ଆଜି ଦ୍ୱିତୀୟ ଟେଷ୍ଟ, ପ୍ରତିଶୋଧ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ


ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ସମାନ ଭେନ୍ୟୁ, କିନ୍ତୁ ମୁକାବିଲା ହାଇଭୋଲ୍ଟେଜ । ଘରୋଇ ମାଟିରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଫଳତା ଯୋଗୁ ଭାରତ ପ୍ରଥମ ଟେଷ୍ଟରେ ଅତି ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଗାବାରେ ଐତିହାସିକ ବିଜୟ ପରେ ଚେନ୍ନାଇ ପରାଜୟକୁ ପ୍ରଶଂସକ ସହଜରେ ଗ୍ରହଣ କରିପାରି ନଥିଲେ । ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ । ତେଣୁ ଦ୍ୱିତୀୟ ଟେଷ୍ଟ ବିରାଟଙ୍କ ସାମ୍ନାରେ ବହୁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି ।ଯେଉଁ ପିଚରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଦ୍ୱିଶତକ ହାସଲ କଲେ ଏବଂ ଭ୍ରମଣକାରୀ ବୋଲର ଘାତକ ସାଜିଲେ ସେହି ପିଚରେ ଭାରତ ଉଭୟ ବିଭାଗରେ ବିଫଳ ହୋଇଥିଲା । ତେଣୁ ଦ୍ୱିତୀୟ ଟେଷ୍ଟରେ କୋହଲିସେନା ଜୋରଦାର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି । ଦଳର ଖେଳାଳିମାନେ ପୂର୍ବ ତ୍ରୁଟି ସୁଧାରିବା ସହ ଦୀର୍ଘ ସମୟ ଧରି ଅଭ୍ୟାସ୍‌ କରିଛନ୍ତି ।

ପ୍ରଥମ ଟେଷ୍ଟ ଜିତି ଭ୍ରମଣକାରୀ ଦଳର ମନୋବଳ ଦ୍ୱିଗୁଣିତ ରହିଛି । ଦଳ ପୂର୍ବ ପ୍ରଦର୍ଶନ ବଜାୟ ରଖିବା ଲକ୍ଷ୍ୟରେ ଅଛି ।ଯଦି ଭାରତ ଏହି ଟେଷ୍ଟରେ ବିଜୟୀ ହୁଏ ତେବେ ଅଧିନାୟକ ଭାବେ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡର ସମକକ୍ଷ ହୋଇପାରିବେ । ଘରୋଇ ମାଟିରେ ଧୋନିଙ୍କ ନେତୃତ୍ୱରେ ଭାରତ ୨୧ଟି ମ୍ୟାଚ୍‌ ଜିତିଛି ।

ବ୍ୟାଟ୍ସମ୍ୟାନ୍‌ଙ୍କ ଫର୍ମ ଚିନ୍ତାଜନକ: ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ ପ୍ରଥମ ଟେଷ୍ଟରେ ଫେଲ୍‌ ମାରିଥିଲେ । ଏହା ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା । ବ୍ୟାଟିଂ ବିଭାଗର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଅଧିନାୟକ କୋହଲି ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେଣୁ ସେ ବ୍ୟାଟିଂକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ସ୍ପିନ୍‌ ମୁକାବିଲା ପାଇଁ ରୋହିତ, ରାହାଣେ ଦୀର୍ଘ ସମୟ ଧରି ସ୍ପିନ୍‌ ବୋଲରଙ୍କ ବିପକ୍ଷରେ ଅଭ୍ୟାସ କରିଥିଲେ । ବ୍ୟାଟିଂ ବିସ୍ମୟ ରିଷଭ ପନ୍ତ ଓ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ସ୍ପିନ୍‌ ବିଭାଗ ଉପରେ ନଜର: ଘରୋଇ ପରିବେଶରେ ଭାରତୀୟ ସ୍ପିନର ପ୍ରଥମ ଟେଷ୍ଟରେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । କେବଳ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ । ତାହା ପୁଣି ଦ୍ୱିତୀୟ ଇନିଂସରେ । ଆସନ୍ତାକାଲି ଭାରତର ସ୍ପିନ୍‌ ଉପରେ ସମସ୍ତଙ୍କ ନଜର ରହିବ । ଦଳ ପୂର୍ବ ଭଳି ୩ଜଣ ସ୍ପିନର ଓ ୨ ପେସ୍‌ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ । ଅଶ୍ୱିନଙ୍କ ସହ ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ । ଅକ୍ଷର ଫିଟ୍‌ ହୋଇ ଅଭ୍ୟାସ ଆରମ୍ଭ କରିବା ପରେ ପ୍ରଥମ ଟେଷ୍ଟ ଖେଳିଥିବା ସାହାବାଜ ନଦୀମଙ୍କୁ ବାଦ୍‌ ଦିଆଯାଇଛି । ତେଣୁ ଅକ୍ଷର ଖେଳିବା ନିଶ୍ଚିତ । ସ୍ପିନ୍‌ ଆକ୍ରମଣ ଦୃଢ଼ କରିବା ପାଇଁ ଦଳ କୁଲଦୀପଙ୍କୁ ଖେଳାଇପାରେ । ଅଶ୍ୱିନ ଓ ପଟେଲ ୭ନଂ ଏବଂ ୮ନଂ କ୍ରମରେ ବ୍ୟାଟିଂ କରିପାରିବେ । ତେଣୁ ୱାସିଂଟନ୍‌ ସୁନ୍ଦରଙ୍କ ସ୍ଥାନରେ କୁଲଦୀପଙ୍କୁ ସୁଯୋଗ ମିଳିପାରେ ।

ବେସ୍‌ଙ୍କ ସ୍ଥାନରେ ଖେଳିବେ ଅଲି: ଦ୍ୱିତୀୟ ମ୍ୟାଚ୍‌ ପାଇଁ ୧୨ଜଣିଆ ଇଂଲଣ୍ଡ ଦଳ ଘୋଷଣା ହୋଇଛି । ଏଥିରେ ୪ଟି ପରିବର୍ତ୍ତନ କରାଯାଇଛି । ଅନଭିଜ୍ଞ ସ୍ପିନର ଡମ୍‌ ବେସ୍‌ଙ୍କ ସ୍ଥାନରେ ଅଭିଜ୍ଞ ମୋଇନ୍‌ ଅଲି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ସ୍ପଷ୍ଟ ହୋଇଯାଇଛି । ପ୍ରଥମ ଟେଷ୍ଟ ପରେ ସ୍ୱଦେଶ ଫେରିଥିବା ଜୋସ ବଟଲରଙ୍କ ସ୍ଥାନରେ ବେନ୍‌ ଫୋକ୍ସ, ଆହତ ପେସ୍‌ ବୋଲର ଜୋଫ୍ରା ଆର୍ଚରଙ୍କ ସ୍ଥାନରେ କ୍ରିସ୍‌ ୱକ୍ସ ଓ ଓଲି ଷ୍ଟୋନ୍‌ ସ୍ଥାନ ପାଇଥିବାବେଳେ ଭେଟେରାନ ଜେମ୍ସ ଆଣ୍ଡରସନ୍‌ଙ୍କ ସ୍ଥାନରେ ଷ୍ଟୁଆର୍ଟ ବ୍ରଡ୍‌ ଆକ୍ସନକୁ ଓହ୍ଲାଇବେ । କେବଳ ୱକ୍ସ ଓ ଷ୍ଟୋନ୍‌ଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ ।
ରୁଟ୍‌ଙ୍କ ଉପରେ ଦଳ ସମ୍ପୂର୍ଣ୍ଣ ନିର୍ଭରଶୀଳ । ସେ ପ୍ରଥମ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ ୨୧୮ରନ୍‌ର ମାରାଥନ ଇନିଂସ୍‌ ଖେଳିବାରୁ ଦଳ ୫୭୮ରନ୍‌ର ବିଶାଳ ସ୍କୋର କରିଥିଲା । ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ମଧ୍ୟ ଜବରଦସ୍ତ ବ୍ୟାଟିଂ କରିଥିଲେ ।

ପିଚ୍‌: ପ୍ରଥମ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍‌କୁ ନେଇ ଭାରତୀୟ ଖେଳାଳି ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଥମ ଦୁଇଦିନ ବୋଲରମାନଙ୍କୁ କୌଣସି ସହାୟତା ମିଳିଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଟେଷ୍ଟ ପାଇଁ ର‌୍ୟାଙ୍କ୍‌ ଟର୍ଣ୍ଣର ପିଚ୍‌ ପ୍ରସ୍ତୁତ କରାଯାଇଛି । ଏହା ସ୍ପିନରଙ୍କୁ ସୁହାଇବ । ପ୍ରଥମ ଦିନରୁ ହିଁ ବଲ୍‌ ଟର୍ଣ୍ଣ କରିପାରେ । ଫଳରେ ସ୍ପିନ୍‌ରମାନେ ଫାଇଦା ଉଠାଇ ପାରିବେ । ପିଚ୍‌କୁ ସୂର୍ଯ୍ୟକିରଣରୁ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖାଯାଇଥିଲା । ଏହି ପିଚ୍‌ରେ ବଲ୍‌ ବାଉନ୍ସ ବଜାୟ ରଖିବାରେ ସକ୍ଷମ ହେବ କି ନାହିଁ ତାହା ଦେଖିବା ବାକି ରହିଲା ।

ଉତ୍କଣ୍ଠା ବଢ଼ାଇବେ ଦର୍ଶକ: କରୋନା ଯୋଗୁ ପ୍ରଥମ ଟେଷ୍ଟକୁ ବିନା ଦର୍ଶକରେ ଆୟୋଜନ କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ଷ୍ଟାଡିୟମରେ ୫୦% ଦର୍ଶକଙ୍କୁ ଅନୁମତି ଦେଇଛନ୍ତି । ଦୀର୍ଘ ଦିନ ପରେ ଦର୍ଶକ ଷ୍ଟାଡିୟମରେ ବସି ମ୍ୟାଚ୍‌ ଖେଳିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ତାମିଲନାଡ଼ୁ କ୍ରିକେଟ୍‌ ଆସୋସିଏନ୍‌ (ଟିଏନ୍‌ସିଏ) ୧୫,୦୦୦ ଟିକେଟ୍‌ ବିକ୍ରି କରି ସାରିଛି । ଆସନ୍ତାକାଲି ଦର୍ଶକଙ୍କ ଉପସ୍ଥିତି ଭାରତୀୟ ଦଳକୁ ଅଧିକ ଉତ୍ସାହିତ କରିବ ।


Share It

Comments are closed.