ଆଜାଦଙ୍କୁ କପଟି କହି ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଲତାଫ ବୁଖାରୀ


ଗୁଲମାନ ନବୀ ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସ କେବଳ ତାଙ୍କୁ ଟାର୍ଗେଟ କରିଛି ତାହା ନୁହେଁ, ବର୍ତ୍ତମାନ ସେ ଅନ୍ୟ ଦଳର ନେତାଙ୍କର ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଜାମ୍ମୁ କାଶ୍ମୀରର ‘ଆପନି ପାର୍ଟି’ର ମୁଖ୍ୟ ଅଲତାଫ ବୁଖାରୀ ଆଜାଦଙ୍କୁ କପଟି ବୋଲି କହିବା ସହ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବୁଖାରୀଙ୍କ କହିବା ଅନୁଯାୟୀ, ଆଜାଦ୍ ହୁଏତ ୨୦୧୯ ରେ ଧାରା ୩୭୦ର ସୁରକ୍ଷା ପାଇଁ ସଂସଦରେ ଏକ ଭାଷଣ  ଦେଇଥିଲେ, କିନ୍ତୁ ଏହାକୁ ହଟାଇବା ପାଇଁ ସେ ସରକାର ସପକ୍ଷରେ ଭୋଟ ଦେଇଛନ୍ତି।

ସେ କହିଛନ୍ତି, “ଆଜାଦ ସାହେବ ଧାରା ୩୭୦ର ସୁରକ୍ଷା ପାଇଁ ସଂସଦରେ ଏକ ଉଗ୍ର ଭାଷଣ ଦେଇଥିଲେ। ଏପରିକି ସେ ତାଙ୍କ ସାର୍ଟର ଗୋଟିଏ କିମ୍ବା ଦୁଇଟି ବଟନ୍ ଛିଣ୍ଡାଇ ଦେଇଥିଲେ, କିନ୍ତୁ ମୁଁ ଆପଣ ସମସ୍ତଙ୍କୁ ଏକ ସତ କହିବାକୁ ଚାହୁଁଛି, ତାହା ହେଲା ସେ ୩୭୦ ଧାରା ରଦ୍ଦ କରିବାକୁ ବିଜେପି ସପକ୍ଷରେ ଭୋଟ ଦେଇଛନ୍ତି। ବୁଖାରୀ ଶୁକ୍ରବାର ଶ୍ରୀନଗରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଯଦି ସତ କହିବା ଅପରାଧ ତେବେ ମୁଁ ଏହି କହି ଅପରାଧ କରୁଛି। ତାହା ହେଲା ଆଜାଦ ସାହେବ ସଂସଦରେ ଧାରା ୩୭୦ ରୁ ଉଚ୍ଛେଦ ପାଇଁ ଭୋଟ ଦେଇଥିଲେ।

ପ୍ରାୟ ପାଞ୍ଚ ଦଶନ୍ଧି ଧରି କଂଗ୍ରେସ ସହ ଜଡିତ ଥିବା ୭୩ ବର୍ଷିୟ ଗୁଲାମ ନବୀ ଆଜାଦ ନିକଟରେ ନେତୃତ୍ୱ ପ୍ରସଙ୍ଗରେ ଦଳ ଛାଡିଛନ୍ତି। କଂଗ୍ରେସ ସଭାପତିଙ୍କୁ ପଠାଯାଇଥିବା ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ ଆଜାଦ କହିଛନ୍ତି ଯେ, ଖୁବ୍ ଦୁଃଖର ସହ ମୁଁ ଏହି ପଦକ୍ଷେପ ନେଉଛି। ‘ଭାରତ ଯୋଡ୍ ଯାତ୍ରା’ ପୂର୍ବରୁ ‘କଂଗ୍ରେସ ଯୋଡ ଯାତ୍ରା’ ବାହାର କରାଯିବା ଦରକାର।

ଆଜାଦ କହିଥିଲେ, ଦଳରେ କୌଣସି ସ୍ତରରେ ନିର୍ବାଚନ ଅନୁଷ୍ଠିତ ହୋଇନାହିଁ। କଂଗ୍ରେସ ନିଜର ଇଚ୍ଛାଶକ୍ତି ଓ କ୍ଷମତା ହରାଇ ସାରିଛି। ଆଜାଦ ଦଳର ‘ଜି-୨୩’ ଗୋଷ୍ଠୀର ଜଣେ ପ୍ରମୁଖ ସଦସ୍ୟ ରହିଆସିଛନ୍ତି। ଆଜାଦ କହିଥିଲେ, ଖୁବ୍ ଶୀଘ୍ର ସେ ଜାମ୍ମୁ କାଶ୍ମୀରରେ ଏକ ଜାତୀୟ ସ୍ତରୀୟ ଦଳ ଗଠନ କରିବେ। ଏଥି ସହିତ ଗୁଲାମ ନବୀ ଆଜାଦ ସେପ୍ଟେମ୍ବର୪ ରେ ଜାମ୍ମୁରେ ତାଙ୍କର ପ୍ରଥମ ରାଲି କରିବାକୁ ଯାଉଛନ୍ତି। ସେହି ଦିନ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଦିଲ୍ଲୀରେ ‘ ଦରଦାମ ବୃଦ୍ଧି ପ୍ରସଙ୍ଗରେ ହାଲା ବୋଲ’ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି।


Share It

Comments are closed.