟଙ୍କର ରୂପ ନେଉଛି ଭୂତାଣୁ । ଏଠାରେ ଦିନକରେ ୫ ହଜାର ପାର କରିଛି ଅଙ୍କ । ୨୦୨୦ ସେପ୍ଟେମ୍ୱର ପରେ ପ୍ରଥମ ଥର ପାଇଁ ଏଭଳି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।


Share It

Comments are closed.