ପାକିସ୍ତାନରେ ଜୁଆ ଖେଳ ଅଭିଯୋଗରେ ଗିରଫ ହୋଇଥିବା ଗଧକୁ ମିଳିଲା ଜାମିନ, ଚାରିଦିନ ଜେଲର ପବନ ଖାଇବାକୁ ପଡ଼ିଲା


ଯେଉଁଠି ବର୍ତମାନ ଦୁନିଆରେ ମଣିଷ ଅନେକ ଅପରାଧ କରି ମଧ୍ୟ ଛାତିକୁ ଆଗକୁ କାଢ଼ି ମୁକ୍ତ ଭାବେ ବୁଲି ପାରୁଛି , ସେଠି ପୁଣି ଗଧକୁ ହାଜତରେ ରଖାଯାଇଛି । କଣ ଆଶ୍ଚର୍ଯ୍ୟ ଲାଗୁଛି ? ଆଜିକାଲିର ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ଘଟଣା ହେଉଛି ପାକିସ୍ତାନର, ଯେଉଁଠାରେ ପୋଲିସ ଗୋଟିଏ ଗଧକୁ ଜୁଆ ଖେଳିବା ଆରୋପରେ ଗିରଫ କରିଛି ।
ଅସଲରେ ପୋଲିସ ଜୁଆ ଖେଳୁଥିବା ସମୟରେ ଆଠ ଜଣ ଲୋକଙ୍କୁ ଧରିଥିଲା ଏହା ସହିତ ପୋଲିସ ଗଧକୁ ମଧ୍ୟ ଆରୋପୀ କରିଦେଇଥିଲା । ଏମିତିରେ ଏହାକୁ ଅଦାଲତରୁ ଜାମିନ ମିଳିଯାଇଛି । କିନ୍ତୁ ଏହି ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକମାନେ ପାକିସ୍ତାନ ପୋଲିସିକୁ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହି ମାମଲାରେ ଗିରଫ ହୋଇଥିବା ଆଠଜଣ ଲୋକଙ୍କୁ ମଧ୍ୟ ମୁକ୍ତ କରିଦିଆଯାଇଛି ।
ଅସଲରେ ପାକିସ୍ତାନର ଏକ ଗ୍ରାମୀଣ ଅଂଚଳରେ ଏହି ସମସ୍ତ ଲୋକମାନେ ଗଧ ଦୌଡ଼ର ଆୟୋଜନ କରୁଥିଲେ । ଏହି ଲୋକମାନେ ଏକ ଚ୍ୟାଲେଞ୍ଜ ଉପରେ ଦାବି କରିଥିଲେ ଯେ ଗୋଟିଏ ଗଧ ୪୦ ସେକେଂଣ୍ଡରେ ୬୦୦ ମିଟର ଦୌଡ଼ିପାରିବ । ଏହି ଘଟଣା ପରେ ମିଡ଼ିଆରେ ଏହି ଖବରକୁ ନେଇ ଆଗ୍ରହ ଦେଖାଦେଲା ଯେ କିଭଳି ଗଧକୁ ଗିରଫ କରାଗଲା ଏବଂ ପରେ ତାକୁ ଜାମିନ ଦିଆଯାଇଛି । ଏମିତିରେ ଗଧକୁ କେବଳ ଚାରିଦିନ ପାଇଁ ଜେଲରେ ରଖାଯାଇଥିବା ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି ।

ପାକିସ୍ତାନର ଗ୍ରାମୀଣ ଅଂଚଳରେ ମାଲ ପରିବହନ ପାଇଁ ଗଧର ବ୍ୟବହାର ବେଶ ସାଧାରଣ କଥା ଅଟେ । ଏହା ସହିତ ଏହି ଅଂଚଳଗୁଡ଼ିକରେ ଗଧଦୌଡ଼ ଉପରେ ବାଜି ଲଗାଇବା ସାମାନ୍ୟ ଅଟେ । ଏହି ଘଟଣା ରହିମ ୟାର ଖାନ ସହରର ଗ୍ରାମୀଣ ଅଂଚଳରେ ହୋଇଛି । କିନ୍ତୁ ଏହି ଅବୈଧ ଦୌଡ଼ ଆରମ୍ଭ ହେବା ପୂର୍ବରୁ ପୋଲିସ ଘଟଣାସ୍ଥଳରେ ପହଂଚି ଏସଭିଙ୍କୁ ଗିରଫ କରିନେଇଥିଲା । ପୋଲିସ ଘଟଣାସ୍ଥଳରୁ ଏକ ଗଧ ଗାଡ଼ି, ଏକ ଲକ୍ଷ ୨୧ ହଜାର ପାକିସ୍ତାନୀ ଟଙ୍କା,ଏକ କପଡ଼ା ଓ ଏକ ଷ୍ଟପୱାଚ ଜବତ କରିଛି ।


Share It

Comments are closed.