ପାରମ୍ପରିକ ଓ ପରମାଣୁ ବୁଡାଜାହାଜ ନିର୍ମାଣ କରିବ ଭାରତୀୟ ନୌସେନା


ପରମାଣୁ ଶକ୍ତିଚାଳିତ ବୁଡାଜାହାଜଗୁଡିକ ପାରମ୍ପରିକ ବୁଡାଜାହାଜଗୁଡିକ ତୁଳନାରେ ଅଧିକ ଦକ୍ଷ ଏବଂ ଆକ୍ରମଣ କ୍ଷମତା ରଖୁଥିବାରୁ ଭାରତ ଏବଂ ବିଶ୍ୱର ଅନ୍ୟ ନୌବାହିନୀଗୁଡିକ ପରମାଣୁ ଶକ୍ତିଚାଳିତ ବୁଡାଜାହାଜ ନିର୍ମାଣ ଦିଗରେ ପଦକ୍ଷେପ ନେବେ କି ବୋଲି ଏକ ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏଭଳି ପରିସ୍ଥିତିରେ ଭାରତୀୟ ନୌସେନା ଉଭୟ ପାରମ୍ପରିକ ଓ ପରମାଣୁ ଶକ୍ତିଚାଳିତ ବୁଡାଜାହାଜ ନିର୍ମାଣ ଓ ପରିଚାଳନା କରିବ ବୋଲି ଜଣେ ଅଧିକାରୀ କହିଛନ୍ତି । ପାରମ୍ପରିକ ଡିଜେଲ-ବିଦ୍ୟୁତଚାଳିତ ବୁଡାଜାହାଜ ନିର୍ମାଣ କରିବାକୁ ଫ୍ରାନ୍ସ ସହିତ ହୋଇଥିବା ୯୦ ବିଲିଅନ ଡଲାରର ଏକ ରାଜିନାମାକୁ ଅଷ୍ଟ୍ରେଲିଆ ସରକାର ରଦ୍ଦ କରିବା ଏବଂ କେବଳ ପରମାଣୁ ଶକ୍ତିଚାଳିତ ବୁଡାଜାହାଜ ନିର୍ମାଣ ନିମନ୍ତେ ମନ ବଳାଇବା ପରେ ଭାରତର ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଭାରତର ନୈାବାହିନୀ ଉଭୟ ପାରମ୍ପରିକ ଏବଂ ପରମାଣୁ ଶକ୍ତିଚାଳିତ ବୁଡାଜାହାଜ ନିର୍ମାଣ ଓ ପରିଚାଳନା କରିବ । ଦେଶ ପ୍ରତି ବିଭିନ୍ନ ଆଡୁ ରହିଥିବା ବିପଦ ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି । ସେ କହିଛନ୍ତି, ଅଷ୍ଟ୍ରେଲିଆ ପାଇଁ ମୁକ୍ତ ଜଳରାଶିରେ ଅଧିକ ବିପଦ ରହିଛି । ତାହାସହିତ ଏହା ଚାରିପଟେ ଥିବା ଅଞ୍ଚଳରୁ ମଧ୍ୟ ଏହାପ୍ରତି ବିପଦ ରହିଛି । ଫ୍ରାନ୍ସ ସହିତ କରିଥିବା ରାଜିନାମା ବାତିଲ କରିବା ପଛର କାରଣ ସେମାନେ ହିଁ କହିପାରିବେ ।
ଯେତେବେଳେ ଭାରତ କଥା ଆସୁଛି ସେତେବେଳେ ଆମକୁ ଉପକୂଳ ନିକଟବର୍ତ୍ତୀ ତଥା ଉନ୍ମୁକ୍ତ ଜଳରାଶିରେ ରହିଥିବା ବିପଦର ମୁକାବିଲା କରିବାକୁ ହେବ । ସେଥିପାଇଁ ଭାରତ କେତେକ ବୁଡାଜାହାଜ ନିର୍ମାଣ କରିବ, ଯେଉଁଥିରେ ଉଭୟ ପାରମ୍ପରିକ ଏବଂ ପରମାଣୁ ଶକ୍ତିଚାଳିତ ବୁଡାଜାହାଜ ରହିବ । ଅର୍ଥନୈତିକ ଦୃଷ୍ଟିକୋଣରୁ ତଥା ପରିଚାଳନା ଖର୍ଚ୍ଚ ଦୃଷ୍ଟିରୁ ଏହା ଭାରତ ପାଇଁ ଉପଯୋଗୀ ହେବ । କାରଣ ପାରମ୍ପରିକ ଶକ୍ତିଚାଳିତ ବୁଡାଜାହାଜ ନିର୍ମାଣ ନିମନ୍ତେ ଯେତିକି ଖର୍ଚ୍ଚ ହେଉଛି, ଏକ ପରମାଣୁ ଶକ୍ତିଚାଳିତ ବୁଡାଜାହାଜ ନିର୍ମାଣ ପାଇଁ ତାହାର ଦୁଇଗୁଣ ଖର୍ଚ୍ଚ କରିବାକୁ ପଡୁଛି । ସେ କହିଥିଲେ ଯେ ଭାରତରେ କଳାବରୀ ଶ୍ରେଣୀ (ସ୍କର୍ପିଅନ)ର ୬ଟି ବୁଡାଜାହାଜ ନିର୍ମାଣ ଖର୍ଚ୍ଚ ୨୫,୦୦୦ କୋଟି ଟଙ୍କା ହୋଇଥିବାବେଳେ ପ୍ରଥମ ତିନିଟି ପରମାଣୁ ଶକ୍ତିଚାଳିତ ଆକ୍ରମଣକାରୀ ବୁଡାଜାହାଜ ନିର୍ମାଣ ନିମନ୍ତେ ୫୦ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ । ଏହା ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ତାହାର ବୁଡାଜାହାଜ ନିର୍ମାଣ କେନ୍ଦ୍ରରେ ତିଆରି କରାଯିବ । ତେବେ ସେ ଏହା ମଧ୍ୟ କହିଥିଲେ ଯେ ପରମାଣୁ ଶକ୍ତିଚାଳିତ ବୁଡାଜାହାଜ ନିର୍ମାଣ ନିମନ୍ତେ ବହୁ ଅଧିକ ଖର୍ଚ୍ଚ କରିବାକୁ ପଡୁଥିଲେ ମଧ୍ୟ ସେଗୁଡିକ ଜଳଭାଗ ଉପରକୁ ନଆସି ମାସ ମାସ ଧରି ପାଣି ଭିତରେ ରହିପାରିବ । ଅନ୍ୟପକ୍ଷରେ ପାରମ୍ପରିକ ବୁଡାଜାହାଜଗୁଡିକ ମଝିରେ ମଝିରେ ଉପରକୁ ଆସିବା ଆବଶ୍ୟକ ହୋଇଥାଏ । ସେଗୁଡିକ ବ୍ୟାଟେରୀ ଚାର୍ଜ କରିବାକୁ ପାଣି ଉପରକୁ ଉଠିଥାନ୍ତି ।
ଭାରତୀୟ ନୌସେନା ୨୪ଟି ନୂଆ ବୁଡାଜାହାଜ ନିର୍ମାଣ ଓ ପରିଚାଳନା କରିବା ଯୋଜନା କରିଛି । ସେଥିମଧ୍ୟରୁ ୬ଟି କଳାବରୀ ଶ୍ରେଣୀର ହେବ । ସଂପ୍ରତି ଭାରତ ନିକଟରେ ରୁଷ ନିର୍ମିତ କିଲୋ ଶ୍ରେଣୀ, ଜର୍ମାନୀ ନିର୍ମିତ ଏଚଡିଡବ୍ଲୁ ଏବଂ ସ୍ୱଦେଶୀ ବାଲିଷ୍ଟିକ ପରମାଣୁ ଶକ୍ତିଚାଳିତ ବୁଡାଜାହାଜ ଆଏନଏସ ଅରିହନ୍ତ ରହିଛି । ଅରିହନ୍ତ ଶ୍ରେଣୀର ୫ଟି ବୁଡାଜାହାଜ ନିର୍ମାଣ ପାଇଁ ଯୋଜନା ରହିଛି, ଯାହା ପୂର୍ବ ୨୪ଟି ବୁଡାଜାହାଜ ବ୍ୟତିରେକ ନିର୍ମାଣ କରାଯିବ । ଆମେରିକା, ଫ୍ରାନ୍ସ, ବି୍ରଟେନ ଏବଂ ଅଷ୍ଟ୍ରେଲିଆ ନିକଟରେ କେବଳ ପରମାଣୁ ଶକ୍ତିଚାଳିତ ବୁଡାଜାହାଜ ସ୍ଥାନ ପାଇବାକୁ ଯାଉଛି । ଅନ୍ୟପକ୍ଷରେ ଚୀନ, ରୁଷ ଆଦି ରାଷ୍ଟ୍ର ନିକଟରେ ଉଭୟ ପାରମ୍ପରିକ ଏବଂ ପରମାଣୁ ଶକ୍ତିଚାଳିତ ବୁଡାଜାହାଜ ରହିଛି ।


Share It

Comments are closed.